କଏନ୍‌-କାଗଜ ଟଙ୍କାରୁ ବ୍ୟାପେ କି କରୋନା ମହାମାରୀ, ଗବେଷକ ଦେଲେ ଏଭଳି ଉତ୍ତର…

ବର୍ଲିନ୍‌,୧।୮: ପୃଥିବୀରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। କେତେକ ଦେଶରେ ଦ୍ପିତୀୟ ଲହର ଥମୁଥିବାବେଳେ କିଛି ଦେଶରେ ତୃତୀୟ ଲହର ଆରମ୍ଭ ହୋଇଛି। ସେହିପରି ମଧ୍ୟ-ପୂର୍ବର ଦେଶଗୁଡ଼ିକରେ ଚତୁର୍ଥ ଲହର ମଧ୍ୟ ଆରମ୍ଭ ହୋଇଥିତ୍ବା ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଭୂତାଣୁ କାରବାର ସମୟରେ ଟଙ୍କା ଅବରା କଏନ୍‌ ଦ୍ୱାରା ବ୍ୟାପେ କି ନାହିଁ ସେ ନେଇ ଜର୍ମାନୀର ବୈଜ୍ଞାନିକ ମାନଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣାର ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ, କରୋନା ଭୂତାଣୁ ଷ୍ଟିଲ୍‌ କଏନ୍‌ରେ ୬ ଦିନ ରହିପାରିଥାଏ। ସେହିପରି କାଗଜ ନୋଟ୍‌ରେ ୩ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିପାରିଥାଏ। ମାତ୍ର ନଗଦ ଟଙ୍କା କାରବାର ସମୟରେ କରୋନା ମହାମାରୀ ସଂକ୍ରମଣ ହେବାର ଆଶଙ୍କା କମ୍‌ ରହିଥାଏ।


ୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କର ବିଶେଷଜ୍ଞ ଜର୍ମାନୀ ବୋକୁମର ରୁହର-ୟୁନିଭର୍ସିଟିର ମେଡିକାଲ ମଲିକ୍ୟୁଲାର ଭାୟୋଲୋଜି ବିଭାଗର ବୈଜ୍ଞାନିକଙ୍କ ସହିତ ମିଳିତ ଭାବେ ଗବେଷଣା କରିଥିଲେ। ପ୍ରଫେସର ଆଇ.କେ. ଷ୍ଟେନମ୍ୟାନ ଏବଂ ଡ. ଡାନିଏଲ ଟୋଡଙ୍କ ନେତୃତ୍ୱରେ ଗବେଷକମାନେ ଏକ ମଡେଲ ସୃଷ୍ଟି କରିଥିଲେ। ଏହାର ବ୍ୟବହାର କରି ଟଙ୍କା ମାଧ୍ୟମରେ କିପରି କରୋନା ଭୂତାଣୁ ସଂକ୍ରମିତ ହେଉଛି ସେ ନେଇ ପରୀକ୍ଷା କରାଯାଇ ଥିଲା। ସାଇନ୍ସ୍‌ ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଗବେଷକମାନେ କଏନ୍‌ ଏବଂ କାଗଜ ଟଙ୍କାରେ କରୋନା ଭୂତାଣୁ କେତେ ଦିନ ବଞ୍ଚିରୁହେ ତାହା ଜାଣିବାକୁ ଚେଷ୍ଟା ହୋଇଥିଲା। ଶୁଖିଲା ପୃଷ୍ଠଭାଗରୁ କୌଣସି ସଂକ୍ରମଣ ହୁଏ ନାହିଁ। ଅଧିକାଂଶ କ୍ଷେତ୍ରରେ ଏରୋସୋଲ କିମ୍ବା ଡ୍ରପଲେଟସ୍‌ ସଂକ୍ରମଣର କାରଣ ବୋଲି ରିପୋର୍ଟରେ ଦର୍ଶାଯାଇଛି। କଏନ୍‌ ଅବା କାଗଜ ନୋଟ୍‌ ଦ୍ୱାରା ଭୂପୃଷ୍ଠରୁ ଲୋକଙ୍କୁ ସଂକ୍ରମଣ ହେବାର ଆଶଙ୍କା ବହୁତ କମ। ଅକ୍ଟୋବର ୨୦୨୦ରେ ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ କରୋନା ଭୂତାଣୁ କଏନ୍‌, କାଗଜ ଟଙ୍କା, ଗ୍ଲାସ, ପ୍ଲାଷ୍ଟିକ ଏବଂ ଷ୍ଟେନଲେସ ଷ୍ଟିଲରେ ୨୮ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ। ଏହି ଗବେଷଣା ଅଷ୍ଟ୍ରେଲିଆର ଏଜେନ୍ସି ସିଏସ୍‌ଆଇଆର୍‌ଓ ଦ୍ୱାରା ସମ୍ପନ୍ନ ହୋଇଥିଲା। ଏହି ଗବେଷଣାରେ, ଗବେଷକମାନେ ଏକ ମାସ ପାଇଁ ବିଭିନ୍ନ ପୃଷ୍ଠରେ କରୋନା ଭୂତାଣୁ ଛାଡିଥିଲେ। ସୂର୍ଯ୍ୟର ଅତିବାଇଗଣି ରଶ୍ମୀ ପ୍ରଭାବରୁ ସୁରକ୍ଷିତ ରହିବା ଲାଗି ପରୀକ୍ଷା ଏକ ଅନ୍ଧାର କୋଠରୀରେ କରାଯାଇଥିଲା।

Share