ନୂଆଦିଲ୍ଲୀ,୨୩।୭: ଦିଲ୍ଲୀରେ ଚାଲିଥିବା କକ୍ରୋଚ ଜନତା ପାର୍ଟି (CJP) ର ବିରୋଧ-ପ୍ରଦର୍ଶନ ମଧ୍ୟରେ ରାପିଡ ଆକ୍ସନ ଫୋର୍ସ (RAF)ର ଜଣେ ଅଧିକାରୀ ସୋନିଆ ସେହରାୱତ ଆଲୋଚନାର ବିଷୟ ପାଲଟିଛନ୍ତି। ସଂସଦ ମାର୍ଚ୍ଚର ଗୋଟିଏ ଦିନ ପରେ କଥିତ ଭାବରେ ଇନଷ୍ଟାଗ୍ରାମ ଷ୍ଟୋରୀ ପୋଷ୍ଟ କରିବା କାରଣରୁ ତାଙ୍କୁ ନେଇ ହଙ୍ଗାମା ସୃଷ୍ଟି ହୋଇଛି। ତାଙ୍କ ଷ୍ଟୋରିର ଏକ ସ୍କ୍ରିନସଟ ଭାଇରାଲ ହୋଇଛି, ଯେଉଁଥିରେ ପ୍ରଦର୍ଶନକାରୀମାନଙ୍କୁ ଅପମାନିତ କରାଯାଉଥିବା ଦୃଶ୍ୟମାନ ହେଉଛି। ସେହରାୱତ ମଧ୍ୟ ଜୁଲାଇ ୨୦ ତାରିଖରେ ସଂସଦ ମାର୍ଚ୍ଚ ଦିନ ଜନ୍ତର-ମନ୍ତରରେ ଉପସ୍ଥିତ ଥିଲେ।
ରିପୋର୍ଟ ଅନୁଯାୟୀ, ସେହରାୱତ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ଛୋଟ ରିଲ ପୋଷ୍ଟ କରିଥିଲେ, ଯାହା ପରେ ହଟାଇ ଦିଆଯାଇଥିଲା। ଷ୍ଟୋରୀରେ ଲେଖାଥିଲା, “ନିଜକୁ ତ ଠିକ କରି ପାରୁନାହାଁନ୍ତି ଏବଂ ଦେଶକୁ ଠିକ୍ କରିବାକୁ ଚାହୁଁଛନ୍ତି।” ଏହି କଥିତ ପୋଷ୍ଟ ଉପରେ CJP ତୀବ୍ର ସମାଲୋଚନା କରିଛି ଏବଂ ସେହରାୱତ ପ୍ରଦର୍ଶନକାରୀଙ୍କୁ ଉପହାସ କରିବା ସହିତ ନିରାପତ୍ତା ବାହିନୀର ବର୍ବରତାକୁ ଯଥାର୍ଥ ବୋଲି ପ୍ରମାଣିତ କରିବା ଅଭିଯୋଗ ଆଣିଛି। CJP ଏକ୍ସରେ ପୋଷ୍ଟ କରି କହିଛି, “ଏହି RAF ଅଧିକାରୀ ପ୍ରକୃତରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କୁ କକ୍ରୋଚ ବୋଲି ଭାବୁଛନ୍ତି ଏବଂ ଭାବୁଛନ୍ତି ଯେ ଏହି କାରଣରୁ ପୋଲିସର ବର୍ବରତା ଠିକ୍ ଥିଲା, କିନ୍ତୁ ଦେଖନ୍ତୁ, ଆମେ କକ୍ରୋଚ ଅଟୁ ଏବଂ କକ୍ରୋଚ କେବେ ମରନ୍ତି ନାହିଁ।”
TMC ସାଂସଦ ମହୁଆ ମୋଇତ୍ରା ମଧ୍ୟ ଏହାର ସମାଲୋଚନା କରିଛନ୍ତି। ସେ ଏକ୍ସରେ ଷ୍ଟୋରିର ସ୍କ୍ରିନସଟ ଶେୟାର କରି କହିଛନ୍ତି, “RAF ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସୋନିଆ ସେହରାୱତଙ୍କ ଇନଷ୍ଟା ପ୍ରୋଫାଇଲ ଆମର ପିଲାମାନଙ୍କୁ (ପ୍ରଦର୍ଶନକାରୀଙ୍କୁ) କକ୍ରୋଚ କହୁଛି।”