Categories: ଜାତୀୟ

ହ୍ବାଇଟ୍‌ ଫଙ୍ଗସ୍‌ ଅଧିକ ବିପଜ୍ଜନକ

ପାଟନା,୨୦।୫: ବ୍ଲାକ୍‌ ଫଙ୍ଗସ୍‌ ପରେ ବିହାର ରାଜଧାନୀ ପାଟନାରେ ଗୁରୁବାର ୪ ହ୍ବାଇଟ୍‌ ଫଙ୍ଗସ୍‌ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ରୋଗୀଙ୍କ ଚର୍ମକୁ ନଷ୍ଟ କରିବା ସହ ଫୁସ୍‌ଫୁସ୍‌କୁ ସଂକ୍ରମଣ କରୁଛି। ଅବହେଳା କଲେ ଜୀବନ ନେଇପାରେ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି। ହ୍ବାଇଟ୍‌ ଫଙ୍ଗସ୍‌ ବ୍ଲାକ ଫଙ୍ଗସ୍‌ ଠାରୁ ଅଧିକ ବିପଜ୍ଜନକ ବୋଲି କୁହାଯାଉଛି। ଡାଇବେଟିସ୍‌ ରୋଗୀ ଏବଂ ଯେଉଁମାନେ ଅଧିକ ଦିନ ପର୍ଯ୍ୟନ୍ତ ଷ୍ଟିରଏଡ୍‌ ନେଉଛନ୍ତି, ସେମାନଙ୍କଠାରେ ହ୍ବାଇଟ୍‌ ଫଙ୍ଗସ୍‌ ସଂକ୍ରମଣ ସମ୍ଭାବନା ଅଧିକ ରହିଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।
ପାଟନା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ୪ ହ୍ବାଇଟ୍‌ ଫଙ୍ଗସ୍‌ ରୋଗୀ ଚିକିତ୍ସିତ ହେଉଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହାକୁ ନେଇ କରୋନା ରୋଗୀଙ୍କ ମଧ୍ୟରେ ଏକପ୍ରକାର ଆତଙ୍କ ସୃଷ୍ଟି ହୋଇଛି। ଏହା ହ୍ବାଇଟ୍‌ ଫଙ୍ଗସ୍‌ ମାମଲା ବୋଲି ମେଡିକାଲର ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ଡ. ଏସ୍‌.ଏନ୍‌. ସିଂ ସ୍ପଷ୍ଟ କରିଛନ୍ତି। ଏଥିପାଇଁ ଉପଲବ୍ଧ ଚିକିତ୍ସା ପ୍ରଦାନ କରାଯାଉଥିବା ସେ କହିଛନ୍ତି। ବିହାରରେ ଏପର୍ଯ୍ୟନ୍ତ ୫୦ରୁ ଊର୍ଦ୍ଧ୍ୱ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଜଣେ ଡାକ୍ତର ଏବଂ ଜଣେ ମହିଳା ବ୍ଲାକ୍‌ ଫଙ୍ଗସ୍‌ରେ ପ୍ରାଣ ହରାଇଛନ୍ତି।

Share