ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଦେଖାଦେଇଥିବା ସଦ୍ୟ ହିଂସା ନୂଆ କାହାଣୀ ଲେଖିବାକୁ ପ୍ରସ୍ତୁତ ହେଲାଣି। ସେଠାରେ ପ୍ରମୁଖ ସମ୍ପ୍ରଦାୟ ମଧ୍ୟରେ ଅଛନ୍ତି ହିନ୍ଦୁ ମେଇତି, ଆଦିବାସୀ କୁକି ଓ ଖ୍ରୀଷ୍ଟ ଧର୍ମାବଲମ୍ବୀ ନାଗା। ଏବେ କୁକିମାନେ ମଣିପୁର ସରକାରଙ୍କଠାରୁ ଅଲଗା ହୋଇ ଏକ ସ୍ବତନ୍ତ୍ର ପ୍ରଶାସନ ଭିତରେ ରହିବାକୁ ଦାବି କରିଛନ୍ତି। ମେ’ ୨୦୨୩ରୁ ଜାତିଆଣ ସଂଘର୍ଷକୁ ନେଇ ମେଇତି ଓ କୁକିଙ୍କ ମଧ୍ୟରେ ହିଂସା ଲାଗି ରହିଛି। ମେଇତିଙ୍କ ସହ ଶାନ୍ତିପୂର୍ଣ୍ଣ ଭାବେ ରହିବା ଆଉ ସମ୍ଭବ ନୁହେଁ ବୋଲି କୁକି ସଙ୍ଗଠନଗୁଡ଼ିକ ସିଧାସଳଖ ଘୋଷଣା କରିଦେଇଛନ୍ତି। ହେଲେ ସେମାନଙ୍କ ଦାବିକୁ ମେଇତି ଓ ନାଗାମାନେ ଅସ୍ବୀକାର କରିଛନ୍ତି। ଦ୍ୱନ୍ଦ୍ୱର ବିଷୟଟି ହେଲା ଯେ, ୨୦୨୩ରେ ମେଇତି ସମ୍ପ୍ରଦାୟକୁ ହାଇକୋର୍ଟ ଆଦିବାସୀ ମାନ୍ୟତା ସୁପାରିସ ସଂକ୍ରାନ୍ତ ଆଦେଶ ଦେବା ପରେ ସୃଷ୍ଟି ହୋଇଥିବା ହିଂସାରେ କୁକି ଓ ନାଗା ମିଳିତ ଭାବେ ମେଇତିଙ୍କୁ ବିରୋଧ କରିଥିଲେ। ସମୟ ଚକ୍ରରେ ମେଇତି ଓ ନାଗା ଏକାଠି ହୋଇଗଲେଣି। ଅନ୍ୟପକ୍ଷରେ କୁକି ଓ ନାଗାଙ୍କ ମଧ୍ୟରେ ସଂଘର୍ଷ ବଢ଼ିଛି। ୩୧ ଅକ୍ଟୋବରରେ ନୋନି ଜିଲାରେ ୨ ବିରୋଧୀ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଘଟିବାରୁ କୁକି ସମ୍ପ୍ରଦାୟର ୩ ଜଣଙ୍କ ମୃତ୍ୟୁ ଘଟିଛି। ହତ୍ୟାକାଣ୍ଡ ପଛରେ ନାଗା ଉଗ୍ରପନ୍ଥୀ ସଙ୍ଗଠନ ସମ୍ପୃକ୍ତ ଥିବା ଖବର ମିଳିଛି।
ଏହି ପରିପ୍ରେକ୍ଷୀରେ କୁକି ଓ ନାଗା ସଂଘର୍ଷର ଇତିହାସକୁ ଦେଖିବାକୁ ହେବ। ସେହି ଇତିହାସ କହେ, ଉତ୍ତର-ପୂର୍ବାଞ୍ଚଳରେ ମୁଖ୍ୟତଃ ମଣିପୁର, ନାଗାଲାଣ୍ଡ ଓ ଆସାମରେ ଏମାନଙ୍କୁ ନେଇ ଏକ ପ୍ରମୁଖ ଜାତିଗତ ଓ ଆଞ୍ଚଳିକ ବିବାଦ ଥିଲା। ୧୯୮୦ ଦଶକର ଶେଷ ଭାଗରୁ ୧୯୯୮ ମଧ୍ୟରେ ଏହା ସବୁଠାରୁ ତୀବ୍ର ରୂପ ଧାରଣ କରିଥିଲା। ଗ୍ରେଟର ନାଗାଲାଣ୍ଡ ଦାବି କରୁଥିବା ନାଗାମାନେ ଅଧିକ ଅଞ୍ଚଳକୁ ନିଜର ବୋଲି କହୁଥିବା ବେଳେ କୁକିମାନେ ତାହାକୁ ବିରୋଧ କରିଥିଲେ। ପରବର୍ତ୍ତୀ ସମୟରେ ବହୁ ଆଲୋଚନା ପରେ ଏହା ଥମିଥିଲା। ହେଲେ ୨୦୨୬ ଫେବୃଆରୀ ପ୍ରାରମ୍ଭରୁ ଉଖ୍ରୁଲ, କାମଜୋଙ୍ଗ ଏବଂ କାଙ୍ଗ୍ପୋକପି ଭଳି ପାର୍ବତ୍ୟ ଜିଲାଗୁଡ଼ିକରେ ସ୍ଥାନୀୟ ବିବାଦ ଦୁଇ ସମ୍ପ୍ରଦାୟ ମଧ୍ୟରେ ନୂତନ ଗଣ୍ଡଗୋଳର ସୂତ୍ରପାତ ଘଟାଇଛି। ଏଭଳି ସ୍ଥଳେ କୁକିମାନେ ଯେତେବେଳେ ନୂଆକରି କେନ୍ଦ୍ର ଶାସିତ ଅଞ୍ଚଳ ଦାବି କରିଛନ୍ତି, ସେତେବେଳେ ନାଗାମାନେ ମେଇତିଙ୍କ ସହ ମିଶି ସେମାନଙ୍କୁ ବିରୋଧ କରିବା ଆରମ୍ଭ କରିଛନ୍ତି। ଆହୁରି ଆଶ୍ଚର୍ଯ୍ୟର ବିଷୟ ଯେ, ଏହି ସମୟରେ ମେଇତିମାନେ ପାହାଡ଼ ଅଞ୍ଚଳରେ ଜମି କିଣିବାର ପ୍ରତିବନ୍ଧକ ହଟାଯାଉ ବୋଲି ଚାହିଁଲେଣି। ଉଲ୍ଲେଖଯୋଗ୍ୟ ଯେ, ମଣିପୁରର ମେଇତିଙ୍କ ଜନସଂଖ୍ୟା ଅଧିକ ଓ ସେମାନେ ମୁଖ୍ୟତଃ ଇମ୍ଫାଲ ଉପତ୍ୟକାରେ ରହୁଥିବା ବେଳେ ଆଦିବାସୀ ବିଶେଷକରି କୁକିମାନେ ପାହାଡ଼ିଆ ଅଞ୍ଚଳରେ ବସବାସ କରିଥାଆନ୍ତି। ମଣିପୁରରେ ରହୁଥିବା କୁକିମାନେ ବହୁବର୍ଷ ପୂର୍ବରୁ ମ୍ୟାନ୍ମାରରୁ ଆସି ସେଠାରେ ବସବାସ କରୁଛନ୍ତି। କୁକି ଓ ନାଗାଙ୍କ ଅପେକ୍ଷା ମେଇତିମାନେ ଅଧିକ ଶିକ୍ଷିତ। ବ୍ୟବସାୟ ଓ ରାଜନୀତିରେ ସେମାନଙ୍କ ପତିଆରା ରହିଆସିଛି। ତେଣୁ ସେମାନେ ଅଧିକ ଅଞ୍ଚଳ ଅକ୍ତିଆର କରିବା ସହ ବେଶି ସରକାରୀ ସୁବିଧା ପାଇବା ପାଇଁ ଫନ୍ଦିଫିକର ଚଳାଇଛନ୍ତି।
ମଣିପୁରରେ ହିଂସାତ୍ମକ ସ୍ଥିତି ଉପୁଜିଥିବା ବେଳେ ମଣିପୁର କଂଗ୍ରେସର କେତେ ଜଣ ନେତା ୨ ନଭେମ୍ବରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ର୍ଜୁନ ଖାର୍ଗେ ଓ ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନୂଆଦିଲ୍ଲୀଠାରେ ଭେଟିଛନ୍ତି। ସେମାନେ ରାଜ୍ୟର ସ୍ଥିତି ବିଷୟରେ ବରିଷ୍ଠ ନେତାମାନଙ୍କୁ ଜଣାଇବା ସହ ୨୦୨୭ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସଂକ୍ରାନ୍ତରେ କଥା ହୋଇଛନ୍ତି। ମଣିପୁର କଂଗ୍ରେସ ରାଜ୍ୟର ଅସ୍ବାଭାବିକ ପରିସ୍ଥିତି ବିଷୟରେ ଦିଲ୍ଲୀ ପର୍ଯ୍ୟନ୍ତ କଥା ନେବା ଅନେକ ଗୁରୁତ୍ୱ ବହନ କରୁଛି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ହେଲେ ରାଜ୍ୟ ଓ କେନ୍ଦ୍ରରେ ଭାଜପା ସରକାର ଥିଲେ ମଧ୍ୟ ମଣିପୁର ହିଂସା ବିଷୟରେ ସେଭଳି ତତ୍ପରତା ପ୍ରକାଶ ପାଉନାହିଁ। ଏହା ଜଣାଶୁଣା ଯେ, ମଣିପୁରରେ ଲାଗି ରହିଥିବା ନିଆଁରେ ସବୁ ଦଳ ଘିଅ ଢାଳୁଛନ୍ତି। ପ୍ରତି ସମ୍ପ୍ରଦାୟର ସଶସ୍ତ୍ର ଗୋଷ୍ଠୀମାନେ ପରସ୍ପର ମଧ୍ୟରେ ମରାମରି ହେଉଛନ୍ତି। କିନ୍ତୁ ହିଂସା ସହ ସମ୍ପୃକ୍ତ ନ ଥିବା ସାଧାରଣ ନାଗରିକଙ୍କର କ୍ଷତି ଘଟୁଛି। ସେମାନେ ବିସ୍ଥାପିତ ହୋଇ ଅସ୍ଥାୟୀ ଶିବିରରେ ଅତି ଦୟନୀୟ ଭାବେ ଜୀବନ କାଟୁଥିବାର ଛବି ଦେଖିବାକୁ ମିଳୁଛି। ଦୀର୍ଘ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ମଣିପୁର ଜଳୁଥିଲେ ମଧ୍ୟ ରାଜ୍ୟ କିମ୍ବା କେନ୍ଦ୍ର ସରକାର ସମ୍ପୃକ୍ତ ସମ୍ପ୍ରଦାୟ ମଧ୍ୟରେ ଶାନ୍ତି ସ୍ଥାପନ କରିବା ଲାଗି କୌଣସି ଠୋସ୍ ପଦକ୍ଷେପ ନେବାର ଦେଖାଯାଉନାହିଁ। ଭୋଟର ତାଲିକାରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) କରି ଏହି ରାଜ୍ୟରେ ୬.୩୩ ପ୍ରତିଶତ ମତଦାତାଙ୍କ ନାମ ବାଦ୍ ପକାଇବା ଯେମିତି ହୋଇଯାଇଛି କେନ୍ଦ୍ର ସରକାରଙ୍କ ମୂଳ କାର୍ଯ୍ୟ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଆସନ୍ତା ନିର୍ବାଚନରେ କିଏ ଜିତିବେ।