Categories: Home Leftଖେଳ

କିଏ ଏହି ସାରାଂଶ ଜୈନ? ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ ଦଳରେ ମିଳିଲା ସୁଯୋଗ

ନୂଆଦିଲ୍ଲୀ, ୨୮।୭: ଶ୍ରୀଲଙ୍କା ବିରୋଧରେ ଆଗାମୀ ଅଗଷ୍ଟ ୧୫ରୁ ଆରମ୍ଭ ହେବାକୁ ଯାଉଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଟିମରେ ସାରାଂଶ ଜୈନଙ୍କୁ ପ୍ରଥମ ଥର ପାଇଁ ସ୍ଥାନ ମିଳିଛି, ଯିଏକି ମଧ୍ୟପ୍ରଦେଶର ଜଣେ ସ୍ପିନ ବୋଲିଂ ଅଲରାଉଣ୍ଡର୍‌ ଅଟନ୍ତି। ରବୀନ୍ଦ୍ର ଜାଡେଜାଙ୍କ ଟିମ୍‌କୁ ପ୍ରତ୍ୟାବର୍ତ୍ତନ ହୋଇଛି। ସେହିପରି ସାଇ ସୁଦର୍ଶନ ଏବଂ ଯଶପ୍ରୀତ ବୁମ୍‌ରାଙ୍କ ଉପଲବ୍ଧତା BCCI COE ଠାରୁ ଫିଟନେସ ଅନୁମୋଦନ ଉପରେ ନିର୍ଭର କରିବ। ୱାଶିଂଟନ ସୁନ୍ଦର ପ୍ରଥମ ଟେଷ୍ଟ ପାଇଁ ଚୟନ ନିମନ୍ତେ ଉପଲବ୍ଧ ନାହାଁନ୍ତି।

୧୫ ଜଣିଆ ଏହି ଟିମରେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟଜନକ ଖବର ହେଉଛି ସାରାଂଶ ଜୈନ। ମଧ୍ୟପ୍ରଦେଶର ଏହି ୩୩ ବର୍ଷୀୟ ଅଲରାଉଣ୍ଡର୍‌ ଦ୍ୱିତୀୟ ଶ୍ରେଣୀ କ୍ରିକେଟରେ ଏକ ଦଶନ୍ଧିରୁ ଅଧିକ ସମୟ ବିତାଇବା ପରେ ପ୍ରଥମ ଥର ପାଇଁ ସିନିୟର୍‌ ଭାରତୀୟ ଟିମରେ ସ୍ଥାନ ପାଇଛନ୍ତି। ଡାହାଣହାତୀ ଅଫ-ସ୍ପିନର୍‌ ଏବଂ ବାମହାତୀ ବ୍ୟାଟ୍ମ୍ୟାନ ଜୈନ ଲମ୍ବା ଫର୍ମାଟରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରିଆସୁଛନ୍ତି। ତାଙ୍କର ଏହି ଚୟନ ଶ୍ରୀଲଙ୍କା ବିପକ୍ଷରେ ରହିଥିବା ଭାରତ ‘ଏ’ ର ଚମତ୍କାର ଗସ୍ତ ପରେ ହୋଇଛି। ଜୈନ ଦ୍ୱିତୀୟ ବେସରକାରୀ ଟେଷ୍ଟର ପ୍ରଥମ ଇନିଂସରେ ଶ୍ରୀଲଙ୍କା ‘ଏ’ ର ଚାରୋଟି ଏବଂ ଦ୍ୱିତୀୟ ଇନିଂସରେ ଦୁଇଟି ଉଇକେଟ୍‌ ହାସଲ କରିଥିଲେ। ସେ ବ୍ୟାଟିଂରେ ମଧ୍ୟ ଅପରାଜିତ ୭୦ ରନ କରିଥିଲେ, ଯାହା ଫଳରେ ଭାରତ ‘ଏ’ ୧୦ ଉଇକେଟ୍‌ରେ ବିଜୟୀ ହୋଇ ଦୁଇ ମ୍ୟାଚ ବିଶିଷ୍ଟ ସିରିଜ ୧-୦ରେ ନିଜ ନାମରେ କରିଥିଲା।

Odisha’s No.1 Odia Daily