Categories: ଜାତୀୟ

ରାଜନୀତି କରିବେ ନା ନାହିଁ, ସ୍ପଷ୍ଟ କଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨୭।୭: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ କଂଗ୍ରେସରେ ଯୋଗଦେବା ନେଇ ହେଉଥିବା କଳ୍ପନାଜଳ୍ପନା ଏବେ ଶେଷ ହୋଇଛି। ପ୍ରଶାନ୍ତ କିଶୋର ଏହି ସମସ୍ତ କଳ୍ପନାଜଳ୍ପନାକୁ ପ୍ରତ୍ୟାଖ୍ୟାନ କରି ସ୍ପଷ୍ଟ କରିଛନ୍ତି ଯେ, ସେ ବର୍ତ୍ତମାନ ସମୟରେ କୌଣସି ପ୍ରକାର ରାଜନୈତିକ କାର୍ଯ୍ୟକଳାପରେ ଜଡିତ ନୁହଁନ୍ତି କିମ୍ବା ୨୦୨୨ ପ୍ରାରମ୍ଭରେ ହେବାକୁ ଥିବା ୫ଟି ରାଜ୍ୟ ବିଧାନସଭା ନିର୍ବାଚନରେ ମଧ୍ୟ କରିବେ ନାହିଁ। ନିର୍ବାଚନରେ କୌଣସି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭୂମିକା ନେବେ ନାହିଁ। ଏଥି ସହିତ ସେ ଏହା ମଧ୍ୟ କହିଛନ୍ତି ଯେ, ଏହା ପଞ୍ଜାବର ପ୍ରସଙ୍ଗ ହେଉ କିମ୍ବା ଅନ୍ୟ କୌଣସି ପ୍ରସଙ୍ଗ, କଂଗ୍ରେସର କୌଣସି ନିଷ୍ପତ୍ତିରେ ପରଦା ପଛରେ କିମ୍ବା ପରଦା ବାହାରେ ତାଙ୍କର କୌଣସି ଭୂମିକା ନାହିଁ। ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳ ପରେ ମେ ୨ରେ ତାଙ୍କ ଦ୍ୱାରା କରାଯାଇଥିବା ଘୋଷଣାକୁ ସେ ସମ୍ପୂର୍ଣ୍ଣ ରୂପେ ଅବଲମ୍ବନ କରିବେ ଏବଂ ଯେତେବେଳେ ବି ନିଷ୍ପତ୍ତି ନେବେ ସେତେବେଳେ ସେ ସର୍ବସାଧାରଣରେ ଘୋଷଣା କରିବେ। ସେ କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ ରାଜନୀତିରେ ସକ୍ରିୟ ରହିବେ କି ନାହିଁ ତାହା ସ୍ଥିର କରିନାହାଁନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ ପି.କେ ଦଳରେ ଯୋଗଦେବେ କି ନାହିଁ, ତାହା ତାଙ୍କ ପାଇଁ ଏବଂ କଂଗ୍ରେସ ହାଇକମାଣ୍ଡ ନିଷ୍ପତ୍ତି ନେବେ, କିନ୍ତୁ କଂଗ୍ରେସ ନେତୃତ୍ୱ ପି.କେ ସହିତ ଅନୌପଚାରିକ ପରାମର୍ଶ ଆରମ୍ଭ କରିଛନ୍ତି। ଯାହାର ଝଲକ ଦଳ ସଂଗଠନରେ ନିଆଯାଇଥିବା ନିଷ୍ପତ୍ତିରେ ଦେଖିବାକୁ ମିଳେ।

Share