ପ୍ରତି ୧୦ ଜଣରେ ଜଣେ ହେବେ କରୋନା ପଜିଟିଭ!

ଜେନେଭା,୬ ।୧୦: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ)ସୋମବାର ଏକ ବୟାନରେ କହିଛି ବିଶ୍ୱରେ ପ୍ରତି ୧୦ ଜଣରେ ଜଣେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେବେ । ଡବ୍ଲୁଏଚ୍‌ଓର ଏହି ବୟାନକୁ ଲକ୍ଷ୍ୟ କଲେ ଏବେ ବିଶ୍ୱରେ କରୋନା ସଂକ୍ରମଣ ବଢିବାରେ ଲାଗିଛି ଯାହା ପୂର୍ବ ସଂକ୍ରମଣ ତୁଳନାରେ ୨୦ ପ୍ରତିଶତ ଅଧିକ ବୋଲି କୁହାଯାଉଛି । ଏହାସହ ଆଗକୁ ମଧ୍ୟ କରୋନା ସଂକ୍ରମଣ ଚିନ୍ତାଜନକ ହେବ ବୋଲି ଭବିଷ୍ୟବାଣୀ କରିଛି ଡବ୍ଲୁଏଚ୍‌ଓ । ଡବ୍ଲୁଏଚ୍‌ଓ ଜରୁରୀକାଳିନ କାର୍ଯ୍ୟକ୍ରମର ମୁଖ୍ୟ ଡା. ମାଇକେଲ ରିୟାନ କହିଛନ୍ତି ସହର ଓ ଗାଁରେ ସଂକ୍ରମିତଙ୍କ ସଂଖ୍ୟାରେ ପାର୍ଥକ୍ୟ ଦେଖାଯିବ । ହେଲେ ଏହା ସ୍ପଷ୍ଟ ଯେ ବିଶ୍ୱର ଅଧିକାଂଶ ଅଞ୍ଚଳ ଏବେ କରୋନା କବଳରେ ଆସି ସାରିଲେଣି । କରୋନା ସଂକମ୍ରଣକୁ ନେଇ ଆୟୋଜିତ ୩୪ତମ ସଂସଦୀୟ କାର୍ଯ୍ୟକାରୀ ବୋର୍ଡ ବୈଠକରେ ସେ କହିଛନ୍ତି ମାହାମାରୀ ଏବେ ବି ସଂକ୍ରମିତ ଅବସ୍ଥାରେ ରହିଛି । ଏହାସହ ଏବେ ସଂକ୍ରମଣକୁ କମ୍ କରିବା ଓ ଜୀବନ ବଞ୍ଚାଇବାକୁ ଉପାୟ ମଧ୍ୟ ମିଳିଲାଣି । ଯାହା ଫଳରେ କିଛି ମାତ୍ରାରେ ସଂକ୍ରମଣକୁ ରୋକିବା ସହ କେତେକ ଜୀବନ ବଞ୍ଚାଯାଇ ପାରିଛି । ଏବେ କରୋନା ସଂକ୍ରମଣରେ ସାଉଥ୍‌-ଇଷ୍ଟ ଏସିଆ ଦେଶର ଅବସ୍ଥା ବିଗିଡି ଯାଇଥିବା ସେ କହିଛନ୍ତି । ୟୁରୋପ ଓ ପଶ୍ଚିମ ଭୂମଧ୍ୟ ସାଗରୀୟ ଅଞ୍ଚଳରେ କରୋନା ମୃତ୍ୟୁ ସଂଖ୍ୟା ଅଧିକ ଦେଖିବାକୁ ମିଳିଛି । ହେଲେ ଆଫ୍ରିକା ଓ ପଶ୍ଚିମ ପ୍ରଶାନ୍ତ ଦେଶରେ ସ୍ଥିତି ଅଧିକ ସକରାତ୍ମକ ରହିଛି । ଡା. ରିୟାନ କହିଛନ୍ତି ସଦ୍ୟ ଅନୁମାନ ଅନୁଯାୟୀ, ବିଶ୍ୱର ପାଖାପାଖି ୧୦ ପ୍ରତିଶତ ଲୋକ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇ ସାରିଲେଣି । ଏବେ ଅଧିକ ସଂକ୍ରମିତ ଦେଶ ତାଲିକାରେ ସବୁଠାରୁ ଉପରେ ରହିଛନ୍ତି ଆମେରିକା ଓ ଭାରତ । ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୭୬ ଲକ୍ଷ ଅତିକ୍ରମ କରି ସାରିଥିବା ବେଳେ ଭାରତରେ ଏହି ସଂଖ୍ୟା ୬୬ ଲକ୍ଷ ଅତିକ୍ରମ କରି ସାରିଲାଣି । ଆଗକୁ ମଧ୍ୟ କିଛି ଦେଶରେ ଓ ସଂକ୍ରମଣ ହାର ବୃଦ୍ଧି ପାଇବ ବୋଲି ଡା. ରିୟାନ କହିଛନ୍ତି ।

Share