Categories: ଫୁରସତ

ଯିଏ ମୋଟା ସିଏ ହିରୋ

ପୃଥିବୀରେ ଅନେକ ରହସ୍ୟମୟୀ ଜନଜାତି ଅଛନ୍ତି; ଯେଉଁମାନେ କି ବାହ୍ୟ ଦୁନିଆଠାରୁ ସମ୍ପୂର୍ଣ୍ଣଭାବେ ବିଚ୍ଛିନ୍ନ ହୋଇ ଜଙ୍ଗଲରେ ରୁହନ୍ତି। ଆଉ ସେମାନଙ୍କ ପରମ୍ପରା, ଚାଲିଚଳଣି ବି ଥାଏ ସମ୍ପୂର୍ଣ୍ଣ ଭିନ୍ନ। ସେମିତି ଏକ ଜନଜାତି ହେଉଛନ୍ତି ଇଥିଓପିଆର ‘ବୋଦୀ’ ଜନଜାତି। ନାରୀ ହୁଅନ୍ତୁ ଅବା ପୁରୁଷ ଭଲ ଦେଖାଯିବା ପାଇଁ ସମସ୍ତେ ସାଧାରଣତଃ ପତଳା ଶରୀର ଚାହାନ୍ତି। ହେଲେ ଏହି ଜନଜାତିରେ ସବୁଠାରୁ ମୋଟା ବ୍ୟକ୍ତିଙ୍କୁ ହିରୋ ଭାବେ ଗଣନା କରାଯାଏ। ତେଣୁ ସବୁଠାରୁ ମୋଟାବ୍ୟକ୍ତିର ମାନ୍ୟତା ପାଇବା ପାଇଁ ପୁରୁଷମାନେ ଏଠି ବିଭିନ୍ନ ଉପାୟ ଆପଣାନ୍ତି। ଏମିତିକି ଏଠାରେ ଏକ ପ୍ରତିଯୋଗିତାର ବି ଆୟୋଜନ କରାଯାଏ। ଦୀର୍ଘ ୬ ମାସ ଧରି ପ୍ରତିଯୋଗୀ ଏଥିପାଇଁ ପ୍ରସ୍ତୁତ ହୁଅନ୍ତି। ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପରେ ଉକ୍ତ ଜନଜାତିର ପୁରୁଷମାନେ ନାରୀଙ୍କ ସହ ସମ୍ବନ୍ଧ ରଖିପାରନ୍ତି ନାହିଁ। ଏକ କୁଡିଆରେ ଏକୁଟିଆ ରୁହନ୍ତି। ମୋଟା ହେବାଲାଗି ଗାଈ କ୍ଷୀରକୁ ଗାଈ ରକ୍ତରେ ମିଶାଇ ପିଅନ୍ତି। ଏହି ଜନଜାତିରେ ଗାଈକୁ ପବିତ୍ର ମନେକରାଯାଉଥିବାରୁ ଗାଈକୁ ହତ୍ୟା ନ କରି କେବଳ ତା’ର ଶିର କାଟି ରକ୍ତ ବାହାର କରିଥାନ୍ତି। କ୍ଷୀର ଓ ରକ୍ତ ଜମାଟ ବାନ୍ଧିବା ପୂର୍ବରୁ ତାକୁ ପିଆଯାଏ। ପ୍ରତିଯୋଗିତା ଦିନ କୁଡିଆରୁ ବାହାରିବା ପୂର୍ବରୁ ପୁରୁଷମାନେ ଶରୀରରେ ମାଟି ଓ ପାଉଁଶ ବୋଳି ହୁଅନ୍ତି। ପ୍ରସ୍ତୁତିର ୬ ମାସ ଭିତରେ କେହି କେହି ଏତେ ମୋଟା ହେଇଯାନ୍ତି ଯେ ଚାଲି ପାରନ୍ତି ନାହିଁ। ଆଉ ସବୁଠାରୁ ମୋଟା ବ୍ୟକ୍ତିଙ୍କୁ ବିଜେତାଭାବେ ବଛାଯିବା ପରେ ପବିତ୍ର ପଥରରେ ପଶୁ ବଳି ଦିଆଯାଇ ପ୍ରତିଯୋଗିତା ସମାପ୍ତ ହୁଏ। ଏହି ବିଜେତାଙ୍କୁ ହିରୋର ମାନ୍ୟତା ଓ ସମ୍ମାନ ମିଳେ। ଏହି ଜନଜାତିର ପୁରୁଷ ନଗ୍ନ ରୁହନ୍ତି ଓ ଅଣ୍ଟା ଚାରିପଟେ କପାସ ପଟି ବାନ୍ଧି ଥାନ୍ତି।

Share