Categories: ଖେଳ

କିଏ ସେହି ୨୦ ବର୍ଷୀୟ ଫାରୁକି, ଯାହାଙ୍କୁ ଏହି ଖାସ୍‌ କାମ ପାଇଁ ଭାରତ ଆସିବାକୁ ଧୋନୀଙ୍କ ଟିମ୍‌ରୁ ମିଳିଛି ଡାକରା

ନୂଆଦିଲ୍ଲୀ,୨୫।୩: ଆଉ ମାତ୍ର ଦୁଇ ସପ୍ତାହ ପରେ ଆରମ୍ଭ ହେବ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୧। ଏଥିଲାଗି ସମସ୍ତ ଫ୍ରାଞ୍ଜାଇଜ୍‌ ପ୍ରସ୍ତୁତି ଜୋରଦାର କରିଛନ୍ତି। ଧିରେ ଧିରେ ଖେଳାଳିମାନେ ନିଜ ନିଜ ଟିମ୍‌ର କ୍ୟାମ୍ପରେ ସାମିଲ ହେଉଛନ୍ତି। ସେଭଳି ଚେନ୍ନାଇ ସୁପରକିଙ୍ଗ୍ସ ଲାଗି ଭାରତରେ ପହଞ୍ଚିଛନ୍ତି ୨୦ ବର୍ଷୀୟ ଦ୍ରୁତ ବୋଲର ଫଜଲହକ୍‌ ଫାରୁକି। ସେ ସିଏସ୍‌କେ ଖେଲାଳିଙ୍କୁ ନେଟ୍‌ରେ ବୋଲିଂ କରାଇବେ ବୋଲି ଜଣାପଡ଼ିଛି। ଟିମ୍‌ରେ ନ ଥିଲେ ହେଁ ସେ ଜଣେ ନେଟ୍‌ ବୋଲର୍‌ ଭାବେ ତାଙ୍କ ସହ ଯୋଡ଼ି ହେବେ।

ଫଜଲହକ ୨୦୦୦ ସେପ୍ଟେମ୍ବର ୨୨ରେ ଆଫଗାନିସ୍ତାନରେ ଜନ୍ମଗ୍ରହଣ କରିଥିଲେ। ପିଲାଟିଦିନୁ କ୍ରିକେଟ ପାଇଁ ଆଗ୍ରହ ରଖିଥିବା ଏହି କ୍ରିକେଟର ୨୦୧୭ରେ ଫାଷ୍ଟ କ୍ଲାସ୍‌ କ୍ରିକେଟରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ପରେ ନିଜର ଦ୍ରୁତ ବୋଲିଂରେ ସେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଏଯାବତ ସେ ୧୨ଟି ଫାଷ୍ଟ କ୍ଲାସ ମ୍ୟାଚ୍‌ ଖେଳିସାରିଛନ୍ତି। ସେଥିରେ ସେ ୨୨ ଉଇକେଟ ନେଇଛନ୍ତି। ୨୬ ରନ୍‌ ଦେଇ ୬ ଉଇକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି। ପରେ ୨୦୧୮ରେ ସେ ଆଫଗାନିସ୍ତାନ ପ୍ରିମିୟର ଲିଗ୍‌ ଟୁର୍ନାମେଣ୍ଟରେ ସାମିଲ ହୋଇଥିଲେ। ଚଳିତ ବର୍ଷ ଏସିଆ କପ୍‌ ପାଇଁ ଆଫଗାନିସ୍ତାନର ଅଣ୍ଡର-୨୩ ଟିମ୍‌ରେ ତାଙ୍କୁ ଚୟନ କରାଯାଇଥିଲା। ଏଯାବତ ସେ ଜିମ୍ବାଓ୍ବେ ବିପକ୍ଷରେ ଗୋଟିଏ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଖେଳିଛନ୍ତି।

Share