Categories: ଜାତୀୟ

‘ଯେଉଁଠି ମହିଳାଙ୍କୁ ସମ୍ମାନ ଦିଆଯାଏ, ସେଠାରେ ଦେବତା ବାସ କରନ୍ତି’

ନୂଆଦିଲ୍ଲୀ,୨୨।୯: ସଂସଦର ସ୍ବତନ୍ତ୍ର ଅଧିବେଶନରେ ରାଜ୍ୟ ସଭାରେ ମହିଳା ସଂରକ୍ଷଣ ବିଲ ସର୍ବସମ୍ମତି କ୍ରମେ ପାରିତ ହୋଇଛି। ଏହି ବିଲ ସବୁ ଦଳର ସମର୍ଥନ ପାଇବା ପରେ ବର୍ତ୍ତମାନ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ହିମନ୍ତ ସରମା ମହିଳା ସଂରକ୍ଷଣ ବିଲ୍‌କୁ ପ୍ରଶଂସା କରିବା ସହ ଏଥିପାଇଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
‘ଏକ୍ସ’ ରେ ପୋଷ୍ଟ କରିବାବେଳେ ଆସାମ ସିଏମ ହିମନ୍ତ ବିଶ୍ୱ ସରମା ଲେଖିଛନ୍ତି – ଯେଉଁଠାରେ ମହିଳାମାନଙ୍କୁ ସମ୍ମାନ ଦିଆଯାଏ, ସେଠାରେ ଦେବତାମାନେ ବାସ କରନ୍ତି ଏବଂ ସେଠାରେ କେବଳ ସୁଖ ଏବଂ ସମୃଦ୍ଧତା ରହିଥାଏ। ସଂସଦର ଉଭୟ ଗୃହରେ ନାରୀ ଶକ୍ତି ବନ୍ଦନ ଅଧିନିୟମର ସର୍ବସମ୍ମତି କ୍ରମେ ଭାରତୀୟ ଗଣତନ୍ତ୍ରର ସଂକଳ୍ପ ପ୍ରତିଫଳିତ ହୋଇଛି ଯାହା ମହିଳାମାନଙ୍କୁ ଦେଶକୁ ଆଗକୁ ନେବାକୁ ସଶକ୍ତ କରିବ।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି ହିମନ୍ତ ଆହୁରି କହିଛନ୍ତି ଯେ, ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ମହିଳାମାନେ ସେମାନଙ୍କର ଉପଯୁକ୍ତ ସ୍ଥାନ ପାଇଛନ୍ତି। ସମସ୍ତ ଭାରତୀୟଙ୍କୁ ଅଭିନନ୍ଦନ! ସେ ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି ଯେଉଁଥିରେ ଉପରାଷ୍ଟ୍ରପତି ଜଗଦୀପ ଧନଖର ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ରାଜ୍ୟ ସଭାରେ ବସିଥିବା ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share