Categories: ଜାତୀୟ

୧୬ କୋଟି ଚାକିରି ପ୍ରତିଶ୍ରୁତି କୁଆଡ଼େ ଗଲା: ସୁର୍ଜେଓ୍ବାଲା…

ନୂଆଦିଲ୍ଲୀ,୨୨।୧୦ : କେନ୍ଦ୍ର ସରକାରଙ୍କ ନିଯୁକ୍ତି ମେଳାକୁ ନେଇ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ରଣଦୀପ ସୁର୍ଜେଓ୍ବାଲା କଡ଼ା ସମାଲୋଚନା କରିଛନ୍ତି। ଏହା କେବଳ ନାଟକ ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି। ପୂର୍ବରୁ ଭାଜପା ସରକାର ୧୬ କୋଟି ନିଯୁକ୍ତି ସୁଯୋଗର ପ୍ରତିଶ୍ରୁତି ଦେଇଥିଲା। ତେବେ ଏହା ଏବେ ପାଣିର ଗାର ପାଲଟିଛି। ପ୍ରତିବର୍ଷ ୨କୋଟି ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର କହିଥିଲେ। ମାତ୍ର ଗତ ୮ ବର୍ଷ ମଧ୍ୟରେ ଏହା ପୂରଣ ହୋଇ ପାରିନାହିଁ।

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ମାତ୍ର ୪ଟି ରାଜ୍ୟରେ ପଦଯାତ୍ରା ଶେଷ କରିଛି। ଏହି ସମୟରେ ଲୋକଙ୍କ ସହିତ ଆଲୋଚନାରୁ ଜଣାପଡ଼ିଛି ଯେ, ବେରୋଜଗାରୀ ଦେଶର ସର୍ବବୃହତ ସମସ୍ୟା ଭାବେ ଉଭା ହୋଇଛି। ତେଣୁ କେନ୍ଦ୍ର ସରକାର ଶସ୍ତା ଲୋକପ୍ରିୟତା ଏବଂ ଲୋକଙ୍କୁ ନ ଭୁଲାଇ ରୋଜଗାର ଦେବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସୁର୍ଜେଓ୍ବାଲା କହିଛନ୍ତି। ସରକାରଙ୍କ ବିଭିନ୍ନ ବିଭାଗରେ ଥିବା ୩ ଲକ୍ଷ ସରକାରୀ ଚାକରି କେବେ ପୂରଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।

Share