କିଏ କେଉଁଠି ଜାତୀୟ ପତାକା ଉତ୍ତୋଳନ କରିବେ

ଭୁବନେଶ୍ୱର,୯ା୮(ବ୍ୟୁରୋ):ଅଗଷ୍ଟ ୧୫ରେ କେଉଁ ମନ୍ତ୍ରୀ କେଉଁଠି ଜାତୀୟ ପତାକା ଉଡ଼ାଇବେ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ତାଲିକା ଘୋଷଣା କରାଯାଇଛି। ଉକ୍ତ ଘୋଷଣା ଅନୁଯାୟୀ, ଏସ୍‌ସି/ଏସ୍‌ଟି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା କନ୍ଧମାଳରେ ଜାତୀୟ ପତାକା ଉତ୍ତୋଳନ କରିବା ବେଳେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୁରୀ, କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଢେଙ୍କାନାଳ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବଲାଙ୍ଗୀର, ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କେନ୍ଦୁଝର, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ନୟାଗଡ଼, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କଟକ, ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ସୁନ୍ଦରଗଡ଼, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୟୂରଭଞ୍ଜରେ ପତାକା ତ୍ତତ୍ତୋଳନ କରିବେ। ସେହିପରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ବରଗଡ଼ରେ ପତାକା ଉତ୍ତୋଳନ କରିବା ବେଳେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ବାଲେଶ୍ୱର, ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗଞ୍ଜାମ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲ୍‌କିଆ କଳାହାଣ୍ଡି, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମାଲକାନଗିରି, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ପାତ୍ର ସମ୍ବଲପୁର, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ କୋରାପୁଟ, ଶ୍ରମ ଓ ନିୟୋଜନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଗଜପତି, କ୍ରୀଡ଼ା ଓ ଯୁବସେବା ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଖୋର୍ଦ୍ଧା, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ସୋନପୁର, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ନୂଆପଡ଼ା ଏବଂ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍‌ ଅନୁଗୋଳ ଜିଲାରେ ପତାକା ଉତ୍ତୋଳନ କରିବେ। ତେବେ ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଆର୍‌ଡିସି, ରାଉରକେଲାରେ ଉତ୍ତରାଞ୍ଚଳ ଆର୍‌ଡିସି ଏବଂ ଭଦ୍ରକ, ବୌଦ୍ଧ, ଦେବଗଡ଼, ଜଗତ୍‌ସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ନବରଙ୍ଗପୁର ଓ ରାୟଗଡ଼ାଠାରେ ଜିଲାପାଳମାନେ ଜାତୀୟ ପତାକା ଉତ୍ତୋଳନ କରିବାକୁ ସ୍ଥିର ହୋଇଛି।