ନୂଆଦିଲ୍ଲୀ,୨୮।୫: ଆଇପିଏଲ୍ ୨୦୨୬ର ଏଲିମିନେଟର୍ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ଏକତରଫା ଭାବେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ। ଏହି ମ୍ୟାଚ୍ରେ ରାଜସ୍ଥାନର ବିଜୟର ହିରୋ ସାଜିଛନ୍ତି ୧୫ ବର୍ଷୀୟ ଯୁବ ସେନସେଶନ୍ ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ ବ୍ୟାଟର୍ଙ୍କ ବିସ୍ଫୋରକ ଇନିଂସ ବଳରେ ରାଜସ୍ଥାନ ରୟାଲ୍ସ, ହାଇଦ୍ରାବାଦକୁ ୪୭ ରନରେ ହରାଇ କ୍ୱାଲିଫାୟର୍-୨ରେ ନିଜ ସ୍ଥାନ ପକ୍କା କରିଛି। ତେବେ ମ୍ୟାଚରେ ଆଉଟ ହେବା ପରେ ବୈଭବଙ୍କ ନିରାଶା ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।
ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୨୯ଟି ବଲ୍ରୁ ୯୭ ରନ୍ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ, ଯେଉଁଥିରେ ୧୨ଟି ଛକା ଏବଂ ୫ଟି ଚୌକା ସାମିଲ ଥିଲା। ଏହି ମ୍ୟାଚରେ ଶତକରୁ ମାତ୍ର ୩ ରନ ଦୂରରେ ଆଉଟ ହେବା ପରେ ବୈଭବ ପାଭିଲିୟନ ଫେରିବା ସମୟରେ ବହୁତ ନିରାଶ ଦେଖାଯାଇଥିଲେ। ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଠି ବୈଭବ ନିଜେ ନିଜ ସହ କଥା ହେଉଥିବା ଏବଂ ତାଙ୍କ ମୁହଁରେ କ୍ରୋଧ ତଥା ନିରାଶା ସ୍ପଷ୍ଟ ବାରି ହୋଇପଡୁଛି। ଏହାକୁ ନେଇ ୟୁଜର୍ସମାନଙ୍କ ମଧ୍ୟରେ ବିତର୍କ ଆରମ୍ଭ ହୋଇଯାଇଛି। କିଛି ୟୁଜର୍ସ ଦାବି କରୁଛନ୍ତି ଯେ ରାଗରେ ବୈଭବ ନିଜକୁ ହିଁ ଗାଳି ଦେଉଥିଲେ। ତେବେ ଭିଡିଓରେ କୌଣସି ଅଡିଓ ନ ଥିବାରୁ, ସେ ଗାଳି ଦେଉ ନ ଥିଲେ ବୋଲି ମଧ୍ୟ ଅନେକ ପ୍ରଶଂସକ ମତ ଦେଉଛନ୍ତି।
ବୈଭବ ଚଳିତ ସିଜନରେ କ୍ରମାଗତ ଭାବେ ରେକର୍ଡ ଭାଙ୍ଗି ଚାଲିଛନ୍ତି। ନକଆଉଟ ମ୍ୟାଚ୍ର ଚାପ ସତ୍ତ୍ୱେ ସେ ବେଶ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ସେ ୩୩୪.୪୮ ଷ୍ଟ୍ରାଇକ ରେଟ୍ରେ ଏହି ରନ ସଂଗ୍ରହ କରିଛନ୍ତି। ଏହି ଇନିଂସ ମଧ୍ୟରେ ସେ ମାତ୍ର ୧୬ ବଲ୍ରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ, ଯାହା ଆଇପିଏଲ ଇତିହାସରେ ପ୍ଲେ-ଅଫ୍ର ସଂଯୁକ୍ତ ଭାବେ ଦ୍ରୁତତମ ଅର୍ଦ୍ଧଶତକ ଅଟେ।
ବୈଭବ ଆଇପିଏଲ୍ ୨୦୨୬ରେ ଏପର୍ଯ୍ୟନ୍ତ ୬୮୦ ରନ ସଂଗ୍ରହ କରିସାରିଛନ୍ତି ଏବଂ ସେ ଅରେଞ୍ଜ କ୍ୟାପ (Orange Cap) ଦୌଡ଼ରେ ସବୁଠାରୁ ଆଗରେ ଅଛନ୍ତି। କ୍ୱାଲିଫାୟର୍-୨ ମ୍ୟାଚରେ ତାଙ୍କ ନଜର ଏକ ବଡ଼ ରେକର୍ଡ ଉପରେ ରହିବ। ଯଦି ସେ ପରବର୍ତ୍ତୀ ମ୍ୟାଚରେ ଆଉ ୨୦ ରନ୍ କରିନିଅନ୍ତି, ତେବେ ସେ ଜଣେ ’ଅନକ୍ୟାପ୍ଡ’ (Uncapped) ବ୍ୟାଟର ଭାବେ ଗୋଟିଏ ଆଇପିଏଲ ସିଜନରେ ୭୦୦ ରନ ସମ୍ପୂର୍ଣ୍ଣ କରିଥିବା ପ୍ରଥମ ଖେଳାଳି ହୋଇଯିବେ।
Dharitri – Odisha’s No.1 Odia Daily