ଶତ୍ରୁଠାରୁ ଅଧିକ ଭୟଙ୍କର ହୋଇଥାନ୍ତି ଏଭଳି ଲୋକ; ସର୍ବଦା ଦୂରରେ ରୁହନ୍ତୁ; ଜାଣନ୍ତୁ କ’ଣ କୁହନ୍ତି…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରକୁ ନେଇ ବେଶ ପରିଚିତ। ଆଜି ବି ଲୋକେ ତାଙ୍କ ନୀତିରୁ ପ୍ରେରଣା ନେଇ ଜୀବନକୁ ସଫଳ କରିବାକୁ ପ୍ରୟାସ କରୁଛନ୍ତି। କାରଣ ଏପରି କରିବା ଦ୍ୱାରା ବ୍ୟକ୍ତି ନିରାଶା ଏବଂ ଦୁଃଖର ଜାଲରୁ ମୁକୁଳିପାରିଥାଏ। ଏହି କ୍ରମରେ ଚାଣକ୍ୟ ମନୁଷ୍ୟକୁ କିଛି ଲୋକଙ୍କଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି। କାରଣ ସେମାନେ ଶତ୍ରୁଠାରୁ ବି ଅଧିକ ଭୟଙ୍କର ହୋଇଥାନ୍ତି।

नैव पश्यति जन्मान्धः कामान्धो नैव पश्यति ।

मदोन्मत्ता न पश्यन्ति अर्थी दोषं न पश्यति ।।

ସ୍ବାର୍ଥପର: ଚାଣକ୍ୟ ଏହି ଶ୍ଳୋକରେ କହିଛନ୍ତି, ଯେଉଁଭଳି ଜନ୍ମରୁ ଅନ୍ଧ ବ୍ୟକ୍ତି କିଛି ଦେଖିପାରେ ନାହିଁ। ସେହିଭଳି ସ୍ବାର୍ଥପର ବ୍ୟକ୍ତିଙ୍କୁ ନିଜ ବ୍ୟତିତ ଆଉ କିଛି ଦେଖାଯାଏ ନାହିଁ। ଏଭଳି ଲୋକ ନିଜର ସ୍ବାର୍ଥ ପାଇଁ କାହାକୁ ବି ଅସୁବିଧାରେ ପକାଇପାରେ। ଏମାନେ ସ୍ବାର୍ଥ ପାଇଁ ବନ୍ଧୁତା କରନ୍ତି ଏବଂ ଅନ୍ୟମାନଙ୍କୁ ଫସାଇ ଦିଅନ୍ତି। ଏଥିପାଇଁ ସେମାନଙ୍କଠାରୁ ଦୂରରେ ରହିବା ଶ୍ରେୟସ୍କର। ଏଭଳି ବ୍ୟକ୍ତି ନିଜ ସହ ସାଙ୍ଗରେ ରହୁଥିବା ଲୋକଙ୍କ ଉପରେ ଖରାପ ପ୍ରଭାବ ପକାଇଥାନ୍ତି।

ଇର୍ଷାଳୁ: ଚାଣକ୍ୟ କୁହନ୍ତି ଦୁଷ୍ଟ ଅଥବା ଲୋଭୀ ବ୍ୟକ୍ତି ଅନ୍ୟର ସୁଖ ଦେଖିଲେ ଇର୍ଷା କରିଥାନ୍ତି। ଏମାନେ ନିଜେ ମଧ୍ୟ ଉନ୍ନତି କରିପାରନ୍ତି ନାହିଁ। ଏଣୁ ଅନ୍ୟର ନିନ୍ଦା କରିଥାନ୍ତି। ଏଭଳି ଲୋକ କେବଳ ଅନ୍ୟକୁ କ୍ଷତି ପହଞ୍ଚାଇବାକୁ ଚାହିଁଥାନ୍ତି। ଏମିତି କଲେ ତାଙ୍କୁ ଖୁସି ମିଳିଥାଏ। ଏଣୁ ଏହି ବ୍ୟକ୍ତିଙ୍କଠାରୁ ସର୍ବଦା ଦୂରରେ ରହିବା ଉଚିତ।

କାମୁକ ନଚେତ କ୍ରୋଧି ବ୍ୟକ୍ତି: ଚାଣକ୍ୟ କୁହନ୍ତି ଯେଉଁ ବ୍ୟକ୍ତି କାମୁକ ଏବଂ କ୍ରୋଧ ପରିପୂର୍ଣ୍ଣ ହୋଇଥାଏ। ସେମାନଙ୍କଠାରୁ ଦୂରରେ ରହିବା ଉଚିତ। କାରଣ ଏମାନଙ୍କ ବ୍ୟକ୍ତିତ୍ୱର ପ୍ରଭାବ ଅନ୍ୟ ଉପରେ ପଡ଼ିଥାଏ। ଏମାନେ ନିଜର ଇଚ୍ଛା ପୂରଣ କରିବାକୁ କାହାର ବି କ୍ଷତି କରିପାରନ୍ତି।