ଭୁବନେଶ୍ୱର,୨୧ା୬(ସୁନିତ୍ ମିଶ୍ର): ରଥଯାତ୍ରା ପରେ ଭାଜପାକୁ ନୂଆ ରାଜ୍ୟ ସଭାପତି ମିଳିପାରନ୍ତି। ଏହା ପୂର୍ବରୁ ଦଳର ନୂଆ ସଭାପତି ଚୟନ କଥା ନେଇ କିଛି ସମ୍ଭାବନା ନାହିଁ। ଦଳର ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ଏଭଳି ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତୋମାର କହିଛନ୍ତି, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ସରିନାହିଁ। ଏବେ ରଥଯାତ୍ରା କାର୍ଯ୍ୟକ୍ରମ ରହିଛି। ମହାପ୍ରଭୁଙ୍କ ରଥଯାତ୍ରା ପରେ ଏନେଇ ହୋଇପାରେ। ଖୁବ୍ଶୀଘ୍ର ଦଳର ସାଙ୍ଗଠନିକ ନିଯୁକ୍ତି ପ୍ରକ୍ରିୟା ସରିବ ବୋଲି ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଭାଜପା କ୍ଷମତାକୁ ଆସିବାର ବର୍ଷେ ପୂରଣ ହୋଇସାରିଛି। ହେଲେ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ୬ ମନ୍ତ୍ରୀପଦ ପୂରଣ କରିନାହାନ୍ତି। କିଛିଦିନ ହେଲା ଏହି ୬ ମନ୍ତ୍ରୀ ପଦ ନେଇ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ଏବଂ ଆଲୋଚନା ହେଉଛି। ଏହି ଆଲୋଚନା ଭିତରେ କେତେଜଣ ନେତା ମଧ୍ୟ ମନ୍ତ୍ରୀପଦ ଲାଗି ଆଶାୟୀ ଅଛନ୍ତି। ତେଣୁ ସରକାର କୌଣସି ସମୟରେ ଏହି ୬ ମନ୍ତ୍ରୀ ପଦ ନେଇ ଘୋଷଣା କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି। ସେହିପରି ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ବର୍ଷେ ବିତିଯାଇଥିଲେ ମଧ୍ୟ କୌଣସି ବୋର୍ଡ ଓ ନିଗମର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିନାହାନ୍ତି। ତେଣୁ ଏହା ମଧ୍ୟ ରାଜ୍ୟ ସରକାର ଘୋଷଣା କରିବେ। ଅନ୍ୟପଟେ ଦଳ ସରକାରକୁ ଆସିବା ପରେ ସଭାପତି ଚୟନ ପ୍ରକ୍ରିୟା ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି। ହେଲେ ସଭାପତି ଚୟନରେ ଦଳରେ ବିଳମ୍ବ ହେବାରେ ଲାଗିଛି। ତେଣୁ ସଭାପତି ଚୟନ ପ୍ରକ୍ରିୟାକୁ ନେଇ ଦଳ ଭିତରେ ବିଭିନ୍ନ ସମୟରେ ଚର୍ଚ୍ଚା ଏବଂ ଆଲୋଚନା ଜୋର ଧରିଛି।


