ଦୁଃଖ ବୁଝିବ କିଏ

ନିର୍ଦ୍ଦେଶ ଆସେ, ଦଶମ ବୋର୍ଡ ପରୀକ୍ଷାରେ ସରକାରୀ ବିଦ୍ୟାଳୟର ପିଲାଙ୍କ ଫଳାଫଳ ଯଥେଷ୍ଟ ଭଲ ହେବା ଏବଂ କୌଣସି ପିଲା ଅକୃତକାର୍ଯ୍ୟ ନ ହେବା ଜରୁରୀ। ନଚେତ୍‌ ବର୍ଦ୍ଧିତ ବେତନ ବନ୍ଦ ହେବା ସହ ଶିକ୍ଷକଙ୍କୁ ଦେବାକୁ ହେବ କୈଫିୟତ୍‌ ଉପରିସ୍ଥ ଅଧିକାରୀଙ୍କୁ। ଉପରିସ୍ଥ ଅଧିକାରୀ ପୁଣି ସ୍ପଷ୍ଟୀକରଣ ଦେବେ ତାଙ୍କ ଉପର ପାହ୍ୟାର ଅଧିକାରୀ, ଯୁଗ୍ମ ନିର୍ଦ୍ଦେଶକ ବା ନିର୍ଦ୍ଦେଶକଙ୍କୁ। ଶେଷରେ କଥା ପହଞ୍ଚିବ ଶିକ୍ଷା ସଚିବ ଓ ମନ୍ତ୍ରୀଙ୍କ କାନରେ। ଉପର ମହଲରେ ବସିବ ଉଚ୍ଚସ୍ତରୀୟ ବୈଠକ ଓ ନିଷ୍କର୍ଷର ପରିଣାମ ଭୋଗିବେ ନିରୀହ ଶିକ୍ଷକ ଗୋଷ୍ଠୀ। ଶିକ୍ଷାଦାନ ବ୍ୟତିରେକ ଆଉ କିଛି ଅଧିକ ଦାୟିତ୍ୱ ଲଦି ଦିଆଯିବ ତାଙ୍କ ମୁଣ୍ଡ ଉପରେ। ବର୍ଷର ୧୨ମାସ ଯାକ ସେମାନେ ଯେମିତି ନିଯୁକ୍ତ ରହିବେ ଶୈକ୍ଷିକ ସହ ବିଭିନ୍ନ ଅଣ ଶୈକ୍ଷିକ କାର୍ଯ୍ୟରେ। ଏତଦ୍‌ବ୍ୟତୀତ ବିଦ୍ୟାଳୟ ନିର୍ଘଣ୍ଟ ଅତିରିକ୍ତ, ପୂର୍ବାହ୍ଣ ୧୦ଟା ପୂର୍ବରୁ ବା ଅପରାହ୍ଣ ୪ଟା ପରେ ଏକ୍ସଟ୍ରା କ୍ଲାସ୍‌ କରିବା, ଗ୍ରୀଷ୍ମ ଅବକାଶରେ ବସ୍ତି ବସ୍ତି, ପଡ଼ା ପଡ଼ା, ସାହି ସାହି, ଗଳି ଗଳି ବୁଲି ଛୁଆଙ୍କୁ ପାଠ ପଢ଼ାଇବା, ବହି ବାଣ୍ଟିବା, ଔଷଧ ବାଣ୍ଟିବା, ତାଙ୍କ ଗୃହକାର୍ଯ୍ୟର ହିସାବ ନିକାଶ ରଖି ରିପୋର୍ଟ ଦେବା ଇତ୍ୟାଦି। ଫଳରେ ଶିକ୍ଷକ ତ ଶିକ୍ଷକ, ପିଲା ବି ଆଉ ଅବକାଶ ସମୟରେ ମାମୁଘର, ମାଉସୀଘର ବା ନିଜ ଗାଁକୁ ନ ଯାଇ ଘରେ ରହି ପାଠ ପଢ଼ିବେ। ଅଧିକାଂଶ ପିଲାଙ୍କ ପାଇଁ ସ୍ମାର୍ଟଫୋନ୍‌ ସ୍ବପ୍ନ ହୋଇଥିବା ବେଳେ ପ୍ରତ୍ୟକ୍ଷ (ଅପ୍‌ଲାଇନ) ପାଠପଢ଼ା ହିଁ ଏକମାତ୍ର ବିକଳ୍ପ। ଏଣୁ ଶିକ୍ଷକ ବି ରହିବାକୁ ବାଧ୍ୟ। ବେଶ୍‌ ଭଲ କଥା, ପଢ଼ାରେ ହେଲେ ଉନ୍ନତି କରିବେ ପିଲା, ବାଟକୁ ଆସିଯିବେ। ଶିକ୍ଷକଙ୍କ ଶ୍ରମ ବି ସାର୍ଥକ ହେବ। କିନ୍ତୁ ସବୁ ପିଲାଙ୍କ କ୍ଷେତ୍ରରେ ତାହା ସମ୍ଭବ ହୁଏନାହିଁ। କାରଣ କେତେଜଣ ଘରେ ଶୈକ୍ଷିକ ପରିବେଶ ପାଆନ୍ତିନାହିଁ, କେତେକଙ୍କ ଅଭିଭାବକ ଶିକ୍ଷା ପ୍ରତି ସଚେତନ ନ ଥାନ୍ତି, ଦିନରାତି ପିଲାଙ୍କୁ କାମରେ ଲଗାନ୍ତି, ପେଟପାଟଣାର ଦାୟରେ। ଅଧିକାଂଶ ଅଚେତନ, ଅଶିକ୍ଷିତ ଓ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନେ ହିଁ ତାଙ୍କ ପିଲାଙ୍କୁ ସରକାରୀ ବିଦ୍ୟାଳୟରେ ସବୁ ମାଗଣା ପାଇବା ଆଶାରେ ପଢ଼ାନ୍ତି। କିନ୍ତୁ ପରିତାପର ବିଷୟ, ପିଲା ଯଦି ଟିକେ ଭଲ ପଢ଼ିବାକୁ ଆରମ୍ଭ କଲା, ତେବେ ତା’ ଅଭିଭାବକ କାହା ପ୍ରରୋଚନାରେ ଆସି ତଳ ଶ୍ରେଣୀରୁ ହିଁ ପିଲାକୁ ପ୍ରବେଶିକା ପରୀକ୍ଷା ମାଧ୍ୟମରେ କେଉଁ ବେସରକାରୀ ସ୍କୁଲରେ ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ୍‌) କୋଟାରେ ବିନା ପଇସାରେ ଭର୍ତ୍ତି କରାଇ ଦିଅନ୍ତି। ପିଲାର ଭବିଷ୍ୟତ ପାଇଁ ଶିକ୍ଷକ ନୀରବ ରହନ୍ତି। ବାକି ପିଲାଙ୍କ ପିଛା ପୁଣି ସେ ଲାଗିପଡ଼ନ୍ତି ଦିନରାତି ଏକ କରି।
ତା’ପରେ ଆସେ ଆଦର୍ଶ ବିଦ୍ୟାଳୟରେ ଭର୍ତ୍ତିହେବା ନିମନ୍ତେ ପ୍ରବେଶିକା ପରୀକ୍ଷା। ଉପର ସ୍ତରରୁ ବାରମ୍ବାର ଚାପ ପଡ଼େ ଶିକ୍ଷକଙ୍କ ଉପରେ ଯଥା ସମ୍ଭବ ଅଧିକ ପିଲା କୃତକାର୍ଯ୍ୟ ହେବା ନିମନ୍ତେ ଚୟନ ପ୍ରକ୍ରିୟାରେ। ‘ଜାନ୍‌ ଯାଉ ମାନ୍‌ ଥାଉ’ ନୀତିରେ ଶିକ୍ଷକ ଲାଗିପଡ଼ନ୍ତି ଓ ସଫଳ ମଧ୍ୟ ହୁଅନ୍ତି ଏକ ଆଖିଦୃଶିଆ ସଂଖ୍ୟାରେ ପିଲାଙ୍କୁ ଆଦର୍ଶ ବିଦ୍ୟାଳୟକୁ ପଠାଇ। ଶିକ୍ଷକ ତାଙ୍କ ପ୍ରିୟ ଛାତ୍ରୀଛାତ୍ରଙ୍କୁ ବିଦାୟ ଦେଇ ଖୁବ୍‌ ଦୁଃଖୀ ଥିବାବେଳେ ପିଲାଙ୍କ ଭବିଷ୍ୟତ ଖାତିରରେ ମୁହଁରେ ହସ ଫୁଟାନ୍ତି। ସମୟକ୍ରମେ ଅନୁଷ୍ଠିତ ହୁଏ ଜବାହର ନବୋଦୟ ବିଦ୍ୟାଳୟରେ ଭର୍ତ୍ତିହେବା ନିମନ୍ତେ ପ୍ରବେଶିକା ପରୀକ୍ଷା। ଉପରିସ୍ଥ ଅଧିକାରୀଙ୍କ ତାଗିଦରେ ଲାଗିପଡ଼ନ୍ତି ଶିକ୍ଷକ। ତାଙ୍କ ଅକ୍ଲାନ୍ତ ପରିଶ୍ରମ ରଙ୍ଗ ଆଣେ। ବେଶ୍‌ ଥୋକେ ପିଲା ଉକ୍ତ ପରୀକ୍ଷାରେ କୃତକାର୍ଯ୍ୟ ହୁଅନ୍ତି। ଖୁସି ପ୍ରକଟ କରନ୍ତି ଅଧିକାରୀ। କିନ୍ତୁ ବିଚରା ଶିକ୍ଷକ ଭାଙ୍ଗିପଡନ୍ତି। ତାଙ୍କ ସ୍ବପ୍ନ ମରିଯାଏ। ସେ ନିଜ ହାତରେ ଗଢ଼ିଥିବା ସବୁ ପିଲା ଧୀରେ ଧୀରେ ତାଙ୍କୁ ପର କରି ଚାଲିଯାଆନ୍ତି, ସରକାରଙ୍କ ଶିକ୍ଷା ବ୍ୟବସ୍ଥା ଓ ନୀତି ଦ୍ୱାରା ନିରୂପିତ ତଥା ବିଭିନ୍ନ ବର୍ଗ ଓ ମାନକରେ ଆବଣ୍ଟିତ ବିଦ୍ୟାଳୟଗୁଡ଼ିକୁ। ସେତେବେଳେ ସେହି ଶିକ୍ଷକଙ୍କ ମନକୁ ଆସେ, ସରକାରୀ ସ୍କୁଲର ଶିକ୍ଷକଙ୍କ ଠାରୁ ବେତ ପ୍ରହାର ଓ ମଧ୍ୟାହ୍ନଭୋଜନ ଖାଇ, ମୁଁ ଆଜି ଏତେ ସକ୍ଷମ ହୋଇପାରିଛି । ସରକାରଙ୍କ ନିର୍ଦ୍ଦେଶରେ ସମାଜର କଲ୍ୟାଣ ନିମନ୍ତେ ବିଭିନ୍ନ କାର୍ଯ୍ୟ ମାଧ୍ୟମରେ ଯଥା ସମ୍ଭବ ସେବା ପ୍ରଦାନ କରିବା ସହ ଶହ ଶହ ପିଲାଙ୍କ ଭବିଷ୍ୟତ ଗଠନରେ ମୁଁ ମୋ ଜୀବନକୁ ବି ଉତ୍ସର୍ଗ କରିପାରିଛି।

  • ସୁସ୍ମିତା ମହାପାତ୍ର
    ରାଉରକେଲା
    ମୋ- ୭୯୭୮୪୪୯୨୧୮

Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri