ଭାରତୀୟ ବଂଶୋଦ୍ଭବ ରିଷି ସୁନକ ହୋଇପାରନ୍ତି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ଲଣ୍ଡନ,୭।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଗୁରୁବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଦୁଇ ଦିନ ମଧ୍ୟରେ ୪୦ରୁ ଅଧିକ ମନ୍ତ୍ରୀ ତାଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ପରେ ତାଙ୍କ ଉପରେ ଚାପ ପଡିବାରୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ତେବେ ଜନସନଙ୍କ ପରେ କିଏ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ରେସ୍‌ରେ ସବୁଠୁ ଆଗରେ ଅଛନ୍ତି ଭାରତୀୟ ବଂଶୋଦ୍ଭବ ରିଷି ସୁନକ। ସେ ବୋରିଶ ଜନସନ ସରକାରରେ ଅର୍ଥ ମନ୍ତ୍ରୀ ଥିଲେ। ସୁନକ ଇନ୍‌ଫୋସିସ୍‌ ସହ-ସଂସ୍ଥାପକ ତଥା ପ୍ରଖ୍ୟାତ ବ୍ୟବସାୟୀ ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ। ୪୨ ବର୍ଷୀୟ ସୁନକ ୨୦୨୦ ଫେବୃୟାରୀରେ ବ୍ରିଟେନ୍‌ର ଅର୍ଥ ମନ୍ତ୍ରୀ ହୋଇ ଇତିହାସ ରଚିଥିଲେ।
ବ୍ରିଟେନର ଏମ୍‌ପି କ୍ରିସ ପିଞ୍ଚର ମଦ୍ୟପାନ କରି ଲୋକଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା। ସବୁ ଜାଣି  କ୍ରିସ ପିଞ୍ଚରଙ୍କୁ ପଦୋନ୍ନତି ନେଇଥିଲେ ଜନସନ। ଏହାକୁ ଅନେକ ଏମ୍‌ପି ବିରୋଧ କରିଥିଲେ। ପରେ ଅବଶ୍ୟ ବୋରିସ ଜନସନ ଏହି ଘଟଣାରେ କ୍ଷମା ମାଗିଥିଲେ। କିନ୍ତୁ ତାଙ୍କ ବିରୋଧରେ ମନ୍ତ୍ରୀମାନେ ମଧ୍ୟ ଅସନ୍ତୁଷ୍ଟ ଥିଲେ। ସେମାନେ ବୋରିସଙ୍କ ଇସ୍ତଫା ଦାବି କରିଥିଲେ। ଫଳରେ ଜନସନଙ୍କୁ ବିଦ୍ରୋହୀ ନେତାଙ୍କ ଦାବିରେ ମୁଣ୍ଡ ନୁଆଁଇବାକୁ ପଡିଛି।

Share