Categories: ଜାତୀୟ

ଦୀପ ସିଦ୍ଧୁ କିଏ

ନୂଆଦିଲ୍ଲୀ,୨୮।୧: ଦିଲ୍ଲୀରେ କୃଷକ ଆନ୍ଦୋଳନ ହିଂସାମତ୍କ ରୂପ ନେବା ପରେ ଗୋଟିଏ ନାମ ଆଗକୁ ଆସୁଛି। ବିଭ୍ରାଟ ପାଇଁ ଦାୟୀ କରାଯାଉଥିବା ବ୍ୟକ୍ତି ଜଣକ ହେଲେ ଦୀପ ସିଦ୍ଧୁ। ତାଙ୍କୁ ସୋସିଆଲ ମିଡିଆଠୁ ନେଇ କୃଷକ ସଙ୍ଗଠନଗୁଡ଼ିକ ମଧ୍ୟରେ ନାନା ପ୍ରଶ୍ନ କରାଯାଉଛି।
ଦୀପ ସିଦ୍ଧୁ ହେଉଛନ୍ତି ଜଣେ ପଞ୍ଜାବୀ ଅଭିନେତା। ତାଙ୍କର ୬ଟି ଫିଲ୍ମ ରିଲିଜ ହୋଇଛି। ମୁକ୍ତସାର ଜିଲା ନିବାସୀ ଦୀପଙ୍କ ଫିଲ୍ମ ‘ଜୋରା ଦଶ ନମ୍ବରିଆ’ ୨୦୧୮ରେ ହିଟ୍‌ ହେବା ପରେ ସେ ରାତାରାତି ଷ୍ଟାର ପାଲଟିଯାଇଥିଲେ। ଅଭିନେତାରୁ ରାଜନେତା ସାଜିଥିବା ସନ୍ନି ଦେଓଲଙ୍କ ସହ ଦୀପଙ୍କ ସମ୍ପର୍କ ସମସ୍ତଙ୍କୁ ଜଣା। ୨୦୧୯ ଲୋକ ସଭା ନିର୍ବାଚନ ବେଳେ ପଞ୍ଜାବର ଗୁର୍‌ଦାସପୁର ଆସନରୁ ସନ୍ନି ଦେଓଲ ପ୍ରାର୍ଥୀ ହୋଇଥିଲେ। ଦୀପ ସିଦ୍ଧୁ ତାଙ୍କ ପାଇଁ ପ୍ରଚାର କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେଣୁ ସେ ଭାଜପାର ଜଣେ କର୍ମୀ ଭାବେ ପରିଚିତ। ଏହାବାଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ସହ ମଧ୍ୟ ଦୀପ ସିଦ୍ଧୁଙ୍କ
ସମ୍ପର୍କ ରହିଥିବା ଚର୍ଚ୍ଚା ହେଉଛି। ଉଭୟ ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ସହିତ ଦୀପ ସିଦ୍ଧୁଙ୍କ ଦୁଇଟି ପୃଥକ୍‌ ଫଟୋକୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଟୁଇଟ୍‌ କରିଛନ୍ତି। ସେଥିରେ ସେ ଲେଖିଛନ୍ତି, ଇଏ ହେଉଛନ୍ତି ସେହି ଦୀପ ସିଦ୍ଧୁ, ଯିଏକି ଭିଡ଼କୁ ଲାଲକିଲ୍ଲାକୁ ବାଟ କଢ଼ାଇ ନେଇଥିଲେ ଏବଂ ସେଠାରେ ଶିଖ୍‌ମାନଙ୍କ ଧାର୍ମିକ ପତାକା ଉଡ଼ାଇଥିଲେ। ଦୀପ ସିଦ୍ଧୁ ମଧ୍ୟ ଜାତୀୟ ପତାକା ସ୍ଥାନରେ ‘ନିଶାନ ସାହିବ’ ଉଡ଼ାଇବା କାର୍ଯ୍ୟକୁ ଏକ ଫେସ୍‌ବୁକ୍‌ ପୋଷ୍ଟରେ ଯଥାର୍ଥ ବୋଲି ଦର୍ଶାଇଛନ୍ତି। ତେବେ ତାଙ୍କର ଏହି କାର୍ଯ୍ୟକୁ ଦେଶବ୍ୟାପୀ ନିନ୍ଦା କରାଯାଇଛି। କୃଷକ ଆନ୍ଦୋଳନକୁ ଭଣ୍ଡୁର କରିବା ଲାଗି ଭାଜପା ତାଙ୍କୁ ନିୟୋଜିତ କରିଥିବା ଅଭିଯୋଗ ହୋଇଛି। ଏପରି କି ଖଲିସ୍ତାନ ଆନ୍ଦୋଳନ ଚଳାଇଥିବା ବିଚ୍ଛିନ୍ନତାବାଦୀ ସଙ୍ଗଠନ ଶିଖ୍‌ ଫର୍‌ ଜଷ୍ଟିସ୍‌ (ଏସ୍‌ଏଫ୍‌ଜେ) ସହ ମଧ୍ୟ ଏହି ଅଭିନେତାଙ୍କ ସମ୍ପର୍କ ଥିବା କୁହାଯାଉଛି।

Share