Categories: ଖେଳ

ଲାଇଭ୍‌ ମ୍ୟାଚ୍‌ ଚାଲିଥିବାବେଳେ ହଠାତ୍‌ ବିନା ବର୍ଷାରେ ପଡ଼ିଆରେ ବର୍ଷିଲା ପାଣି, ଆଉ ତା’ପରେ….

ନୂଆଦିଲ୍ଲୀ,୧୦।୩: ଆଜିକାଲି ମହିଳା ପ୍ରିମିୟର ଲିଗ ୨୦୨୪ ଚାଲିଛି। ଏହି ଲିଗରେ ଏପର୍ଯ୍ୟନ୍ତ ଅନେକ ରୋମାଞ୍ଚକର ମ୍ୟାଚ ଖେଳାଯାଇଛି। ସିଜିନର ୧୬ତମ ମ୍ୟାଚରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଜିଆଣ୍ଟସ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚର ଦ୍ୱିତୀୟ ଇନିଂସ ସମୟରେ ହଠାତ୍‌ ଏକ ଘଟଣା ଘଟିଥିଲା, ଯେଉଁଥିପାଇଁ ମ୍ୟାଚକୁ କିଛି ମିନିଟ ପାଇଁ ବନ୍ଦ କରିବାକୁ ପଡିଥିଲା। ମହିଳା ପ୍ରିମିୟର ଲିଗ ଇତିହାସରେ ଏହା ପୂର୍ବରୁ କେବେ ଦେଖାଯାଇ ନ ଥିଲା।
ଟସ ଜିତିବା ଏବଂ ପ୍ରଥମେ ବ୍ୟାଟିଂ କରିବା ପରେ ଗୁଜରାଟ ଜିଆଣ୍ଟସ ୨୦ ଓଭରରେ ୭ ଉଇକେଟ ହରାଇ ୧୯୦ ରନ ସଂଗ୍ରହ କରିଥିଲା। କ୍ୟାପଟେନ ବେଥ ମୁନି ୬୬ ରନ ଏବଂ ହେମଲତା ୭୪ ରନ ଇନିଂସ ଖେଳିଥିଲେ। ଏହାର ଜବାବରେ ମୁମ୍ବାଇ ଦଳ ସ୍କୋର ପିଛା କରୁଥିବାବେଳେ ମ୍ୟାଚର ୧୮ତମ ଓଭରରେ ମୁମ୍ବାଇ ୧୨ ବଲରେ ୨୩ ରନ ଆବଶ୍ୟକ କରୁଥିଲା, ସେତେବେଳେ ମ୍ୟାଚ ବନ୍ଦ କରିବାକୁ ପଡିଲା। ହଠାତ୍‌ ପଡିଆରେ ପାଣି ଝରଣା ଝରିବାକୁ ଲାଗିଲା। ଚାରିଆଡେ ଖାଲି ପାଣି ବର୍ଷା ହେଲା। ଏହା ପରେ ଖେଳକୁ କିଛି ସମୟ ଅଟକା ଯାଇଥିଲା। ପରେ ପଡିଆ ଶୁଖାଯାଇ ଖେଳ ଆରମ୍ଭ ହୋଇଥିଲା। ମୁମ୍ବାଇ ବିଜୟ ହାସଲ କରିଥିଲା।
କ୍ୟାପଟେନ ହରମାନପ୍ରୀତ କୌର ମୁମ୍ବାଇ ପାଇଁ ଏକ ଭଲ ଇନିଂସ ଖେଳିଥିଲେ। ସେ ୧୦ଟି ଚୌକା ଓ ପାଞ୍ଚ ଛକା ସହାୟତାରେ ୪୮ଟି ବଲରେ ଅପରାଜିତ ୯୫ ରନ ସ୍କୋର କରିଥିଲେ। ୟସ୍ତିକା ଭାଟିଆ ଆଠଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୬ ବଲରେ ୪୯ ରନ୍‌ର ଇନିଂସ ଖେଳିଥିଲେ।
ଏହି ବିଜୟ ସହିତ ମୁମ୍ବାଇ ଦଳ ପ୍ରଥମ ଦଳ ହୋଇ ମହିଳା ପ୍ରିମିୟର ଲିଗ ୨୦୨୪ର ପ୍ଲେ ଅଫ ରେ ପହଞ୍ଚିଛି।

Share