କେଏଲ୍‌ ରାହୁଲଙ୍କ ସ୍ଥାନରେ କିଏ? ଭାରତ ପାଇଁ ୫-୬-୭ ନମ୍ବର ସ୍ଥାନରେ କିଏ ବ୍ୟାଟିଂ କରିବ ଜାଣନ୍ତୁ

ନୂଆଦିଲ୍ଲୀ,୧୧ା୧୧: ଭାରତୀୟ ଦିନିକିଆ ଦଳରେ କେଏଲ୍‌ ରାହୁଲଙ୍କ ସ୍ଥାନ ପୂରଣ କରିବା ସହଜ ନୁହେଁ। କାରଣ ସେ କେବଳ ୱିକେଟ୍‌କିପିଂ ନୁହେଁ, ବରଂ ଯେକୌଣସି ବ୍ୟାଟିଂ କ୍ରମରେ ଖେଳିବାର ଦକ୍ଷତା ରଖନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଦୁଇଟି ଦିନିକିଆ ମ୍ୟାଚ୍‌ ପାଇଁ ସେ ଦଳରେ ନାହାନ୍ତି । ତେଣୁ ତାଙ୍କ ସ୍ଥାନରେ କିଏ ଖେଳିବେ ଏବଂ ଭାରତର ୫, ୬ ଓ ୭ ନମ୍ବରରେ କେଉଁ ବ୍ୟାଟର୍‌ ଦାୟିତ୍ୱ ସମ୍ଭାଳିବେ, ତାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଓ ପଞ୍ଚମ ଟି-୨୦ ମ୍ୟାଚ୍‌ ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯିବ। ଏହି ସମୟରେ ଦଳ ଆଗରେ ଖେଳାଳି ଚୟନ ଏବଂ ବ୍ୟାଟିଂ କ୍ରମ ସ୍ଥିର କରିବା ବଡ଼ ଚ୍ୟାଲେଞ୍ଜ ହେବ।

କେଏଲ୍‌ ରାହୁଲ ୬ ନମ୍ବରରେ ଖେଳୁଥିବାରୁ ଭାରତ ପ୍ରଥମ ଦୁଇଟି ଦିନିକିଆରେ ଅକ୍ଷର ପଟେଲଙ୍କୁ ୫ ନମ୍ବରରେ ଖେଳାଇବାର ସୁଯୋଗ ପାଇଥିଲା। ରାହୁଲଙ୍କଠାରୁ ଇନିଂସ୍‌ ଶେଷ କରିବାର ଆଶା ରହିଥାଏ । ତେଣୁ ତାଙ୍କ ଅନୁପସ୍ଥିତିରେ ୫, ୬ ଓ ୭ ନମ୍ବର ସ୍ଥାନ ପାଇଁ ନୂଆ ଯୋଜନା କରିବାକୁ ପଡ଼ିବ। ଏହି ତିନୋଟି ସ୍ଥାନ ପାଇଁ ତିଲକ ବର୍ମା, ଋତୁରାଜ ଗାଏକ୍ୱାଡ଼, ନମନ ଧୀର ଓ ଅକ୍ଷର ପଟେଲଙ୍କ ଭଳି ଚାରି ଜଣ ଦାବିଦାର ଅଛନ୍ତି । ତେଣୁ ଶ୍ରେୟସ ଆୟର ଓ ଟିମ୍‌ ମ୍ୟାନେଜମେଣ୍ଟଙ୍କୁ କେବଳ ତିନି ଜଣ ଭଲ ବ୍ୟାଟର୍‌ ବାଛିବା ନୁହେଁ, ବରଂ ଦଳର ସନ୍ତୁଳନକୁ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ।

ଅକ୍ଷର ପଟେଲ ଅକଲାଣ୍ଡ ଓ ୱେଲିଂଟନ୍‌ ଦିନିକିଆରେ ୫ ନମ୍ବରରେ ବ୍ୟାଟିଂ କରିଥିଲେ । ଟପ୍‌ ଅର୍ଡରରେ ଚାରି ଜଣ ଡାହାଣହାତୀ ବ୍ୟାଟର୍‌ ଥିବାରୁ ମିଡିଲ୍‌ ଅର୍ଡରରେ ବାମହାତୀ ବ୍ୟାଟର୍‌ଙ୍କୁ ସାମିଲ କରିବାକୁ ଭାରତ ଚାହିଁପାରେ। ଏହି କାରଣରୁ ତିଲକ ବର୍ମାଙ୍କ ନାମ ଚର୍ଚ୍ଚାକୁ ଆସିଛି। ଅନ୍ୟପଟେ ଋତୁରାଜ ଗାଏକ୍ୱାଡ଼ ମଧ୍ୟ ଜଣେ ଦକ୍ଷ ବ୍ୟାଟର୍‌। ଯଦିଓ ସେ ସାଧାରଣତଃ ଟପ୍‌ ଅର୍ଡରରେ ବ୍ୟାଟିଂ କରନ୍ତି, ତଥାପି ୪ ନମ୍ବରରେ ଭାରତ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି। ଏହି ସ୍ଥାନରେ ୫ଟି ଇନିଂସ୍‌ରେ ସେ ୨୧୪ ରନ୍‌ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୭୧.୩୩ ରହିଥିବା ବେଳେ ଏଥିରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସାମିଲ ଅଛି।

ଗତ ୧୨ ମାସ ମଧ୍ୟରେ ଶ୍ରେୟସ ଆୟରଙ୍କ ଅନୁପସ୍ଥିତିରେ ଗାଏକ୍ୱାଡ଼ ୪ ନମ୍ବରରେ ଖେଳିଥିଲେ। ଏବେ ଆୟର ଫେରିବା ପରେ ଗାଏକ୍ୱାଡ଼ଙ୍କୁ ୫ ନମ୍ବରରେ ଖେଳାଇବା ନେଇ ବିଚାର କରାଯାଇପାରେ। ୬ ଓ ୭ ନମ୍ବର ସ୍ଥାନ ପାଇଁ ମଧ୍ୟ ଟିମ୍‌ ମ୍ୟାନେଜମେଣ୍ଟ ଆଗରେ ଚ୍ୟାଲେଞ୍ଜ ରହିଛି । ନମନ ଧୀରଙ୍କୁ ଫିନିଶର୍‌ ଭାବେ ସୁଯୋଗ ଦିଆଯାଇପାରେ। ତେବେ ଦିନିକିଆ କ୍ରିକେଟ୍‌ରେ ତାଙ୍କର ଅଧିକ ଅଭିଜ୍ଞତା ନାହିଁ । ଅନ୍ୟ ଏକ ବିକଳ୍ପ ହେଉଛନ୍ତି ଅକ୍ଷର ପଟେଲ।

ଏବେ ଦେଖିବାକୁ ବାକି ରହିଲା, ଟିମ୍‌ ଇଣ୍ଡିଆ କାହାକୁ କେଉଁ ସ୍ଥାନରେ ସୁଯୋଗ ଦେଉଛି। ରାହୁଲଙ୍କ ଅନୁପସ୍ଥିତିରେ ମିଡିଲ୍‌ ଅର୍ଡରର ଏହି ପରିବର୍ତ୍ତନ ଦଳର ପ୍ରଦର୍ଶନ ଉପରେ କି ପ୍ରଭାବ ପକାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

 

Dharitri – Odisha’s No.1 Odia Daily

Share