କେଉଁ ଭାରତୀୟ କ୍ରିକେଟରଙ୍କ ଘର ସବୁଠୁ ମହଙ୍ଗା? ଦାମ୍ ଜାଣିଲେ ଉଡ଼ିଯିବ ହୋସ୍!

ପଡ଼ିଆରେ ଚୌକା ଓ ଛକା ମାରି କୋଟି କୋଟି ପ୍ରଶଂସକଙ୍କ ହୃଦୟ ଜିତୁଥିବା ଭାରତୀୟ କ୍ରିକେଟରଙ୍କ ଜୀବନଶୈଳୀ ମଧ୍ୟ କୌଣସି ରାଜକୀୟ ବିଳାସପୂର୍ଣ୍ଣ ଜୀବନଶୈଳୀ ଠାରୁ କମ୍ ନୁହେଁ । କ୍ରିକେଟ୍‌ରୁ ନାଁ ଓ ପ୍ରଚୁର ଅର୍ଥ ଉପାର୍ଜନ କରିଥିବା ଏହି ଖେଳାଳିମାନଙ୍କ ଆଲିଶାନ ଘର ଦେଖିଲେ ଏହାର ଅନୁମାନ କରିହେବ । ମୁମ୍ବାଇର ସମୁଦ୍ରକୂଳରେ ଥିବା ବଙ୍ଗଳାଠାରୁ ଆରମ୍ଭ କରି ଗୁରୁଗ୍ରାମର ଦାମୀ ସମ୍ପତ୍ତି ପର୍ଯ୍ୟନ୍ତ, ଏହି ଘରଗୁଡ଼ିକର ମୂଲ୍ୟ କୋଟି କୋଟି ଟଙ୍କା ବୋଲି ବିଭିନ୍ନ ରିପୋର୍ଟରେ ଦାବି କରାଯାଇଛି । ତେବେ ପ୍ରଶ୍ନ ଉଠୁଛି, କେଉଁ ଭାରତୀୟ କ୍ରିକେଟରଙ୍କ ଘରର ମୂଲ୍ୟ ସବୁଠୁ ଅଧିକ? ଏହି ଚର୍ଚ୍ଚାରେ ସର୍ବପ୍ରଥମେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାଁ ଆସିଥାଏ।

ବିଭିନ୍ନ ରିପୋର୍ଟ ଅନୁଯାୟୀ, ସଚିନ ତେନ୍ଦୁଲକରଙ୍କ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଥିବା ବିଳାସପୂର୍ଣ୍ଣ ବଙ୍ଗଳା ଭାରତୀୟ କ୍ରିକେଟରଙ୍କ ସବୁଠୁ ଦାମୀ ଘର ମଧ୍ୟରେ ଗଣାଯାଏ। ଏହି ଘରର ଆନୁମାନିକ ମୂଲ୍ୟ ୧୦୦ରୁ ୧୫୦ କୋଟି ଟଙ୍କା ମଧ୍ୟରେ ଥିବା କୁହାଯାଉଛି। ସଚିନ ୨୦୦୭ ମସିହାରେ ଏହି ବଙ୍ଗଳାର ଜମିକୁ ପ୍ରାୟ ୩୯ କୋଟି ଟଙ୍କାରେ କିଣିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ପ୍ରାୟ ୬,୦୦୦ ବର୍ଗଫୁଟ ଅଞ୍ଚଳରେ ଏହି ଘର ଅବସ୍ଥିତ ବୋଲି କୁହାଯାଏ । ୨୦୧୧ ମସିହାରେ ସଚିନ ନିଜ ପରିବାର ସହ ଏହି ଘରକୁ ରହିବାକୁ ଆସିଥିଲେ।

ଦାମୀ ଘର ତାଲିକାରେ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ହରିୟାଣାର ଗୁରୁଗ୍ରାମସ୍ଥିତ ଡିଏଲ୍‌ଏଫ୍‌ ଫେଜ୍‌-୧ ଅଞ୍ଚଳରେ ତାଙ୍କର ଏକ ଆଲିଶାନ ବଙ୍ଗଳା ରହିଛି । ବିଭିନ୍ନ ରିପୋର୍ଟ ଅନୁଯାୟୀ, ଏହାର ମୂଲ୍ୟ ପ୍ରାୟ ୮୦ କୋଟି ଟଙ୍କା ବୋଲି ଆକଳନ କରାଯାଏ। ତେବେ ଏହି ମୂଲ୍ୟ ସମ୍ପର୍କରେ କୌଣସି ଅଧିକାରିକ ସୂଚନା ଉପଲବ୍ଧ ନାହିଁ। ବିରାଟଙ୍କ ମୁମ୍ବାଇ ଓ ଅଲିବାଗରେ ମଧ୍ୟ ସମ୍ପତ୍ତି ରହିଛି। ବିଶେଷ କରି ଅଲିବାଗରେ ଥିବା ତାଙ୍କ ସମ୍ପତ୍ତି ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ରହିଥାଏ।

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ମୁମ୍ବାଇର ୱର୍ଲି ଅଞ୍ଚଳରେ ଏକ ଆଲିଶାନ ସମୁଦ୍ରମୁହାଁ ଆପାର୍ଟମେଣ୍ଟ ରହିଛି । ରିପୋର୍ଟ ଅନୁଯାୟୀ, ସେ ୨୦୧୫ ମସିହାରେ ଏହି ଘରକୁ ପ୍ରାୟ ୩୦ କୋଟି ଟଙ୍କାରେ କିଣିଥିଲେ। ଏହି ଆପାର୍ଟମେଣ୍ଟରୁ ଆରବ ସାଗରର ମନୋରମ ଦୃଶ୍ୟ ଦେଖିବାକୁ ମିଳେ। ବିଭିନ୍ନ ରିପୋର୍ଟରେ ଦିଆଯାଇଥିବା ଆନୁମାନିକ ମୂଲ୍ୟ ଅନୁସାରେ, ସଚିନ ତେନ୍ଦୁଲକରଙ୍କ ବାନ୍ଦ୍ରାସ୍ଥିତ ବଙ୍ଗଳାର ମୂଲ୍ୟ ୧୦୦ରୁ ୧୫୦ କୋଟି ଟଙ୍କା ବୋଲି କୁହାଯାଉଛି। ଏହି କାରଣରୁ ତାଙ୍କ ଘରକୁ ଭାରତୀୟ କ୍ରିକେଟରଙ୍କ ସବୁଠୁ ଦାମୀ ଘର ମଧ୍ୟରେ ଗଣନା କରାଯାଏ।

 

Dharitri – Odisha’s No.1 Odia Daily

Share