ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ ଭାରତୀୟ ସେନାରୁ ଅବସର ନେଇଛନ୍ତି। ପ୍ରାୟ ୧୨ ବର୍ଷ ସେନାରେ ସେବା ଦେବା ପରେ ସେ ସମୟ ପୂର୍ବରୁ ଅବସର ନେବାର ନିଷ୍ପତ୍ତି ନେଇଛନ୍ତି। ରାଷ୍ଟ୍ରପତିଙ୍କ ADC (Aide-de-Camp) ଭାବେ ତାଙ୍କ ଭୂମିକା ତାଙ୍କୁ ସାଧାରଣ ଲୋକଙ୍କ ମଧ୍ୟରେ ବେଶ୍ ପରିଚିତ କରିଥିଲା।
ରାଷ୍ଟ୍ରପତିଙ୍କ ସହ ତାଙ୍କର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପ୍ରାୟତଃ ଭାଇରାଲ ହେଉଥିଲା। ତେବେ ADC ହେବା ପୂର୍ବରୁ ମଧ୍ୟ ରିଷଭ ସାମ୍ବ୍ୟାଲଙ୍କ ସେନା କ୍ୟାରିୟର ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଭରପୂର ଥିଲା।
ମେଜର ରିଷଭ ସିଂହ ସାମ୍ବ୍ୟାଲ ୨୦୧୩ରେ NDA ପରୀକ୍ଷା ପାସ କରିଥିଲେ। ପରେ ସେ ୧୩୩ତମ NDA କୋର୍ସରେ ସାମିଲ ହୋଇଥିଲେ, ଯାହା ୨୦୧୪ରେ ଆରମ୍ଭ ହୋଇଥିଲା। ଏହା ପରେ ସେ Indian Military Academyରେ ମିଲିଟାରୀ ଷ୍ଟଡିଜ ଓ ଡିଫେନ୍ସ ମ୍ୟାନେଜମେଣ୍ଟ ଅଧ୍ୟୟନ କରିଥିଲେ। ସେନାର ପ୍ରାରମ୍ଭିକ କ୍ୟାରିୟରରେ ହିଁ ତାଙ୍କୁ ଗଣତନ୍ତ୍ର ଦିବସ ପରେଡ୍ରେ ନେତୃତ୍ୱ ନେବାର ସୁଯୋଗ ମିଳିଥିଲା। ୨୦୨୧ରେ କ୍ୟାପ୍ଟେନ ରିଷଭ ସାମ୍ବ୍ୟାଲ ଜାଟ ରେଜିମେଣ୍ଟର ଟୁକଡ଼ିକୁ ନେତୃତ୍ୱ ଦେଇଥିଲେ। ଏହି ଟୁକଡ଼ିକୁ ବେଷ୍ଟ ମାର୍ଚିଂ କଣ୍ଟିଜେଣ୍ଟ ଟ୍ରଫି ମଧ୍ୟ ମିଳିଥିଲା।
ରିଷଭ ସାମ୍ବ୍ୟାଲଙ୍କ ସେନା କ୍ୟାରିୟରର ଏକ ବଡ଼ ପର୍ଯ୍ୟାୟ ଥିଲା ରାଷ୍ଟ୍ରପତିଙ୍କ ADC ଭାବେ ନିଯୁକ୍ତି। ରିପୋର୍ଟ ଅନୁସାରେ, ସେ ମାର୍ଚ୍ଚ ୨୦୨୩ରେ ରାଷ୍ଟ୍ରପତିଙ୍କ ADC ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ADCଙ୍କ ଦାୟିତ୍ୱ କେବଳ ରାଷ୍ଟ୍ରପତିଙ୍କ ସହ ଆଧିକାରିକ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ମଧ୍ୟରେ ସୀମିତ ନୁହେଁ। ପ୍ରୋଟୋକଲ ମ୍ୟାନେଜମେଣ୍ଟ, କାର୍ଯ୍ୟକ୍ରମ ସମୟରେ ସୁରକ୍ଷା ବ୍ୟବସ୍ଥା ଓ ରାଷ୍ଟ୍ରପତିଙ୍କ ବ୍ୟସ୍ତ କାର୍ଯ୍ୟସୂଚୀ ସହ ଜଡ଼ିତ ଅନେକ ଦାୟିତ୍ୱ ମଧ୍ୟ ADCଙ୍କ ଉପରେ ରହିଥାଏ।
ରିଷଭ ସାମ୍ବ୍ୟାଲଙ୍କ ପ୍ରଫେସନାଲ ପ୍ରୋଫାଇଲରେ ପ୍ରୋଟୋକଲ ମ୍ୟାନେଜମେଣ୍ଟ, ଏକ୍ଜିକ୍ୟୁଟିଭ ସିକ୍ୟୁରିଟି ଓ ବରିଷ୍ଠ ସରକାରୀ ଅଧିକାରୀଙ୍କ ସହ କାମ କରିବାର ଅଭିଜ୍ଞତା ମଧ୍ୟ ରହିଛି। ବିଭିନ୍ନ ଦେଶ ସହ ଜଡ଼ିତ ଆଧିକାରିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ମଧ୍ୟ ସେ ଦାୟିତ୍ୱ ତୁଲାଇଛନ୍ତି।