ନୂଆଦିଲ୍ଲୀ,୨ା୩: ଦିଲ୍ଲୀ ସରକାର ଝିଅମାନଙ୍କ ଶିକ୍ଷା ଏବଂ ଆର୍ଥିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଲକ୍ଷପତି ବେଟିୟା ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାର ଲକ୍ଷ୍ୟ ହେଉଛି ଆର୍ଥିକ କାରଣରୁ କୌଣସି ଝିଅର ଶିକ୍ଷା ଯେମିତି ବାଧାପ୍ରାପ୍ତ ନ ହେବ। ତାଙ୍କୁ ତାଙ୍କର ସ୍ନାତକ କିମ୍ବା ଡିପ୍ଲୋମା ପାଠ୍ୟକ୍ରମ ସମାପ୍ତ କରିବାରେ ସହାୟକ ହେବ।
ସରକାରଙ୍କ ଅନୁଯାୟୀ, ଏହି ଯୋଜନା ପୁରୁଣା ଲାଡ୍ଲି ଯୋଜନାର ଏକ ନୂଆ ସଂସ୍କରଣ। ଯାହା ବର୍ତ୍ତମାନ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଝିଅମାନଙ୍କୁ ବର୍ଦ୍ଧିତ ପାଣ୍ଠି ଏବଂ ସହାୟତା ପ୍ରଦାନ କରେ। ତେବେ ଜାଣନ୍ତୁ ଏହି ଲକ୍ଷପତି ବେଟିୟା ଯୋଜନାରୁ କେଉଁମାନେ ଲାଭ ପାଇବେ ଏବଂ କ’ଣ ସବୁ ଡକ୍ୟୁମେଣ୍ଟ ଦରକାର…
ଲକ୍ଷପତି ବେଟିୟା ଯୋଜନା କେବଳ ସେହି ପରିବାର ପାଇଁ ଉପଲବ୍ଧ ଯେଉଁମାନଙ୍କର ବାର୍ଷିକ ଆୟ ୧.୨୦ ଲକ୍ଷରୁ ଅଧିକ ନୁହେଁ। ପରିବାର ଗତ ତିନି ବର୍ଷ ଧରି ଦିଲ୍ଲୀରେ ବାସ କରିଥିବା ଆବଶ୍ୟକ ଏବଂ ଝିଅ ଦିଲ୍ଲୀରେ ଜନ୍ମ ହୋଇଥିବା ଆବଶ୍ୟକ। ପ୍ରତି ପରିବାରରେ ସର୍ବାଧିକ ଦୁଇଟି ଝିଅ ଏହି ଯୋଜନା ପାଇଁ ଯୋଗ୍ୟ। ଏହା ବ୍ୟତୀତ ଜନ୍ମର ଗୋଟିଏ ବର୍ଷ ମଧ୍ୟରେ ଯୋଜନା ପାଇଁ ପଞ୍ଜୀକରଣ କରାଯାଇପାରିବ, କିମ୍ବା ସେମାନଙ୍କ ପାଠପଢ଼ା ସମୟରେ ଆବେଦନ କରାଯାଇପାରିବ। ଏହି ଯୋଜନାର ପରିସର ଏବେ ଦେଶର ଯେକୌଣସି ସରକାରୀ କିମ୍ବା ୟୁଜିସି ସ୍ବୀକୃତିପ୍ରାପ୍ତ ପ୍ରତିଷ୍ଠାନରୁ ସ୍ନାତକ କିମ୍ବା ଡିପ୍ଲୋମା ଡିଗ୍ରୀ ହାସଲ କରୁଥିବା ଝିଅମାନଙ୍କ ପାଇଁ ବୃଦ୍ଧି କରାଯାଇଛି। ଏହି ଯୋଜନା ଅଧୀନରେ ୨୧ ବର୍ଷ ବୟସ ପରେ ଏବଂ ଶିକ୍ଷାଗତ ଆବଶ୍ୟକତା ପୂରଣ କରିବା ପରେ ହିଁ ପରିପକ୍ୱତା ରାଶି ମିଳିବ।
ଏହି ଯୋଜନା ଅଧୀନରେ ସରକାର ବିଭିନ୍ନ କିସ୍ତିରେ ଝିଅମାନଙ୍କ ନାମରେ ମୋଟ ୫୬୦୦୦ ଜମା କରିବେ। ଏହି ରାଶି ଝିଅଙ୍କ ଜନ୍ମ ସମୟରେ ଏବଂ ବିଭିନ୍ନ ଶ୍ରେଣୀ ସମୟରେ ଟାନ୍ସଫର ହେବ। ସୁଧ ଯୋଡ଼ିବା ପରେ ୨୧ ବର୍ଷ ବୟସ ସୁଦ୍ଧା ଏହି ରାଶି ୧ ଲକ୍ଷରୁ ଅଧିକ ହୋଇପାରିବ। ପୂର୍ବ ଲାଡଲି ବେଟିୟା ଯୋଜନା ପାଣ୍ଠି ୧୯ ବର୍ଷ ବୟସରେ ଉଠାଯାଇପାରୁଥିବା ବେଳେ, ଏହାକୁ ବର୍ତ୍ତମାନ ଉଚ୍ଚଶିକ୍ଷା ସହିତ ସଂଯୋଗ କରାଯାଇଛି, ଯାହା ଦ୍ୱାରା ଝିଅମାନେ ସ୍ନାତକ କିମ୍ବା ଡିପ୍ଲୋମା ପାଠ୍ୟକ୍ରମ ସମାପ୍ତ କରିପାରିବେ।
ଏହି ଯୋଜନାର ଲାଭ ଉଠାଇବା ପାଇଁ ଡକ୍ୟୁମେଣ୍ଟଗୁଡ଼ିକରେ ଆୟ ପ୍ରମାଣପତ୍ର, ଦିଲ୍ଲୀରେ ତିନି ବର୍ଷର ବାସସ୍ଥାନର ପ୍ରମାଣପତ୍ର, ଝିଅର ଜନ୍ମ ପ୍ରମାଣପତ୍ର, ଆଧାର କାର୍ଡ, ଆଧାର-ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଏବଂ ସ୍କୁଲ କିମ୍ବା କଲେଜ ପ୍ରବେଶ ସହିତ ଜଡ଼ିତ ଡକ୍ୟୁମେଣ୍ଟ ଅନ୍ତର୍ଭୁକ୍ତ। ଏହି ଯୋଜନା ପାଇଁ ପଞ୍ଜୀକରଣ ଜନ୍ମ ସମୟରେ କିମ୍ବା ସ୍କୁଲ ସମୟରେ କରାଯାଇପାରିବ। ଏହା ବ୍ୟତୀତ ପରିପକ୍ୱତା ପରେ, ସମ୍ପୂର୍ଣ୍ଣ ରାଶି ସିଧାସଳଖ ଆଧାର-ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେବ।

