Categories: ଖେଳ

କିଏ ସେହି ଡାରିଲ ମିଚେଲ? ଇଂଲଣ୍ଡ ବିପକ୍ଷରେ ଚୌକା-ଛକା ବର୍ଷା କରି…

ଆବୁଧାବି,୧୧।୧୧: ଇଂଲଣ୍ଡଠାରୁ ୨୦୧୯ ଦିନିକିଆ ବିଶ୍ୱକପ ଫାଇନାଲ ହାରିବାର ପ୍ରତିଶୋଧ ନେଇଛି ନ୍ୟୁଜିଲ୍ୟାଣ୍ଡ। ବୁଧବାର ଏଠାକାର ଶେଖ ଜାଏଦ ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାକୁ କେନ ୱିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲ୍ୟାଣ୍ଡ ୬ ବଲ୍‌ ବାକି ଥାଇ ଜିତିଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରିତ ଇଂଲଣ୍ଡ ୨୦ ଓଭରରେ ୧୬୬ ରନ କରିଥିଲା। ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ ୫ ଉଇକେଟ ହରାଇ ୧୯ ଓଭରରେ ଟାର୍ଗେଟକୁ ହାସଲ କରିନେଇଥିଲା। ତେବେ ନ୍ୟୁଜିଲ୍ୟାଣ୍ଡ ଦଳ ୨୦୧୯ ଦିନିକିଆ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଥିଲା। ତା’ପରେ ୨୦୨୧ ରେ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍‌ ଫାଇନାଲ ଏବଂ ବର୍ତ୍ତମାନ ଟି -୨୦ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି।

ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଟି -୨୦ ବିଶ୍ୱକପ ୨୦୨୧ର ଏହି ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ବିଜୟର ହିରୋ ପାଲଟିଛନ୍ତି ଓପନର୍‌ ଡାରିଲ ମିଚେଲ। ସେ ୪ ଚୌକା ଓ ୪ ଛକା ସହାୟତାରେ ମାତ୍ର ୪୭ ବଲରେ ଅପରାଜିତ ୭୨ ରନ କରିଥିଲେ। ଏହି ଇନିଂସ ପାଇଁ ତାଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ ଭାବେ ବିଚାର କରାଯାଇଥିଲା। ମିଚେଲ ମଧ୍ୟ ମ୍ୟାଚରେ ବିଜୟୀ ଚୌକା ମାରିଥିଲେ। ଆସନ୍ତୁ ଜାଣିବା କିଏ ସେହି ଡାରିଲ।

୨୦ ମଇ ୧୯୯୧ ରେ ହାମିଲଟନରେ ଜନ୍ମଗ୍ରହଣ କରିଥିଲେ ଡାରିଲ । ୩୦ ବର୍ଷୀୟ ଏହି କ୍ରିକେଟର ନ୍ୟୁଜିଲ୍ୟାଣ୍ଡ ପାଇଁ ଏକ ଅଲରାଉଣ୍ଡର ଭୂମିକାରେ ତୁଲାଉଛନ୍ତି। ମିଚେଲ ଏକ ପ୍ରସିଦ୍ଧ ନାମ କାରଣ ତାଙ୍କ ପିତା ରଗବୀ କୋଚ ଜନ୍‌ ମିଚେଲଙ୍କ ପୁଅ। ଜନ ଏକ ଜଣାଶୁଣା ନାମ, କିନ୍ତୁ ଡାରିଲ କ୍ରିକେଟ ରେ କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ସେ ସଫଳ ମଧ୍ୟ ହୋଇଛନ୍ତି। ଟି -୨୦ ବିଶ୍ୱକପ ୨୦୨୧ ଅଭ୍ୟାସ ମ୍ୟାଚରେ ଓପନିଂରେ ଡାରିଲଙ୍କୁ ପଠାଯାଇଥିଲା। ପରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା।

ଡାରିଲଙ୍କ କ୍ୟାରିୟର ବିଷୟରେ କଥାହେଲେ ସେ ଏପର୍ଯ୍ୟନ୍ତ ୫ ଟି ଟେଷ୍ଟ, ୩ ଦିନିକିଆ ଏବଂ ୨୧ ଟି -୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ଟେଷ୍ଟର ୫ ପାଳିରେ ୨୩୨ ରନ୍‌ ସେ କରିଛନ୍ତି। ସେଥିରେ ୧ ଶତକ ଏବଂ ୧ ଅର୍ଦ୍ଧଶତକ ରହିଛି। ସେହିଭଳି ୩ ଦିନିକିଆର ଦୁଇଟି ପାଳିରେ ସେ ୧ ଶତକ ସହାୟତାରେ ୧୧୨ ରନ୍‌ କରିଛନ୍ତି। ଏହାଛଡ଼ା ୨୧ ଟି୨୦ ମ୍ୟାଚ୍‌ର ୧୯ ପାଳିରେ ୩୪୫ ରନ୍‌ କରିଛନ୍ତି। ବୋଲିଂରେ ସେ ଟେଷ୍ଟରେ ୧ ଏବଂ ଟି୨୦ରେ ୫ ଉଇକେଟ ନେଇଛନ୍ତି।

Share