ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ମୃତଦେହ ଠାବ

ଢେଙ୍କାନାଳ ଅଫିସ୍‌/ସାତମାଇଲ(ଡି.ଏନ୍‌.ଏ.), ୨୬।୧: ଜୈବ ବିବିଧତାରେ ଭରପୂର ଢେଙ୍କାନାଳ ଜିଲାରୁ କେବେଠାରୁ ଲୋପ ପାଇଯାଇଛନ୍ତି ମହାବଳ ବାଘ। ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବଂଶବୃଦ୍ଧି ଏହି ଅଭାବବୋଧକୁ ସାମାନ୍ୟ ପୂରଣ କରିବ ବୋଲି ଆଶା କରାଯାଉଥିଲା। ହେଲେ ଏବେ ଏହି ପ୍ରଜାତି ମଧ୍ୟ ସୁରକ୍ଷିତ ନୁହନ୍ତି, ତାହା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ହିନ୍ଦୋଳ ରେଞ୍ଜ୍‌ ଖଜୁରିଆକଟା ସେକ୍ସନ ବାରିହାରଗଡ଼ି ଗ୍ରାମ ନିକଟ ନାଳରୁ ବୁଧବାର ସକାଳେ ଏକ କଲରାପତରିଆ ବାଘ ମୃତଦେହକୁ ବନ ବିଭାଗ ଠାବ କରିଛି। ବ୍ୟବଚ୍ଛେଦ ସମୟରେ ଏହାର ତଣ୍ଟିରେ କ୍ଷତ ଚିହ୍ନ ରହିଥିବା ଜଣାପଡ଼ିଛି। ବାଘମୃତ୍ୟୁକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବାବେଳେ ଶିକାରୀଙ୍କ ଫାଶରେ ପଡ଼ି ଏହାର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

ଅନୁଗୋଳସ୍ଥିତ ଆଞ୍ଚଳିକ ବନ ସଂରକ୍ଷକ ଏମ୍‌. ଯୋଗଜୟାନନ୍ଦ, ଢେଙ୍କାନାଳ ଜିଲା ଦାୟିତ୍ୱରେ ଥିବା କଞ୍ଜରଭେଟର ଅଫ୍‌ ଫରେଷ୍ଟ ଡ. ପ୍ରକାଶଚାନ୍ଦ ଗୋଗିନେନି, ଭୁବନେଶ୍ୱରରୁ ଆସିଥିବା ୩ ଜଣିଆ ଯୁଗ୍ମ ଟାକ୍ସଫୋର୍ସ ଦଳ, ହିନ୍ଦୋଳ ରେଞ୍ଜର ଲୋହିତ ରଥ ପ୍ରମୁଖ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି। ଅଣ୍ଡିରା ପ୍ରଜାତିର ଉକ୍ତ ବାଘର ଆନୁମାନିକ ବୟସ ୪ରୁ ୫ ବର୍ଷ ମଧ୍ୟରେ ହେବ। ଏହା ହିନ୍ଦୋଳ ରେଞ୍ଜ କୋଇ ସଂରକ୍ଷିତ ଜଙ୍ଗଲରୁ ଚାଲିଆସିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଯାଞ୍ଚ ବେଳେ ବାଘ ଶରୀରରେ କୌଣସି କ୍ଷତ ଚିହ୍ନ ନ ଥିଲା। ତେବେ ବ୍ୟବଚ୍ଛେଦ ସମୟରେ ତଣ୍ଟିରେ କ୍ଷତ ରହିଥିବା ଜଣାପଡ଼ିଛି। କେଉଁ କାରଣରୁ କଲରାପତରିଆର ମୃତ୍ୟୁ ଘଟିଲା, ତାହା ଜାଣିବା ପାଇଁ ନମୁନା ସଂଗ୍ରହ କରି ଭୁବନେଶ୍ୱରସ୍ଥିତ ଲାବରେଟୋରିକୁ ପଠାଯାଇଛି। ସେଠାରୁ ରିପୋର୍ଟ ମିଳିବା ପରେ କାରଣ ସ୍ପଷ୍ଟ ହେବ ବୋଲି କଞ୍ଜରଭେଟର ଅଫ୍‌ ଫରେଷ୍ଟ ଗୋଗିନେନି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ହିନ୍ଦୋଳ ରେଞ୍ଜ ଅଧୀନ କନ୍ଧରା, କୋଇ ସଂରକ୍ଷିତ ଜଙ୍ଗଲରେ ଗତ କିଛି ବର୍ଷ ହେଲା କଲରାପତରିଆ ବାଘ ସଂଖ୍ୟା ବୃଦ୍ଧି ଘଟୁଛି। ଶିକାରୀଙ୍କ ଲୋଲୁପ ଦୃଷ୍ଟିରୁ ବାଘଙ୍କୁ ସୁରକ୍ଷା ଦେବାକୁ ବନ ବିଭାଗ ବହୁବିଧ ପଦକ୍ଷେପ ହାତକୁ ନେଇଛି। ହେଲେ ବିଭିନ୍ନ ସମୟରେ ବାଘମୃତ୍ୟୁ ଚିନ୍ତାର କାରଣ ପାଲଟିଛି। ଗତବର୍ଷ କୋଇ ସଂରକ୍ଷିତ ଜଙ୍ଗଲରେ ଶିକାରୀ ଫାଶରେ ପଡ଼ି ଏକ କଲରାପତରିଆର ମୃତ୍ୟୁ ଘଟିଥିଲା। ଅଦ୍ୟାବଧି ଏହି ଘଟଣାରେ କୌଣସି ଅଭିଯୁକ୍ତ ଧରାପଡ଼ିନାହାନ୍ତି। ଏବେ ଆଉ ଏକ ବାଘର ମୃତ୍ୟୁ ଘଟିବା ପ୍ରାଣୀପ୍ରେମୀଙ୍କୁ ବ୍ୟଥିତ କରିଛି।