Categories: ଖେଳ

ଧୋନୀ ନା ନେହେରା…. ଟି୨୦ ଟିମ୍‌ରୁ ଦ୍ରାବିଡ ହଟିଲେ କିଏ ହେବେ ଟିମ୍‌ ଇଣ୍ଡିଆ କୋଚ୍‌?

ନୂଆଦିଲ୍ଲୀ,୬।୧୨: ଟି୨୦ ବିଶ୍ୱକପ୍‌ ୨୦୨୨ରେ ପରାଜୟ ପରେ ଭାରତୀୟ ଦଳରେ ଅନେକ ପରିବର୍ତ୍ତନ ହେବାର ଆଶଙ୍କା ବୃଦ୍ଧି ପାଇଛି। ବିସିସିଆଇ ଏହି ଫର୍ମାଟ ଲାଗି ନୂତନ ଅଧିନାୟକ ଏବଂ କୋଚ୍‌ ନିଯୁକ୍ତ କରିବ ବୋଲି କୁହାଯାଉଛି। ବର୍ତ୍ତମାନ ସମୟରେ ରାହୁଲ ଦ୍ରାବିଡ ତିନୋଟି ଯାକ ଫର୍ମାଟରେ କୋଚ୍‌ ଭୂମିକା ତୁଲାଇ ଆସୁଛନ୍ତି। ଯଦି ଟି୨୦ ଲାଗି ନୂଆ କୋଚ୍‌ ନିଯୁକ୍ତ ହୁଅନ୍ତି ତେବେ ଭାରତୀୟ କ୍ରିକେଟ ଇତିହାସରେ ପ୍ରଥମ ଥର ଲାଗି ଦୁଇଜଣ କୋଚ୍‌ ଏକାସହ ଦାୟିତ୍ୱ ନିର୍ବାହ କରିବେ। ଏହି ଦୌଡ଼ରେ ପ୍ରଥମେ ଆଶିଷ ନେହେରା, ଭିଭିଏସ୍‌ ଲକ୍ଷ୍ମଣ ଆଦିଙ୍କ ନାମ ସାମ୍ନାକୁ ଆସୁଥିବା ବେଳେ ଏବେ ଅନେକ ନାମ ଏଥିରେ ଯୋଡ଼ି ହୋଇଛି। ଜାଣନ୍ତୁ:-

-ମହେନ୍ଦ୍ର ସିଂହ ଧୋନୀ: ଭାରତୀୟ ଟିମ୍‌କୁ ୩ ଅନ୍ତର୍ଜାତୀୟ ଟାଇଟଲ ଜିତାଇଥିବା ଧୋନୀ ଏହି ପୋଷ୍ଟ ଲାଗି ଆଗରେ ରହିଛନ୍ତି। ବର୍ତ୍ତମାନ ସମୟରେ ଅନେକ ଖେଳାଳି ତାଙ୍କ ସହ ଅଥବା ତାଙ୍କ ଅଧୀନରେ ଖେଳିବାର ଅଭିଜ୍ଞତା ରହିଛି। ଏମିତିରେ ତାଙ୍କୁ ସମସ୍ତେ ବୁଝନ୍ତି। ଟି୨୦ ବିଶ୍ୱକପ୍‌ ୨୦୨୧ ସମୟରେ ସେ କିଛି ଦିନ ଲାଗି ଭାରତୀୟ ଟିମ୍‌ ସହ ଯୋଡ଼ି ହୋଇଥିଲେ। ଏମିତିରେ ତାଙ୍କୁ ଦଳର କୋଚ୍‌ ଭୂମିକା ଦିଆଯାଇପାରେ ବୋଲି କୁହାଯାଉଛି।

-ଆଶିଷ ନେହେରା:- ଆଇପିଏଲ୍‌ରେ ପ୍ରଥମ ଥର ଲାଗି ସାମିଲ ହୋଇ ଟାଇଟଲ ହାତେଇଥିବା ଦଳ ପାଲଟିଥିଲା ଗୁଜରାଟ ଟାଇଟନ୍ସ। ଏହି ସଫଳତା ପଛରେ ରହିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୋଚ୍‌ ନେହେରା। ବର୍ତ୍ତମାନ ସମୟରେ ଟି୨୦ ଦଳ ଲାଗି ପାଣ୍ଡ୍ୟାଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରାଗଲେ ନେହେରାଙ୍କୁ କୋଚ୍‌ ଭୂମିକାରେ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି।

-ଭିଭିଏସ୍‌ ଲକ୍ଷ୍ମଣ: ରାହୁଲ ଦ୍ରାବିଡଙ୍କ ଅନୁପସ୍ଥିତିରେ ଏନ୍‌ସିଏ ନିର୍ଦ୍ଦେଶକ ଲକ୍ଷ୍ମଣ ଭାରତୀୟ ଦଳର କୋଚ୍‌ ଭୂମିକା ତୁଲାଇ ଆସୁଛନ୍ତି। ଏମିତିରେ ତାଙ୍କୁ ଟି୨୦ ଫର୍ମାଟର ଦାୟିତ୍ୱ ଦିଆଯାଇପାରେ ବୋଲି କୁହାଯାଉଛି।

-ଗୌତମ ଗମ୍ଭୀର: ୨୦୦୭ ଟି୨୦ ବିଶ୍ୱକପ୍‌ ଜିତାଇବାରେ ପ୍ରମୁଖ ଭୂମିକା ତୁଲାଇଥିବା ଗମ୍ଭୀର ନେତୃତ୍ୱ ନେବାରେ ନିଜକୁ ପ୍ରମାଣିତ କରିଛନ୍ତି। କୋଲକାତା ନାଇଟ୍‌ ରାଇଡର୍ସର ଅଧିନାୟକ, ଲକ୍ଷ୍ନୌ ସୁପର ଜିଆଣ୍ଟ୍ସର କୋଚ୍‌ ଭାବେ ସେ ଦାୟିତ୍ୱ ସମ୍ପାଦନ କରିବାର ଅଭିଜ୍ଞତା ରଖିଛନ୍ତି। ତାଙ୍କର ଆକ୍ରାମକ ସ୍ବଭାବ ଟି୨୦ ଫର୍ମାଟରେ ଦଳକୁ ଆଗେଇ ନେଇପାରନ୍ତି ବୋଲି କୁହାଯାଉଛି।

-ମହିଳା ଜୟବର୍ଦ୍ଧନେ: ଯଦି ଅଣଭାରତୀୟ କୋଚ୍‌ ଦେଖାଯାଏ ତେବେ ଆଇପିଏଲ୍‌ରୁ ଅନେକ ନାମ ଆସିପାରେ। ହେଲେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଜୟବର୍ଦ୍ଧନେ ଭାରତୀୟ ଦଳର କୋଚ୍‌ ହୋଇପାରନ୍ତି। ସେ ଆଇପିଏଲ୍‌ରେ ଅନେକ ଖେଳାଳିଙ୍କ ସହ କାମ କରିଛନ୍ତି। ଏଥିସହ କୋଚ୍‌ ଭାବେ ତାଙ୍କ ରେକର୍ଡ ମଧ୍ୟ ବହୁତ ଭଲ।

Share