ଫରମାନି ନାଜ୍‌ କିଏ? ଶିବ ଭଜନ ‘ହର୍‌ ହର୍‌ ଶମ୍ଭୁ’ ଗାଇ ଯିଏ ବିବାଦରେ, ମିଳୁଛି ଧମକ…

ବମ୍ବେ: ବିବାଦରେ ଗାୟିକା ଫରମାନି ନାଜ୍‌। ମୁସଲିମ୍‌ ଧର୍ମର ହୋଇଥିବା ସତ୍ତ୍ୱେ ସେ ଶିବ ଭଜନ ‘ହର ହର୍‌ ଶମ୍ଭୁ’ ଗାଇ ପ୍ରଥମେ ଚର୍ଚ୍ଚାର ପରିସରକୁ ଆସିଥିଲେ। ଶ୍ରାବଣ ମାସରେ କାଉଡିଆ ଯାତ୍ରା ଚାଲିଥିବାରୁ ତାଙ୍କ ଗୀତ ହିଟ୍‌ ହୋଇଥିଲା। ମାତ୍ର ଏହା ଇସଲାମ୍‌ ଧର୍ମର ବିରୋଧରେ ବୋଲି କହି ନାଜ୍‌ଙ୍କୁ ବିରୋଧ କରାଯାଉଛି। ଏହାକୁ ନେଇ ସେ ବିବାଦରେ ମଧ୍ୟ ଫସିଛନ୍ତି।

ନାଜ୍‌ଙ୍କ ବିଷୟରେ ବହୁତ କମ୍‌ ଲୋକ ଜାଣନ୍ତି। ତେବେ ସେ ଇଣ୍ଡିଆନ୍‌ ଆଇଡଲ୍‌ରେ ନଜର ଆସିଥିଲେ। ହେଲେ ଅଧାରୁ ତାଙ୍କୁ ଶୋ’ ଛାଡ଼ିବାକୁ ପଡ଼ିଥିଲା। ଏତେ ବଡ଼ ପ୍ଲାଟଫର୍ମରୁ ବାହାରିଥିଲେ ହେଁ ସେ ଗୀତ ଗାଇବା ବନ୍ଦ କରି ନ ଥିଲେ। ଏବେ ଶିବ ଭଜନ ଗାଇ ଚର୍ଚ୍ଚାକୁ ଆସିବା ପରେ ସେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ ଜଣେ କଳାକାର। ଏଣୁ ତାଙ୍କୁ ସବୁ ଗୀତ ଗାଇବାକୁ ପଡ଼ିବ। ସେ ନିଜର ଧର୍ମ ବିଷୟରେ ଭାବି ଗୀତ ଗାଆନ୍ତି ନାହିଁ। କାରଣ ଏଥିରୁ ତାଙ୍କର ପରିବାରର ଗୁଜରାଣ ମେଣ୍ଟିଥାଏ ବୋଲି ସେ କହିଛନ୍ତି।

ନାଜ୍‌ ମୁଜାଫରନଗର ବାସିନ୍ଦା। ସେ ୨୦୧୭ରେ ଇମରାନଙ୍କୁ ବିବାହ କରିଛନ୍ତି। ବିବାହର ବର୍ଷକ ପରେ ତାଙ୍କର ପୁଅ ହୋଇଥିଲା। ଏହାପରେ ତାଙ୍କ ଶାଶୁଘରଲୋକେ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏପରିକି ତାଙ୍କ ଶିଶୁପୁତ୍ରର ଚିକିତ୍ସା ନିମନ୍ତେ ଆବଶ୍ୟକ ଥିବା ଅର୍ଥ ବାପାଙ୍କ ଘରୁ ଆଣିବାକୁ କହୁଥିଲେ। ଏଥିରେ ଅତିଷ୍ଟ ହୋଇ ସେ ପୁଅଙ୍କ ସହ ବାପଘର ଚାଲି ଆସିଥିଲେ। ଏହାପରେ ନାଜ୍‌ଙ୍କ ସ୍ବାମୀ ଦ୍ୱିତୀୟ ବିବାହ କରିନେଇଥିଲେ। ୨୦୨୦ରେ ସେ ଇଣ୍ଡିଆନ ଆଇଡଲରେ ସେ ଭାଗ ନେଇଥିଲେ। ମାତ୍ର ପୁଅର ଦେହ ଖରାପ ଥିବା ଯୋଗୁ ସେ ଶୋ’କୁ ଅଧାରେ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଏବେ ସେ ୟୁଟ୍ୟୁବ୍‌ ଗାୟିକା ପାଲଟିଛନ୍ତି। ୟୁଟ୍ୟୁବ୍‌ରେ ନାଜଙ୍କ ୩.୮୪ ମିଲିୟନ ସବ୍‌ସ୍କ୍ରାଇବର ଅଛନ୍ତି। ନିକଟରେ ସେ ଗାଇଥିବା ହର ହର ଶମ୍ଭୁ ଗୀତକୁ ୭ ଲକ୍ଷରୁ ଅଧିକ ଲୋକେ ଦେଖିସାରିଲେଣି। ବିବାଦରେ ଫସିଥିଲେ ହେଁ ଅନେକ ମହଲରେ ତାଙ୍କ କଳାକୁ ପସନ୍ଦ କରାଯାଉଛି।

Share