Categories: ଜାତୀୟ

କିଏ ସେହି ସିଦ୍ଧୁ ମୁସେୱାଲା?

ଅମୃତସର,୨୯।୫: ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଦିନ ଦ୍ୱିପହରରେ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। କିନ୍ତୁ ସିଦ୍ଧୁ ମୁସେୱାଲାଙ୍କ ଏହି ପ୍ରକାରର ହତ୍ୟା ପଞ୍ଜାବୀ ସଙ୍ଗୀତ ଶିଳ୍ପ ପାଇଁ ଏକ ବଡ଼ କ୍ଷତି।
ଗାୟକ ତଥା ରାପର ସିଦ୍ଧୁ ମୁସେୱାଲା ଜୁନ ୧୧, ୧୯୯୩ରେ ପଞ୍ଜାବର ମାନସା ଜିଲାର ମୁସା ଗାଁର ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପଞ୍ଜାବୀ ଫିଲ୍ମ ଏବଂ ସଙ୍ଗୀତ ଶିଳ୍ପରେ ନିଜର ଛାପ ଛାଡିଥିବା ସିଦ୍ଧୁ ମୁସେୱାଲାଙ୍କ ପ୍ରକୃତ ନାମ ଥିଲା ଶୁଭଦୀପ ସିଂ ସିଦ୍ଧୁ।
ସିଦ୍ଧୁ ମୋସୱାଲା ତାଙ୍କ କଲେଜ ଦିନରୁ ପଞ୍ଜାବୀ ସଙ୍ଗୀତ ଶିଳ୍ପ ଆଡକୁ ପାଦ ଦେବା ଆରମ୍ଭ କରିଥିଲେ। ସିଦ୍ଧୁ ମୁସେୱାଲାଙ୍କ ଗୀତ ଏବଂ ରାପିଙ୍ଗ ଶୈଳୀକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ। ମୁସେୱାଲା ଲୁଧିଆନାର ଗୁରୁ ନାନକ ଦେବ ଇଞ୍ଜିନିୟରିଂ କଲେଜରୁ ତାଙ୍କର ଇଞ୍ଜିନିୟରିଂ ପାଠ ଶେଷ କରିଥିଲେ।
ସିଦ୍ଧୁ ମୁସେୱାଲା ବର୍ଷ ବର୍ଷ ଧରି ରାପର-ଗାୟକ କରଣ ଅଜଲାଙ୍କ ସହ କିଛି ବିବାଦ ଚାଲିଥିଲା। ସୋସିଆଲ ମିଡିଆ ଏବଂ ଗୀତ ମାଧ୍ୟମରେ ଉଭୟ ଗାୟକ ପରସ୍ପରକୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଥିଲା। ମେ ୨୦୨୦ରେ, ମୁସେୱାଲାଙ୍କ ଦୁଇଟି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ତାଙ୍କୁ ଏକେ-୪୭ ଏବଂ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କ ସହିତ ବ୍ୟକ୍ତିଗତ ପିସ୍ତଲ ଚଳାଇବାରେ ତାଲିମ ନେଉଥିବାର ଦେଖାଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ମୁସେୱାଲାଙ୍କୁ ସାହାଯ୍ୟ କରୁଥିବା ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା। ଏହି ମାମଲାରେ ଆର୍ମସ ଆକ୍ଟ ଅନୁଯାୟୀ ମୁସେୱାଲାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ୨୦୨୦ ଡିସେମ୍ବରରେ ସିଦ୍ଧୁ ମୁସେୱାଲା ଖଲିସ୍ତାନକୁ ସମର୍ଥନ କରି ଚର୍ଚ୍ଚାକୁ ଆସିଥିଲେ।
ସିଦ୍ଧୁ ମୁସେୱାଲା ଡିସେମ୍ବର ୨୦୨୧ରେ କଂଗ୍ରେସରେ ଯୋଗ ଦେଇଥିଲେ। ନିକଟରେ ଶେଷ ହୋଇଥିବା ପଞ୍ଜାବ ନିର୍ବାଚନରେ ମୋଜୱାଲା ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏଥିରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା।

Share