ଚାଇନାକୁ ଦାୟିତ୍ୱ ଦେଲା ଡବ୍ଲ୍ୟୁଏଚ୍‌ଓ

ଜେନେଭା, ୪।୧୧:କରୋନା ମହାମାରୀ ସାରା ବିଶ୍ୱକୁ କାୟା ମେଲାଇ ଏବେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ କରିଥିବାବେଳେ ଏହି ଭୂତାଣୁର ଉତ୍ସ ସନ୍ଧାନ କରିବାରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଚାଇନା ନିକଟରେ ଏକପ୍ରକାର ଆତ୍ମସମର୍ପଣ କରିଥିବା ଦେଖାଯାଇଛି। ସଂକ୍ରମଣ ଆରମ୍ଭ ହେବାର ଦୁଇମାସ ପରେ ଫେବୃୟାରୀ ମଧ୍ୟଭାଗରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହାର ତଦନ୍ତ ଲାଗି ଚାଇନାରେ ପହଞ୍ଚତ୍ଥିଲେ। ଭୂତାଣୁର ମୂଳ ଉତ୍ସ କ’ଣ ବା କେଉଁ ପ୍ରାଣୀ ଦେହରୁ ଏହା ମାନବ ଶରୀରକୁ ଆସିଛି, ତାହା ଖୋଜି ବାହାର କରିବା ଏହି ତଦନ୍ତର ମୁଖ୍ୟ ଲକ୍ଷ୍ୟ ଥିଲା। ତାହା ଜଣାପଡ଼ିଥିଲେ ଭବିଷ୍ୟତରେ ଏଭଳି ସଂକ୍ରମଣକୁ ରୋକାଯାଇପାରିଥାନ୍ତା ବୋଲି ସେତେବେଳେ ଡବ୍ଲ୍ୟୁଏଚ୍‌ଓ ଜରୁରୀକାଳୀନ ନିର୍ଦ୍ଦେଶକ ମିଚେଲ ର଼୍ୟାନ୍‌ କହିଥିଲେ। ତେବେ ଟିମ୍‌ ସଦସ୍ୟମାନଙ୍କୁ ଏଥିପାଇଁ ଅନୁମତି ମିଳି ନ ଥିଲା। ଜରୁରୀ କମିଟିର ପରାମର୍ଶକ୍ରମେ ଡବ୍ଲ୍ୟୁଏଚ୍‌ଓ ନିଜ ବିଶେଷଜ୍ଞମାନଙ୍କୁ ତଦନ୍ତରୁ ଦୂରେଇ ନେଲା। ଚାଇନା କ’ଣ ପଦକ୍ଷେପ ନେଇଛି, ସେ ସମ୍ପର୍କରେ ସେମାନେ ପଚାରିଲେ ନାହିଁ କି ସେଠାର ଉହାନ ସହରରେ ଥିବା ପ୍ରାଣୀ ବଜାରକୁ ପରିଦର୍ଶନରେ ଗଲେ ନାହିଁ। ୯ ମାସ ପରେ କରୋନା ସଂକ୍ରମଣରେ ୧୧ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲେ ହେଁ ଭୂତାଣୁର ଉତ୍ସ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ବଚ୍ଛ ଓ ନିରପେକ୍ଷ ତଦନ୍ତ ହୋଇନାହିଁ।
ଏବେ ୟୁରୋପ ଓ ଆମେରିକାରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଥିବାବେଳେ ଚାଇନା ବାହ୍ୟ ତଦନ୍ତକାରୀଙ୍କ ତାଲିକାକୁ ଅନୁମୋଦନ କରିଛି। ତେବେ ଚାଇନାର ବିଶେଷଜ୍ଞମାନେ କରିଥିବା ଅଧ୍ୟୟନକୁ ଡବ୍ଲ୍ୟୁଏଚ୍‌ଓର ବିଶେଷଜ୍ଞମାନେ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି।

Share