Categories: ଜାତୀୟ

ଆମ ପାଇଁ ନ୍ୟାୟ କାହିଁ

ଚେନ୍ନାଇ/ନୂଆଦିଲ୍ଲୀ,୧୨ା୧୧: ମୁକ୍ତି ପାଇଥିବା ନଳିନୀ ଶ୍ରୀହରନ୍‌ଙ୍କ ସମେତ ଅନ୍ୟ ଦୋଷୀମାନଙ୍କ ପରିବାର ଲୋକେ ଖୁସି ବ୍ୟକ୍ତ କରିଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ସମୟରେ ଆମତ୍ଘାତୀ ବିସ୍ଫୋରଣରେ ମୃତାହତ ହୋଇଥିବା ଲୋକଙ୍କ ପାଇଁ ନ୍ୟାୟ କାହିଁ ବୋଲି ଶୁକ୍ରବାର ଜଣେ ଅବସରପ୍ରାପ୍ତ ମହିଳା ପୋଲିସ ଅଧିକାରୀ ପ୍ରଶ୍ନ କରିଛନ୍ତି।
ମେ’ ୨୧ରେ ତାମିଲନାଡୁର ଶ୍ରୀପେରୁମ୍ବୁଦୁରରେ ଆୟୋଜିତ କଂଗ୍ରେସର ସଭାସ୍ଥଳରେ ଭିଡ଼ ନିୟନ୍ତ୍ରଣ କରୁଥିବା ଅନସୂୟା ଡେଜି ଆର୍ନେଷ୍ଟ ସେତେବେଳେ ପୋଲିସ ସବ୍‌-ଇନ୍‌ସ୍ପେକ୍ଟର ଥିଲେ। ଲିବରେଶନ ଟାଇଗର୍ସ ଅଫ୍‌ ତାମିଲ ଇଲମ୍‌ (ଏଲ୍‌ଟିଟିଇ) ସଦସ୍ୟା ଧନୁ ଆମତ୍ଘାତୀ ବିସ୍ଫୋରଣ ଘଟାଇ ରାଜୀବଙ୍କୁ ହତ୍ୟା କରିଥିଲେ। ସେହି ସମୟରେ କର୍ତ୍ତବ୍ୟରତ ଅନସୂୟାଙ୍କ ଶରୀରରେ ଗୁଳି ବାଜିଥିଲା। ସେଥିପାଇଁ ସେ ଏବେ ମଧ୍ୟ ଚିକିତ୍ସିତ ହେଉଛନ୍ତି। ଏହା ହେଉଛି ଆହତମାନଙ୍କ ଦୁଃଖ। ଆତଙ୍କବାଦୀମାନଙ୍କୁ ସାଧାରଣ ଅପରାଧୀ ଭଳି ନୁହେଁ, ଆତଙ୍କବାଦ ନିରୋଧୀ ଆଇନ ଅନୁସାରେ ବ୍ୟବହାର କରାଯିବା ଉଚିତ। ଏହି ଘାତକ ଆତଙ୍କବାଦୀ ଆକ୍ରମଣରେ ଯେଉଁମାନେ ପ୍ରାଣ ହରାଇଲେ ଓ ମୋ ଭଳି ଆହତ ହେଲେ, ସେମାନଙ୍କ ପାଇଁ ନ୍ୟାୟ କାହିଁ ବୋଲି ଅନସୂୟା ପ୍ରଶ୍ନ କରିଛନ୍ତି। ଅନସୂୟା ୨୦୧୮ରେ ଅତିରିକ୍ତ ପୋଲିସ ଅଧୀକ୍ଷକ ପଦରୁ ଅବସର ନେଇଥିଲେ। ତାଙ୍କୁ ବର୍ତ୍ତମାନ ୬୨ ବର୍ଷ ହେଉଛି। ସେହି ବିସ୍ଫୋରଣରେ ରାଜୀବଙ୍କ ସମେତ ମୋଟ ୧୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୪୫ ଜଣ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ୯ ପୋଲିସ ଓ ଅନ୍ୟ ୬ ଜଣ ଥିଲେ। ସୁଇସାଇଡ୍‌ ବମ୍ବର ଧନୁ ଏବଂ ଏଲ୍‌ଟିଟିଇ ସମର୍ଥକ ତଥା ଫଟୋଗ୍ରାଫର ହରିବାବୁ ମଧ୍ୟ ନିହତ ହୋଇଥିଲେ।

Share