ଏବେ ଟାର୍ଗେଟ୍‌ କିଏ

ଯେଉଁ ମାନସିକତାରେ ଭାଜପା ନେତାମାନେ ଶାସନ କରିଆସୁଥିଲେ, ସେଥିରେ ପ୍ରଥମ ଟାର୍ଗେଟ୍‌ ଭାବେ ଭାରତର ମୁସଲମାନ ସମ୍ପ୍ରଦାୟକୁ ବୁଝାଯାଉଥିଲା। ମୁସଲମାନ ସମେତ ଅନ୍ୟ ସଂଖ୍ୟାଲଘୁ ଏବଂ ବିଶେଷକରି ହିନ୍ଦୁ ଧର୍ମର ଦଳିତମାନଙ୍କ ପ୍ରତି ଘୃଣା ଏହି ଶାସନ ବ୍ୟବସ୍ଥାର ମୂଳମନ୍ତ୍ର ହୋଇଥିଲା। ସେଥିପାଇଁ ପାକିସ୍ତାନ ରହିଆସିଛି ମୁଖ୍ୟ ଶତ୍ରୁ, ଯେତେବେଳେ କି ସେହି ଦେଶର ପ୍ରଶାସନ ଓ ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଧୂଳିସାତ୍‌ ହୋଇଗଲାଣି। ଭାରତରେ ହିନ୍ଦୁତ୍ୱ ଚିନ୍ତାଧାରାରେ ବିଶ୍ୱାସ କରୁଥିବା ନାଗରିକ ସବୁ ଜାଣିଥିବା ସତ୍ତ୍ୱେ ପାକିସ୍ତାନକୁ ଏକ ପିମ୍ପୁଡ଼ି ଭାବେ ସ୍ବୀକାର କରିବାକୁ ଅନିଚ୍ଛୁକ। ଏବେ ସେହି ପରିସ୍ଥିତିରେ ପରିବର୍ତ୍ତନ ଆସିଯାଇଛି। ପାକିସ୍ତାନ ପରିବର୍ତ୍ତେ ହଠାତ୍‌ ଚାଇନା ହୋଇଯାଇଛି ମୁଖ୍ୟ ଶତ୍ରୁ। ତାହା ସହିତ ନେପାଳଠାରୁ ଆରମ୍ଭ କରି ଶ୍ରୀଲଙ୍କା ପର୍ଯ୍ୟନ୍ତ ସବୁ ପଡ଼ୋଶୀ ରାଷ୍ଟ୍ର ମିଶିଗଲେଣି। ଚାଇନା ଏକ ଜଣାଶୁଣା ମୁସଲମାନ ବିରୋଧୀ ଦେଶ। ସେଠାକାର ଉଇଘୁର ମୁସଲମାନ ସମ୍ପ୍ରଦାୟକୁ ଯେଉଁଭଳି ବେଜିଂ ଦମନ କରିଚାଲିଛି, ସେହିଭଳି ଅତ୍ୟାଚାର ଅନ୍ୟ କେଉଁଠି ଦେଖିବାକୁ ମିଳିନାହିଁ। ଭାଜପା ସହିତ ଥିବା ଥିଙ୍କ୍‌ଟ୍ୟାଙ୍କ ବା ବୁଦ୍ଧିଜୀବୀଙ୍କ ମୁଣ୍ଡ ଚାଇନାର ଏହି ଭାରତ ବିରୋଧୀ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ବୁଝିବାରେ ଅସମର୍ଥ। ସେଥିପାଇଁ ନୂଆଦିଲ୍ଲୀର ବହିର୍ବ୍ୟାପାର ନୀତି ଏବେ ଭୁଶୁଡ଼ିବା ମନେହେଉଛି।
ସେହିଭଳି ଦେଶ ଭିତରକୁ ଦେଖିଲେ, ବିରୋଧୀଙ୍କୁ ସବୁବେଳେ ଗାନ୍ଧୀ ପରିବାରର ଗୋଡ଼ାଣିଆ ଆଖ୍ୟାଦେଇ ହାଲୁକା ଭାବେ ଉଡ଼େଇ ଦିଆଯାଇଥିଲା। କୃଷିନୀତିରେ କୃଷକମାରଣ ଦିଗକୁ ବୁଝିପାରୁଥିବା ଚାଷୀମାନେ ଯେଉଁ ବିପ୍ଳବ ଆରମ୍ଭ କଲେଣି, ସେଥିରେ କଂଗ୍ରେସ ବା ଗାନ୍ଧୀ ପରିବାରର ଗୁରୁତ୍ୱ ଥିଲାଭଳି ଦିଶୁନାହିଁ। ପଞ୍ଜାବର ଚାଷୀଙ୍କୁ କଂଗ୍ରେସ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରେନ୍ଦ୍ର ସିଂଙ୍କ ସାଙ୍ଗରେ ଯୋଡ଼ିଦେବା ହୋଇଛି ଏକ ତ୍ରୁଟି। ଚାଷୀ ଆନ୍ଦୋଳନରେ କୌଣସି ନେତା ନାହାନ୍ତି। ଯଦି କୌଣସି ଆନ୍ଦୋଳନକାରୀ ଭଲ ଇଂଲିଶ୍‌ରେ ନିଜର ପକ୍ଷ ରଖୁଛନ୍ତି, ତେବେ କୁହାଯାଉଛି ଯେ, ବାସ୍ତବ ଚାଷୀ ହୋଇଥିଲେ ଏଭଳି ଇଂଲିଶ୍‌ କହିପାରିନଥାନ୍ତେ। ଓଡ଼ିଶା ଭଳି ରାଜ୍ୟରେ ହୁଏତ ଏହି ମତ ସ୍ବୀକାରଯୋଗ୍ୟ ହୋଇପାରେ। କାରଣ ଏଠାରେ ବଡ଼ ଓ ଧନୀ ଚାଷୀ ନାହାନ୍ତି। ପଞ୍ଜାବ, ହରିୟାଣା, ତାମିଲନାଡ଼ୁ, କର୍ନାଟକ ଏପରିକି ମହାରାଷ୍ଟ୍ରରେ ଚାଷୀମାନେ ଅତ୍ୟନ୍ତ ସଚେତନ, ଧନୀ ଏବଂ ସେମାନଙ୍କ ନୂତନ ପିଢ଼ି ଉଚ୍ଚଶିକ୍ଷିତ। ଉତ୍ତର ଭାରତର ଅନେକ କୃଷକ ପରିବାରର ପିଲା ବିଦେଶରୁ ପାଠପଢ଼ି ଆସି ଚାଷରେ ନିୟୋଜିତ ହୋଇଛନ୍ତି। ସେହି ବଡ଼ଚାଷୀମାନେ ଚାଷର ବ୍ୟବସାୟିକ ଦିଗକୁ ଭଲଭାବେ ବୁଝିଥିବାରୁ ଭାଜପାର କୃଷିନୀତିକୁ ବିରୋଧ କରୁଛନ୍ତି।
ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ୩ଟି କୃଷି ବିଲ୍‌ ଗୃହୀତ ହେବା ପରେ ୨୭ ସେପ୍ଟେମ୍ବର ୨୦୨୦ରେ ରାଷ୍ଟ୍ରପତି ତାହାକୁ ଅନୁମୋଦନ କରିଥିଲେ। ବିଲ୍‌କୁ ନେଇ ପାର୍ଲାମେଣ୍ଟରେ ଘମାଘୋଟ ଲଢ଼େଇ ଚାଲିଥିଲା। ଏପରି କି ଏନ୍‌ଡିଏ ସରକାରରେ ସହଯୋଗୀ ଥିବା ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ବିଲ୍‌ରେ ଥିବା ବିବାଦୀୟ ଅଂଶକୁ ବିରୋଧ କରି ସମ୍ପର୍କ ଛିନ୍ନ କରିଥିଲା। ପଞ୍ଜାବ ଓ ହରିୟାଣା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ଚାଷୀମାନେ କୃଷି ଆଇନ ବିରୋଧରେ ଦୀର୍ଘଦିନ ହେବ ବିକ୍ଷୋଭ କରିବା ପରେ ୬ ଦିନ ହେବ ରାଜଧାନୀ ଦିଲ୍ଲୀରେ ଡେରା ପକାଇଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଓ ମଣ୍ଡି ବ୍ୟବସ୍ଥା ବନ୍ଦ କରାଯାଇ ନାହିଁ ବୋଲି ସରକାର ସଫେଇ ଦେଉଥିଲେ ମଧ୍ୟ ବିକ୍ଷୋଭକାରୀମାନେ ଉକ୍ତ ଆଇନ ପ୍ରତ୍ୟାହାର ଦାବିରେ ଅଡ଼ି ବସିଛନ୍ତି। ୩୦ ନଭେମ୍ବରରେ ଆନ୍ଦୋଳନରତ କୃଷକମାନେ ନରେନ୍ଦ୍ର ମୋଦି ସରକାର ସାମ୍ପ୍ରଦାୟିକ, ଫାସୀବାଦୀ ତଥା ଏକଚ୍ଛତ୍ରବାଦୀ ବୋଲି ଅଭିହିତ କରିଥିଲେ। ଏହା ପରେ ୧ ଡିସେମ୍ବରରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଏବଂ ସୋମ୍‌ ପ୍ରକାଶ କୃଷକ ସଙ୍ଗଠନ ସହ ଆଲୋଚନା କରିବାକୁ ବାଧ୍ୟ ହୋଇଥିଲେ। ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀମାନେ କୃଷକ ନେତାମାନଙ୍କୁ ଏମ୍‌ଏସ୍‌ପି ଏବଂ ମଣ୍ଡି ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ଏହାସହ ନୂଆ କୃଷି ଆଇନ ସମ୍ପର୍କରେ ଅଧିକ ଆଲୋଚନା ପାଇଁ ୪/୫ ଜଣ କୃଷକ ପ୍ରତିନିଧିଙ୍କ ନାମ ପ୍ରସ୍ତାବ ଦେବାକୁ କହିଛନ୍ତି। ଶେଷରେ ବୈଠକ ଅନିର୍ଣ୍ଣାୟକ ହୋଇଛି। ଏହିଭଳି ବିକ୍ଷୋଭ ଓ ଆଲୋଚନା ମନେପକାଉଛି ଉପା-୨ ସରକାର ସମୟରେ ଲୋକପାଳ ଦାବିରେ ହୋଇଥିବା ଆନ୍ନା ହାଜାରେଙ୍କ ପ୍ରତିବାଦ ଓ ତା’ର ସମାଧାନ ପାଇଁ ତତ୍କାଳୀନ ମନ୍ତ୍ରୀ ପ୍ରଣବ ମୁଖାର୍ଜୀଙ୍କ ନେତୃତ୍ୱରେ ବୈଠକ।
ଏଥିରୁ ବୁଝାପଡ଼ୁଛି, କୃଷକଙ୍କୁ ନ୍ୟାୟ ଦେବାରେ ସରକାର ବିଫଳ ହୋଇଛନ୍ତି। ଭିତିରି କଥା ହେଉଛି କୃଷିକୁ ସମ୍ପୂର୍ଣ୍ଣ ଭାବେ କର୍ପୋରେଟ୍‌ ହାତରେ ଟେକିଦେବାକୁ ସରକାର ଯେଉଁ ଫନ୍ଦିଫିକର କରିଥିଲେ, ସେହି ବିଷୟ ସାଧାରଣରେ ପ୍ରକାଶ ପାଇଯାଇଛି। ଯେତେବେଳେ ବଡ଼ କମ୍ପାନୀ ହାତକୁ ଚାଷଜମି ଚାଲିଯିବ, ସେତେବେଳେ ଚାଷୀମାନେ ଚାପି ହୋଇଯିବେ।
ଆଜିର କ୍ଷମତାସୀନ ଦଳ ଏକ ନୂଆ ଓ ଭିନ୍ନ ପ୍ରକାରର ଭାରତ ସୃଷ୍ଟି କରିବା ପାଇଁ ଘୋଷଣା କରି ନିର୍ବାଚନ ଜିତିଥିଲେ। ଜନସାଧାରଣଙ୍କ ଆଶା ଓ ବିଶ୍ୱାସ ଥିଲା ଯେ ଦୀର୍ଘକାଳ ଶାସନ କରି କଂଗ୍ରେସ ଯେଉଁ ପ୍ରକାର ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣକୁ ପ୍ରୋତ୍ସାହନ ଦେଇଥିଲା, ସେଥିରେ ପରିବର୍ତ୍ତନ ଆସିବ। କିନ୍ତୁ କ୍ଷୁଦ୍ର ଚିନ୍ତାଧାରାରେ ସୀମିତ ଏବଂ ଗୋପନୀୟ ଏଜେଣ୍ଡା ବା କାର୍ଯ୍ୟସୂଚୀ କାର୍ଯ୍ୟକାରୀ କରାଇବାକୁ ଯାଇ ଜାତୀୟ ଅର୍ଥନୀତି ଏବଂ ଦେଶର ମୂଳପିଣ୍ଡ କୃଷିକୁ ଘୋର କ୍ଷତି ପହଞ୍ଚାଇଲେଣି। ଧର୍ମର ଦ୍ୱାହି ଦେଇ ପେଟ ପୂରାଇବା ଅସମ୍ଭବ। ଏବେ କୃଷକଙ୍କ ବିରୋଧରେ ଯାଇ ପୋଲିସକୁ ଯେଉଁଭଳି ବ୍ୟବହାର କରାଯାଉଛି, ସେତେବେଳେ ଲାଲ୍‌ ବାହାଦୁର ଶାସ୍ତ୍ରୀଙ୍କ ‘ଜୟ ଯବାନ, ଜୟ କିଷାନ’ ଧ୍ୱନି ମନେପଡ଼ୁଛି। ଏବେ ସେହି କିଷାନ ବା କୃଷକଙ୍କ ବିରୋଧରେ ଠିଆ ହୋଇଛନ୍ତି ଯବାନ ବା ପୋଲିସ। ସେଥିପାଇଁ ପ୍ରଶ୍ନ ହୋଇପାରେ ଏବେ ଟାର୍ଗେଟ୍‌ କିଏ?


Enter your email to get our daily news in your inbox.

All Right Reserved By Dharitri.Com

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri