ଯିଏ ଉଚ୍ଛେଦ ଦାବି କରୁଥିଲେ, ସେ ଜବରଦଖଲକାରୀ

ତିହିଡ଼ି,୩୧।୧(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ ଗୁଆମାଳ ପଞ୍ଚାୟତର ଗଣ୍ଡପଡ଼ା ଗ୍ରାମରେ ମଙ୍ଗଳବାର ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗ୍ରାମର ଖାତା ନଂ. ୧୪୨୮ ପ୍ଲଟ ନଂ. ୩୮୫୦ରେ ୧ ଡିସିମିଲ ସରକାରୀ ଜାଗାକୁ ଜବରଦଖଲ ମୁକ୍ତ କରାଯାଇଛି। ତେବେ ଜବରଦଖଲ ମୁକ୍ତ ଅଭିଯାନର ମୁଖ୍ୟ ନେତୃତ୍ୱ ନେଇଥିବା କେଶବ ସେନାପତିଙ୍କ ଘର ଭଙ୍ଗାଯିବା ଆଲୋଚନାର ବିଷୟ ହୋଇଛି। ସେହିପରି ତାଙ୍କ ଭାଇ ନାରାୟଣ ସେନାପତି ଉଚ୍ଛେଦ ଦାବି କରୁଥିଲେ, ହେଲେ ସେ ହିଁ ଜବରଦଖଲକାରୀ ବାହାରିଲେ ବୋଲି ଚର୍ଚ୍ଚା ହେଉଛି।
ଯେ, ଗଣ୍ଡପଡ଼ା ଗ୍ରାମ୍ୟରାସ୍ତାକୁ କେତେଜଣ ଲୋକ ଜବରଦଖଲ କରିଥିବା ନେଇ ଗ୍ରାମବାସୀ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିବା ସହ ସରକାରୀ ଜମି ଜବରଦଖଲ ମୁକ୍ତ ପାଇଁ ଦାବି ଜଣାଇଥିଲେ। ତହସିଲ କାର୍ଯ୍ୟାଳୟ ପକ୍ଷରୁ ଏକ ଅବରୋଧ ମାମଲା (ନଂ. ୪୪୨/୧୮-୧୯) ରୁଜୁ କରାଯାଇଥିଲେ ମଧ୍ୟ ଜବରଦଖଲ ମୁକ୍ତ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ପରେ ଗ୍ରାମର ନାରାୟଣ ସେନାପତିଙ୍କ ସମେତ ଅନ୍ୟମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନେ ରାଜ୍ୟ ସରକାର ଓ ଅନ୍ୟ କେତେକ ଗ୍ରାମବାସୀଙ୍କୁ ପକ୍ଷଭୁକ୍ତ କରି ଏକ ମାମଲା ନଂ. ଡବ୍ଲ୍ୟୁପି(ସି) ୧୦୧୮୦/୨୩ ରୁଜୁ କରିଥିଲେ। ହାଇକୋର୍ଟ ଏହି ମକଦ୍ଦମାର ବିଚାର କରି ସରକାରୀ ଜମିକୁ ଜବରଦଖଲ ମୁକ୍ତ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ତତ୍କାଳୀନ ତହସିଲଦାର ଏହାକୁ କାର୍ଯ୍ୟକାରୀ କରି ନ ଥିଲେ। ଏଥିରେ ଅସନ୍ତୋଷ ପ୍ରକାଶ କରି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଇଥିବା ନେଇ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୁନର୍ବାର ହାଇକୋର୍ଟ ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକ୍ରମେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ଗ୍ରାମରେ ସରକାରୀ ଜମି ଚିହ୍ନଟ କରାଯାଇଥିଲା। କେଶବ, ନାରାୟଣ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ଘରର କିଛି ଅଂଶ ସରକାରୀ ଜମି ଭୁକ୍ତ ବୋଲି ଜଣାପଡ଼ିଥିଲା। ଅନ୍ୟ ବ୍ୟକ୍ତି ଜଣକ ହାଇକୋର୍ଟରୁ ସ୍ଥିତାବସ୍ଥା ଜାହିର ନିର୍ଦ୍ଦେଶନାମା ଆଣିଥିବାରୁ ତାଙ୍କ ଘରକୁ ବାଦ୍‌ ଦେଇ କେଶବ ଓ ନାରାୟଣଙ୍କ ଘରର କିଛି ଅଂଶ ଭଙ୍ଗାଯାଇ ଜବରଦଖଲ ମୁକ୍ତ କରାଯାଇଛି। ଉଚ୍ଛେଦ ସମୟରେ ତହସିଲଦାର ଦେବୀପ୍ରସନ୍ନ ସାରସ୍ବତ, ଭଦ୍ରକ ଏସ୍‌ଡିପିଓ ସୌରଭ ଓତା, ତିହିଡ଼ି ଥାନା ଭାରପ୍ରାପ୍ତ ଅଧିକାରୀ ଅରୁନ୍ଧତୀ ବେହେରା, ଏସ୍‌ଆଇ ପ୍ରଣବ ଗିରି, କମଳାକାନ୍ତ ଶତପଥୀ, ରାଜସ୍ବ ନିରୀକ୍ଷକ ଅଭିଳାଷ ରଣା, ମୀନକେତନ ସେନାପତି, ସୁପରଭାଇଜର ଗିରିଶ ଚନ୍ଦ୍ର ନାୟକ, ଗୋଲକ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ। ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।