କିଏ ଭାଙ୍ଗିବେ ସଚିନଙ୍କ ୧୦୦ ଶତକ ରେକର୍ଡ: ରେସ୍‌ରେ ସବୁଠୁ ଆଗରେ ଅଛନ୍ତି…

ନୂଆଦିଲ୍ଲୀ,୧୦।୧୧:କ୍ରିକେଟ ଜଗତରେ ଏବେ ପୁଣି ଚର୍ଚ୍ଚାରେ ବିରାଟ କୋହଲି ଓ ସଚିନ ତେନ୍ଦୁଲକରଙ୍କ ରେକର୍ଡ। ଗତ ୧୬ଟି ଦିନିକିଆ ଇନିଂସରେ ୪ଟି ଶତକ ହାସଲ କରିଛନ୍ତି କୋହଲି। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ତାଙ୍କର ୭୪ ରନ୍‌ର ଦମଦାର ଇନିଂସ ପୁଣିଥରେ ପ୍ରମାଣିତ କରିଛି ଯେ, ବୟସ ବଢ଼ିଲେ ମଧ୍ୟ ତାଙ୍କ ବ୍ୟାଟିଂ ଚମକ କମିନାହିଁ। ଏହାକୁ ନେଇ ଏବେ ପ୍ରଶ୍ନ ଉଠୁଛି, କୋହଲି କ’ଣ ସଚିନ ତେନ୍ଦୁଲକରଙ୍କ ୧୦୦ ଅନ୍ତର୍ଜାତୀୟ ଶତକର ମହାନ ରେକର୍ଡ ଭାଙ୍ଗିପାରିବେ।

ଏହି ଦୌଡ଼ରେ ଇଂଲଣ୍ଡର ଅଭିଜ୍ଞ ବ୍ୟାଟର ଜୋ ରୁଟ ମଧ୍ୟ ରହିଛନ୍ତି। ଟେଷ୍ଟ କ୍ରିକେଟ୍‌ରେ ସର୍ବାଧିକ ରନ୍‌ରେ ରେକର୍ଡ ହାସଲ କରିବା ଲକ୍ଷ୍ୟରେ ଥିବା ରୁଟଙ୍କ ନଜର ଏବେ ସଚିନଙ୍କ ୫୧ଟି ଟେଷ୍ଟ ଶତକ ରେକର୍ଡ ଉପରେ ମଧ୍ୟ ରହିଛି। କ୍ରିକେଟ୍‌ର ଫ୍ୟାବ-୪ ଭାବେ ପରିଚିତ ବିରାଟ କୋହଲି, ଜୋ ରୁଟ, ଷ୍ଟିଭ ସ୍ମିଥ ଓ କେନ ୱିଲିୟମସନଙ୍କ ମଧ୍ୟରୁ କିଏ ସଚିନଙ୍କ ରେକର୍ଡ ନିକଟରେ ପହଞ୍ଚିବେ, ତାହାକୁ ନେଇ କ୍ରିକେଟ ପ୍ରେମୀଙ୍କ ଉତ୍ସୁକତା ବଢ଼ିଛି।

ବିରାଟ କୋହଲି ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୮୬ଟି ଶତକ ହାସଲ କରିଛନ୍ତି। ଏଥିରେ ୫୫ଟି ଦିନିକିଆ, ୩୦ଟି ଟେଷ୍ଟ ଓ ଗୋଟିଏ ଟି-୨୦ ଶତକ ସାମିଲ ରହିଛି। ସଚିନଙ୍କ ୧୦୦ ଶତକର ରେକର୍ଡ ସହ ସମକକ୍ଷ ହେବାକୁ ତାଙ୍କୁ ଆଉ ୧୪ଟି ଶତକ ଆବଶ୍ୟକ।

କୋହଲିଙ୍କ ବର୍ତ୍ତମାନର ଫର୍ମକୁ ଦେଖିଲେ ସେ ଦିନିକିଆରେ ପ୍ରତି ୪.୨ ଇନିଂସରେ ଗୋଟିଏ ଶତକ ହାସଲ କରୁଛନ୍ତି। ପୂର୍ବରୁ ଏହି ହାର ୫.୬ ଇନିଂସ ଥିଲା। ଅର୍ଥାତ୍‌ ତାଙ୍କ ଶତକ ହାସଲ ହାରରେ ଉନ୍ନତି ଆସିଛି। କୋହଲି ପୂର୍ବରୁ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କର ପ୍ରମୁଖ ଲକ୍ଷ୍ୟ ୨୦୨୭ ଦିନିକିଆ ବିଶ୍ୱକପ। ଅନେକ କ୍ରିକେଟ ବିଶେଷଜ୍ଞ ଏହାକୁ ତାଙ୍କ କ୍ୟାରିୟରର ଶେଷ ବଡ଼ ଲକ୍ଷ୍ୟ ଭାବେ ଦେଖୁଛନ୍ତି।

କୋହଲି ନିଜ ଫିଟନେସ ଓ ଖେଳ ପ୍ରତି ଉତ୍ସାହ ବଳରେ ଏବେ ମଧ୍ୟ ଯୁବ ଖେଳାଳିଙ୍କୁ ଟକ୍କର ଦେଉଛନ୍ତି। ତେବେ ବୟସ ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ୨୦୨୭ ବିଶ୍ୱକପ ପର୍ଯ୍ୟନ୍ତ ତାଙ୍କୁ ସର୍ବାଧିକ ୩୫ଟି ମ୍ୟାଚ ଖେଳିବାର ସୁଯୋଗ ମିଳିପାରେ ବୋଲି ଆକଳନ କରାଯାଇଛି। ଏତେ କମ ମ୍ୟାଚ୍‌ରେ ୧୪ଟି ଶତକ ହାସଲ କରିବା ଏକ ବଡ଼ ଆହ୍ବାନ।

ବିରାଟ କୋହଲି ତିନୋଟି ଫର୍ମାଟ୍‌ରେ ନିଜର ଦବଦବା ଜାହିର କରିଥିବା ବେଳେ ଜୋ ରୁଟ ମୁଖ୍ୟତଃ ଟେଷ୍ଟ କ୍ରିକେଟ୍‌ରେ ଅଧିକ ସଫଳତା ହାସଲ କରିଛନ୍ତି। ଦିନିକିଆରେ ମଧ୍ୟ ତାଙ୍କ ରେକର୍ଡ ଭଲ ରହିଛି। ତେବେ ଟେଷ୍ଟ କ୍ରିକେଟ୍‌ରେ ସେ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି।

ରୁଟଙ୍କ ବୟସ ଏବେ ୩୫ ବର୍ଷରୁ ଅଧିକ। ତାଙ୍କ ଫିଟନେସ ଓ ବ୍ୟାଟିଂ ଫର୍ମ ମଧ୍ୟ ଭଲ ରହିଛି। ଗତ ଏକ ବର୍ଷ ମଧ୍ୟରେ ସେ ୫ଟି ଟେଷ୍ଟ ଶତକ ହାସଲ କରିଛନ୍ତି। ତେଣୁ ସଚିନଙ୍କ ଟେଷ୍ଟ ଶତକ ରେକର୍ଡ ନିକଟରେ ପହଞ୍ଚିବା ପାଇଁ ତାଙ୍କ ପାଖରେ ସୁଯୋଗ ରହିଛି।

ବିରାଟ କୋହଲି ଟେଷ୍ଟ କ୍ରିକେଟ୍‌ରୁ ଅବସର ନେବା ପରଠାରୁ ରୁଟ ୧୭ଟି ଟେଷ୍ଟର ୩୧ଟି ଇନିଂସ ଖେଳିଛନ୍ତି। ଏହି ସମୟ ମଧ୍ୟରେ ସେ ୨୨୧୫ଟି ବଲ୍‌ର ସମ୍ମୁଖୀନ ହୋଇ ୧୩୦୬ ରନ କରିଛନ୍ତି। ଏଥିରେ ୫ଟି ଶତକ ଓ ୪ଟି ଅର୍ଦ୍ଧଶତକ ରହିଛି।

ସଚିନ ତେନ୍ଦୁଲକରଙ୍କ ସର୍ବାଧିକ ଟେଷ୍ଟ ରନ୍‌ର ରେକର୍ଡଠାରୁ ରୁଟ ଏବେ ମଧ୍ୟ ୧୬୪୩ ରନ ପଛରେ ଅଛନ୍ତି। ଯଦି ସେ ପ୍ରତି ଟେଷ୍ଟରେ ହାରାହାରି ୭୬ ରନ କରନ୍ତି, ତେବେ ଏହି ରେକର୍ଡ ଛୁଇଁବାକୁ ତାଙ୍କୁ ପ୍ରାୟ ୨୧ଟି ଟେଷ୍ଟ ମ୍ୟାଚ ଆବଶ୍ୟକ ହେବ। ଜୋ ରୁଟ ପ୍ରତିବର୍ଷ ହାରାହାରି ୧୩ଟି ଟେଷ୍ଟ ଖେଳିଥାନ୍ତି। ଏହି ହାରରେ ଖେଳିଲେ ସଚିନଙ୍କ ଟେଷ୍ଟ ରନ ରେକର୍ଡ ଅତିକ୍ରମ କରିବାକୁ ତାଙ୍କୁ ପ୍ରାୟ ୩ ବର୍ଷ ସମୟ ଲାଗିପାରେ। ସେତେବେଳକୁ ରୁଟଙ୍କ ବୟସ ୩୯ ବର୍ଷ ହୋଇଯିବ। ତେଣୁ ଫିଟନେସ ଓ ନିରନ୍ତର ଫର୍ମ ବଜାୟ ରଖିବା ତାଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେବ।

ସଚିନଙ୍କ ରେକର୍ଡ କ୍ରିକେଟ ଇତିହାସରେ ଏକ ବିଶାଳ ମାଇଲଖୁଣ୍ଟ। କୋହଲି ଓ ରୁଟ ନିଜ ନିଜ ଫର୍ମାଟ୍‌ରେ ଏହି ରେକର୍ଡ ନିକଟରେ ପହଞ୍ଚିବାକୁ ଉଦ୍ୟମ କରୁଛନ୍ତି। ଏବେ ଦେଖିବାକୁ ବାକି ରହିଲା, କିଏ ପ୍ରଥମେ ସଚିନଙ୍କ ଐତିହାସିକ ରେକର୍ଡକୁ ଛୁଇଁପାରୁଛନ୍ତି।

 

Dharitri – Odisha’s No.1 Odia Daily

 

Share