ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭ ଫୁଟ ଲମ୍ବର ଏକ ଅଜଗରକୁ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଉଦ୍ଧାର କରିଛନ୍ତି। ଅଜଗର ସାପଟି ସେଠାରେ ରହି ଗର୍ଜନ କରୁଥିବା ବେଳେ କାମକରୁଥିବା କିଛି ଶ୍ରମିକ ସାପଟିକୁ ପ୍ରଥମେ ଦେଖିଥିଲେ। ଖବର ପ୍ରଚାରିତ ହେବାପରେ ସାପ ଦେଖିବାକୁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ହୋଇଥିଲା। ଏନେଇ ଦିଗପହଣ୍ଡି ବନବିଭାଗ କାର୍ଯ୍ୟାଳୟକୁ ସୂଚନା ଦିଆଯିବା ପରେ ବନ ବିଭାଗ କର୍ତ୍ତୃପକ୍ଷ ସ୍ନେକ୍ ହେଲ୍ପଲାଇନ ସଦସ୍ୟ କାଳିଆ ନାହାକଙ୍କୁ ଜଣାଇଥିଲେ। ସେ ସେଠାରେ ପହଞ୍ଚି ଅତ୍ୟନ୍ତ ସନ୍ତର୍ପଣ ସହକାରେ ପୁରୁଷ ପ୍ରଜାତିର ଅଜଗର ( ପାଇଥାନ ) ସାପକୁ ଧରି ନିକଟସ୍ଥ ଚାଙ୍ଗୁଡ଼ିଦେଇ ଜଙ୍ଗଲରେ ସୁରକ୍ଷିତ ଅବସ୍ଥାରେ ଛାଡିଥିଲେ। ଅଜଗରଟି କେନାଲ ପାଣିରେ ଭାସି ଆସିଥିବା ଲୋକେ ଅନୁମାନ କରିଛନ୍ତି। ଗତ କିଛିଦିନ ପୂର୍ବେ ଦିଗପହଣ୍ଡି ଏନ୍ଏସି ୩ ନଂ ଓ୍ବାର୍ଡ ପିଏଚ୍ଡି ରୋଡ୍ କେନାଲ କଡ଼ ମୋବାଇଲ ଟାଓ୍ବାର ନିକଟରୁ୍ ପ୍ରାୟ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଉଦ୍ଧାର କରି ନିକଟସ୍ଥ ଚାଙ୍ଗୁଡି ଦେଇ ଜଙ୍ଗଲରେ ଛାଡ଼ିଥିଲେ।
ଅପରପକ୍ଷରେ ବ୍ୟାପକ ଜଙ୍ଗଲ କ୍ଷୟ ଯୋଗୁ ନିକଟସ୍ଥ ଜଙ୍ଗଲରୁ ଅଜଗର ପରି ଅନ୍ୟ ବିଷାକ୍ତ ସାପଗୁଡ଼ିକ ବାରମ୍ବାର ଜନବସତି ଅଞ୍ଚଳକୁ ଚାଲି ଆସୁଥିବାର ପ୍ରାଣୀ ବିଜ୍ଞାନୀ ମତ ଦିଅନ୍ତି।