ଥାଲାପତିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ତ୍ରିଶା, ପ୍ରଶଂସକ କାବା!

ଚେନ୍ନାଇ, ୬।୫: ଦକ୍ଷିଣ ଭାରତୀୟ ସିନେମା ଜଗତର ‘ଥଲାପତି’ ବିଜୟ ଏବଂ ଗ୍ଲାମର କୁଇନ୍ ତ୍ରିଷା କୃଷ୍ଣନଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି । ନିକଟରେ ଚେନ୍ନାଇରେ ଆୟୋଜିତ ପ୍ରଯୋଜକ କଳ୍ପତି ଏସ୍. ସୁରେଶଙ୍କ ପୁଅଙ୍କ ବିବାହ ଭୋଜିରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏହି ଘଟଣାଟି ସେତିକିବେଳେ ସାମ୍ନାକୁ ଆସିଛି, ଯେତେବେଳେ ବିଜୟଙ୍କ ବ୍ୟକ୍ତିଗତ ଜୀବନରେ ବିବାଦ ଦେଖାଦେଇଛି । ସୂଚନାଯୋଗ୍ୟ ଯେ, ବିଜୟଙ୍କ ପତ୍ନୀ ସଙ୍ଗୀତା ସୋର୍ଣ୍ଣଲିଙ୍ଗମ ନିକଟରେ ତାଙ୍କର ୨୬ ବର୍ଷର ବୈବାହିକ ସମ୍ପର୍କ ପରେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଛନ୍ତି । ଏହି ମାମଲାରେ ସେ ବିଜୟଙ୍କ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଥିବା ଅଭିଯୋଗ ଆଣିବା ପରେ ତ୍ରିଷାଙ୍କ ସହ ବିଜୟଙ୍କୁ ଏକାଠି ଦେଖିବା ପ୍ରଶଂସକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଛି ।

ତାମିଲ ସିନେମାର ସବୁଠାରୁ ହିଟ୍ ଅନ୍-ସ୍କ୍ରିନ୍ ଯୋଡି ଭାବେ ପରିଚିତ ବିଜୟ ଏବଂ ତ୍ରିଷା ପ୍ରଥମ କରି ୨୦୦୪ରେ ‘ଘିଲ୍ଲୀ’ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ । ଏକ ପୁରୁଣା ସାକ୍ଷାତକାରରେ ତ୍ରିଷା ନିଜର ଅନୁଭୂତି ବାଣ୍ଟି କହିଥିଲେ ଯେ, “ଆରମ୍ଭରୁ ବିଜୟଙ୍କ ସହ ମୋର ଅଧିକ କଥାବାର୍ତ୍ତା ନଥିଲା କାରଣ ସେ ଜଣେ ବହୁତ ଶାନ୍ତ ଏବଂ ରିଜର୍ଭ ପ୍ରକୃତିର ବ୍ୟକ୍ତି । ସେ କେବଳ ନିଜ କାମ ସହ କାମ ରଖନ୍ତି । କିନ୍ତୁ ‘ଘିଲ୍ଲୀ’ ଟିମ୍ ଯୋଗୁଁ ଆମେ ଭଲ ବନ୍ଧୁ ହୋଇପାରିଲୁ । ବିଜୟ ଜଣେ ଅତ୍ୟନ୍ତ ଦୟାଳୁ ଏବଂ ଶାଳୀନ ବ୍ୟକ୍ତି । ସେ ମୋ ପାଇଁ ସବୁବେଳେ ସ୍ପେଶାଲ୍ ରହିବେ କାରଣ ତାଙ୍କ ସହ ମୁଁ ମୋ କ୍ୟାରିୟରର ବଡ଼ ବଡ଼ ହିଟ୍ ଫିଲ୍ମ ଦେଇଛି । ସେ ସେଟରେ ବହୁତ ପ୍ରଫେସନାଲ୍ ଏବଂ ମୁଁ କେବେ ତାଙ୍କୁ ରାଗିଥିବାର ଦେଖିନାହିଁ,” ବୋଲି ତ୍ରିଷା କହିଥିଲେ ।

‘ଘିଲ୍ଲୀ’ ପରେ ଏହି ଯୋଡି ‘ଥିରୁପାଚି’, ‘ଆଥି’ ଏବଂ ‘କୁରୁଭି’ ଭଳି ଚଳଚ୍ଚିତ୍ରରେ ନିଜର ଜାଦୁ ଦେଖାଇଛନ୍ତି । ଦୀର୍ଘ ୧୫ ବର୍ଷର ବ୍ୟବଧାନ ପରେ ୨୦୨୩ରେ ଲୋକେଶ କାନାଗରାଜଙ୍କ ଫିଲ୍ମ ‘ଲିଓ’ରେ ଏହି ଦୁଇଜଣଙ୍କୁ ପୁଣି ଏକାଠି ଦେଖିବାକୁ ମିଳିଥିଲା, ଯାହା ବକ୍ସ ଅଫିସରେ ସଫଳତା ପାଇଥିଲା ।

ନିଜର ବୈବାହିକ ବିବାଦ ଏବଂ ଚେଟିଂ ଅଭିଯୋଗ ଉପରେ ବିଜୟ ପରୋକ୍ଷରେ ପ୍ରତିକ୍ରିୟା ରଖିଥିଲେ ମଧ୍ୟ ତ୍ରିଷା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଚୁପ୍ ରହିଛନ୍ତି । ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଉଭୟ ଅଭିନେତା ଏବଂ ଅଭିନେତ୍ରୀ ନିଜ ନିଜର କାମରେ ବ୍ୟସ୍ତ ଅଛନ୍ତି । ତାମିଲ ସିନେମାର ଏହି ଲୋକପ୍ରିୟ ଯୋଡ଼ିଙ୍କୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଏବେ ଉତ୍କଣ୍ଠା ବଢ଼ିବାରେ ଲାଗିଛି ।

Share