ସବୁ ହିତାଧିକାରୀଙ୍କୁ କେବେ ମିଳିବ ପକ୍କାଘର: ଭାଜପା

ଭୁବନେଶ୍ୱର,୯।୪(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ସମସ୍ତଙ୍କୁ ପକ୍କାଘର’ ଯୋଗାଇବା ଲାଗି ଦେଖିଥିବା ସ୍ବପ୍ନକୁ ଧୂଳିସାତ୍‌ କରିବା ପାଇଁ ରାଜ୍ୟ ସରକାର ବିଧିବଦ୍ଧ ଷଡ଼ଯନ୍ତ୍ର ଚଳାଇଛନ୍ତି। କେବେ ସୁଦ୍ଧା ପୂର୍ଣ୍ଣାଙ୍ଗ, ପ୍ରକୃତ ଓ ନିରପେକ୍ଷ ହିତାଧିକାରୀ ତାଲିକା ପ୍ରସ୍ତୁତ ହୋଇପାରିବ ତଥା ଗରିବ ହିତାଧିକାରୀଙ୍କୁ କେବେସୁଦ୍ଧା ପକ୍କାଘର ଆବଣ୍ଟନ ହେବ ତାହାର ସମୟସୀମା ରାଜ୍ୟ ସରକାର ଘୋଷଣା କରନ୍ତୁ ବୋଲି ଭାଜପା ଦାବି କରିଛି।
ଭାଜପା ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ ଜରିଆରେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଛିି। ଆବାସ ଯୋଜନାରୁ ବାଦ୍‌ ପଡିଥିବା ଗରିବ ବାସହୀନଙ୍କ ଦରଖାସ୍ତ ଯାଞ୍ଚ କରାଯାଇ କେବେ ସୁଦ୍ଧା ସେମାନଙ୍କୁ ତାଲିକାଭୁକ୍ତ କରାଯିବ ବୋଲି ସେ କରିଛନ୍ତି। ଏହାସହ ରାଜ୍ୟ ସରକାର କେବଳ ଚୋରି, ଭ୍ରଷ୍ଟାଚାର, ପକ୍ଷପାତିତା, ଅସହିଷ୍ଣୁ ମନୋଭାବ ପ୍ରଦର୍ଶନ କରିଆସୁଛନ୍ତି ବୋଲି ସେ କହିଛନ୍ତି। ରାଜ୍ୟର ସାଧାରଣ ଗରିବ ବାସହୀନ ଲୋକଙ୍କ ସ୍ବାର୍ଥକୁ କୌଣସି ପ୍ରକାରରେ ହତ୍ୟା କରିବାକୁ ଦିଆଯିବ ନାହିଁ। ଆବାସ ବଣ୍ଟନ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ସମ୍ପୃକ୍ତ ଥିବା ଅଧିକାରୀମାନଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଗରିବ ଶ୍ରେଣୀର ଲୋକଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ଲକ୍ଷ୍ୟ ରଖି ସେମାନଙ୍କୁ ପ୍ରଥମେ ବାସଗୃହ ଯୋଗାଇଦେବା ଉଦ୍ଦେଶ୍ୟରେ କେନ୍ଦ୍ରରେ ମୋଦି ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶୁଭାରମ୍ଭ କରିଥିଲେ। ଏବେସୁଦ୍ଧା ୩ କୋଟିରୁ ଊର୍ଦ୍ଧ୍ୱ ବାସଗୃହ ନିର୍ମାଣ ସମ୍ଭବ ହୋଇଛି। ଦେଶର ଗ୍ରାମାଞ୍ଚଳରେ ବାସହୀନଙ୍କ ପାଇଁ ୨.୫୨ କୋଟି ବାସଗୃହ ଓ ସହରାଞ୍ଚଳରେ ୫୮ ଲକ୍ଷ ଗୃହ କାମ ଶେଷ ହୋଇଛି। ଓଡ଼ିଶାରେ ଏବେ ସୁଦ୍ଧା ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ୧୬.୮୫ ଲକ୍ଷ ବାସଗୃହ ନିର୍ମାଣ ଶେଷ ହୋଇଛି। ଏହି ଯୋଜନାର ରାଜ୍ୟରେ ସୁଫଳ କାର୍ଯ୍ୟାନ୍ବୟନ ଲାଗି ଭାଜପା ବାରମ୍ବାର ଆନ୍ଦୋଳନ କରିଛି। ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲାକୁ ଗୋଟିଏ ହେଲେ ବାସଗୃହ ଆବଣ୍ଟନ କରା ନ ଯିବା ରାଜ୍ୟ ସରକାରଙ୍କ ରାଜନୈତିକ ଅସହିଷ୍ଣୁ ମନୋଭାବକୁ ସ୍ପଷ୍ଟ କରୁଥିବା ସେ ଅଭିଯୋଗ କରିଛନ୍ତି।