Categories: ଜାତୀୟ

କିଏ ଦେଶଭକ୍ତ ଅବା ଦେଶଦ୍ରୋହୀ ତାହା ମୋଦିଙ୍କୁ ଅଜଣା: ପ୍ରିୟଙ୍କା

ବିଜନୌର,୧୫।୨: ଦେଶରେ ଲୋକଙ୍କୁ ଚିହ୍ନିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଲ୍‌ କରୁଛନ୍ତି। କିଏ ଦେଶଭକ୍ତ ଅବା ଦେଶଦ୍ରୋହୀ ତାହା ତାଙ୍କୁ ଅଜଣା। ଏହା ମଧ୍ୟରେ ଥିବା ଅନ୍ତର ସେ ଜାଣି ନାହାନ୍ତି। କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶ ବିଜନୌର କିଷାନ ମହାପଞ୍ଚାୟତର ଏକ ସଭାରେ ଯୋଗଦେଇ ଏଭଳି କହି ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ବାରମ୍ବାର ଚାଷୀ ଏବଂ ବେରୋଜଗାରଙ୍କ କଥା କହୁଥିବା ମୋଦି ଏପର୍ଯ୍ୟନ୍ତ ଏହି ଦୁଇକ୍ଷେତ୍ରରେ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଚାଷୀଙ୍କ ବିକାଶ ପାଇଁ କୃଷି ଆଇନ ପ୍ରଣୟନ କରାଯାଇଥିବା କୁହାଯାଉଛି। ତେବେ ଏହାକୁ ଚାଷୀ ଚାହୁଁ ନ ଥିବାବେଳେ କାହିଁକି ଏହାକୁ ଫେରାଇ ନିଆଯାଉନାହିଁ, ତାହା ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ୨୦୨୨ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ରାଜ୍ୟରେ କଂଗ୍ରେସର ସ୍ଥିତି ସୁଦୃଢ଼ କରିବା ଲାଗି ପ୍ରିୟଙ୍କା ପ୍ରୟାସ ଜାରି ରଖିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Share