Categories: ଜାତୀୟ

ଔଷଧ ଅସଲି କି ନକଲି, କ୍ୟୁଆର କୋଡ୍‌ ସ୍କାନ୍‌ କଲେ ମିଳିବ ସୂଚନା…

ନୂଆଦିଲ୍ଲୀ,୩।୧୦ : ଆମେ କିଣୁଥିବା ଔଷଧ ଅସଲି ନା ନକଲି? ଏହା ଶରୀର ପାଇଁ କ୍ଷତିକାରକ କି? ମେଡିକାଲ ଷ୍ଟୋରରୁ ଔଷଧ କିଣିବାବେଳେ ପ୍ରାୟତଃ ଏହି ପ୍ରଶ୍ନ ସଭିଙ୍କ ମନକୁ ଆସିଥାଏ। କିନ୍ତୁ ବର୍ତ୍ତମାନ ଏହି ସମସ୍ୟାର ସମାଧାନ ହେବାକୁ ଯାଉଛି। ନକଲତ ଔଷଧର ବିକ୍ରି ରୋକିବା ଏବଂ ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ଅଧିକ ବିକ୍ରି ହେଉଥିବା ଔଷଧ ପାଇଁ ଏକ ଟ୍ରାକ ଏବଂ ଟ୍ରେସ ବ୍ୟବସ୍ଥା ପ୍ରଣୟନ କରିବାକୁ ଯୋଜନା କରିଛନ୍ତି। ସୂଚନାନୁସାରେ, ପ୍ରଥମ ପର୍ଯ୍ୟାୟରେ, ୩୦୦ ସର୍ବାଧିକ ବିକ୍ରି ହେଉଥିବା ଔଷଧରେ ସମ୍ପୃକ୍ତ କମ୍ପାନୀମାନେ ପ୍ୟାକେଜିଂ ଲେବଲରେ ବାରକୋଡ କିମ୍ବା କ୍ୟୁଆର କୋଡ ପ୍ରିଣ୍ଟ କରିବେ ।

ଔଷଧର ଉତ୍ପାଦ ପ୍ୟାକେଜିଂର ପ୍ରାଥମିକ ସ୍ତର। ଏହିସ୍ତରରେ ବୋତଲ, କ୍ୟାନ, ପାତ୍ର କିମ୍ବା ଟ୍ୟୁବରେ ବିକ୍ରୟ ପାଇଁ ଔଷଧ ରଖାଯାଇଥାଏ। ୧୦୦ ଟଙ୍କାରୁ ଅଧିକ ମୂଲ୍ୟର ଏମଆରପି ସହିତ ବହୁଳ ଭାବରେ ବିକ୍ରି ହୋଇଥିବା ଆଣ୍ଟିବାୟୋଟିକ, ହୃଦରୋଗ, ଯନ୍ତ୍ରଣାଦାୟକ ଏବଂ ଆଣ୍ଟି-ଆଲର୍ଜି ଆଦି ଏଥିରେ ଅନ୍ତର୍ଭୁକ୍ତ ହେବ ବୋଲି କୁହାଯାଉଛି। ଏହି ପଦକ୍ଷେପ ଗ୍ରହଣ ନେଇ ଏକ ଦଶନ୍ଧି ପୂର୍ବରୁ ରିଜୋଲ୍ୟୁଶନରେ ଅଣାଯାଇଥିଲା। କିନ୍ତୁ, ଘରୋଇ ଫାର୍ମା ଇଣ୍ଡଷ୍ଟ୍ରିରେ ପ୍ରସ୍ତୁତିର ଅଭାବ ହେତୁ ଏହାକୁ ବନ୍ଦ କରିଦିଆ ଯାଇଥିଲା। ଏପରିକି ରପ୍ତାନି ପାଇଁ ଟ୍ରାକ ଏବଂ ଟ୍ରେସ ମେକାନିଜମକୁ ଆସନ୍ତା ବର୍ଷ ଏପ୍ରିଲ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ବର୍ଷ ବର୍ଷ ଧରି ବଜାରରେ ନକଲି ଏବଂ ନିମ୍ନମାନର ଔଷଧ ବିକ୍ରି ହେବା ଜାରି ରହିଛି। ଏହି ବ୍ୟବସାୟକୁ ରୋକିବା ପାଇଁ ସରକାର ଏଭଳି ଗୁରୁତ୍ୱପୂର୍ଣ୍ଣ ଯୋଜନା ଦିଗରେ ପଦକ୍ଷେପ ନେଇଛନ୍ତି। ଚଳିତ ବର୍ଷ ଜୁନ ମାସରେ ସରକାର ଫାର୍ମା କମ୍ପାନୀଗୁଡ଼ିକୁ ବାରକୋଡ କିମ୍ବା କ୍ୟୁଆର କୋଡ ସେମାନଙ୍କ ପ୍ରାଥମିକ କିମ୍ବା ଦ୍ୱିତୀୟ ପ୍ୟାକେଜ ଲେବଲରେ ଲେପନ କରିବାକୁ କହିଥିଲେ। ଥରେ ସଫ୍ଟୱେର୍‌ ଲାଗୁ ହେବା ପରେ ଗ୍ରାହକ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ଏକ ପୋର୍ଟାଲ (ୱେବସାଇଟ) ଏହାକୁ ଏକ ଦ୍ୱତନ୍ତ୍ର ଆଇଡି କୋଡରେ ଫିଡ କରି ଔଷଧର ପ୍ରକୃତ ସତ୍ୟତା ଯାଞ୍ଚ କରିବା ପାଇଁ ବ୍ୟବହାର କରାଯିବ ଏବଂ ପରବର୍ତ୍ତୀ ସମୟରେ ଏହାକୁ ମୋବାଇଲ ଫୋନ କିମ୍ବା ଟେକ୍ସଟ ମେସେଜ ମାଧ୍ୟମରେ ଟ୍ରାକ କରାଯିବ।

Share