Categories: ଜାତୀୟ

ଚନ୍ନିଙ୍କ ପରେ ମୁଖ୍ୟମନ୍ତ୍ରୀ କିଏ

ନୂଆଦିଲ୍ଲୀ,୨୦।୯: ପଞ୍ଜାବରେ ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସ ପକ୍ଷରୁ କିଏ ମୁଖ୍ୟମନ୍ତ୍ରୀ ହେବେ ଏବେଠୁ ଚର୍ଚ୍ଚା ଜୋର୍‌ ଧରିଲାଣି। ଏନେଇ କଂଗ୍ରେସର ଉତ୍ତର ମଧ୍ୟ ଆସିଛି। ପିସିସି ସଭାପତି ନବଜୋତ୍‌ ସିଂ ସିଦ୍ଧୁ ଓ ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ସୋମବାର ଏଆଇସିସି ମୁଖପାତ୍ର ରଣଜିତ୍‌ ସୂର୍ଯ୍ୟଓ୍ବୋଲା ସ୍ପଷ୍ଟ କରିଛନ୍ତି।

ସିଦ୍ଧୁଙ୍କ ବିଦ୍ରୋହ ଆଗରେ କଂଗ୍ରେସ ହାଇକମାଣ୍ଡ ମୁଣ୍ଡ ନୁଆଇ ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦର ସିଂଙ୍କୁ ହଟାଇଦେଲେ। ତାଙ୍କ ସ୍ଥାନରେ ଦଳିତ ଚେହେରା ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଯାଇଛି। ତେବେ ଶାସନ କ୍ଷମତାର ଅସଲ ଚାବିକାଠି ସିଦ୍ଧୁଙ୍କ ହାତରେ ରହିବ ବୋଲି ଚର୍ଚ୍ଚା ହେଉଛି। ଏଭଳି ସମୟରେ ଆସନ୍ତା ନିର୍ବାଚନରେ କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ପ୍ରଶ୍ନ କରାଯିବାରୁ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାଓ୍ବତ୍‌ ସିଦ୍ଧୁ ହେବେ କହିଥିଲେ। ଏହାକୁ ନେଇ ବିଭିନ୍ନ ଦଳ ସମାଲୋଚନା କରିଥିବା ବେଳେ ଡ୍ୟାମେଜ୍‌ କଣ୍ଟ୍ରୋଲ କରିବାକୁ ଯାଇ କଂଗ୍ରେସ ଏବେ ଉଭୟ ସିଦ୍ଧୁ ଓ ଚନ୍ନିଙ୍କ ନାମ ଉଲ୍ଲେଖ କରିଛି।

Share