Categories: ଜାତୀୟ

କୁନି ଝିଅଙ୍କ ପ୍ରଶ୍ନ ଶୁଣି ମୁଖ୍ୟମନ୍ତ୍ରୀ ଆଶ୍ଚର୍ଯ୍ୟ

ପୁଣେ,୧୮।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସହ ଏକ କୁନି ଝିଅର ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଝିଅଟି ମୁଖ୍ୟମନ୍ତ୍ରୀଙ୍କୁ ଏମିତି କିଛି ପ୍ରଶ୍ନ ପଚାରିଛନ୍ତି, ଯାହା ଶୁଣି ସମସ୍ତେ ହସିବାରେ ଲାଗିଛନ୍ତି।
ରବିବାର ଏକନାଥ ଶିନ୍ଦେଙ୍କୁ ଭେଟିବାକୁ ଜଣେ କୁନି ଝିଅ ଆସିଥିଲେ। ଝିଅଟି ମୁଖ୍ୟମନ୍ତ୍ରୀଙ୍କୁ ପଚାରିଥିଲେ ଯେ, ଆପଣ ଗୁଆହାଟୀରେ ଥିବା ସମୟରେ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିଥିଲେ। ଯଦି ମୁଁ ବନ୍ୟା ପୀଡିତଙ୍କୁ ଯାଇ ସାହାଯ୍ୟ କରିବି, ତେବେ ମୁଁ ମୁଖ୍ୟମନ୍ତ୍ରୀ ହୋଇପାରିବି କି? ଏହି ପ୍ରଶ୍ନ ପଚାରିବା ପରେ ସେଠାରେ ଉପସ୍ଥିତ ସମସ୍ତେ ହସିବାକୁ ଲାଗିଥିଲେ। ମୁଖ୍ୟମନ୍ତ୍ରୀ ଶିନ୍ଦେ ଝିଅଟି କାନ୍ଧରେ ହାତ ରଖି କହିଥିଲେ, ଏହା ନିଶ୍ଚିତ ଘଟିବ। କେବଳ ଏତିକି ନୁହେଁ, ଝିଅଟି ଆହୁରି ମଧ୍ୟ କହିଥିଲେ, ପୂର୍ବରୁ ମୁଁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପସନ୍ଦ କରୁଥିଲି, କିନ୍ତୁ ଏବେ ଆପଣଙ୍କୁ ଦେଖିବାକୁ ମଧ୍ୟ ଭଲ ଲାଗୁଛି।
ଝିଅଟି ଏକନାଥ ଶିନ୍ଦେଙ୍କଠାରେ ମଧ୍ୟ ଏକ ଦାବି କରିଥିଲେ। ସେ କହିଥିଲେ, ତୁମେ ଆଗାମୀ ଦିୱାଲି ଛୁଟି ସମୟରେ ମୋତେ ଗୁଆହାଟୀ ପରିଦର୍ଶନ କରିବାକୁ ନେଇଯିବ କି? ପ୍ରଶ୍ନ ଶୁଣିବା ପରେ ସେଠାରେ ଉପସ୍ଥିତ ସମସ୍ତେ ହସିଥିଲେ, କିନ୍ତୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କ’ଣ କହିବେ ବୁଝି ନ ପାରି ହସି ଦେଇଥିଲେ। ଶିନ୍ଦେ ପଚାରିଥିଲେ, କାମାକ୍ଷା ମନ୍ଦିର ବୁଲିବାକୁ ଚାହୁଁଛ କି? ଝିଅଟି ହଁ କହିବାରୁ ଶିନ୍ଦେ କହିଥିଲେ, ତୁମେ ବହୁତ ସ୍ମାର୍ଟ।
ସୂଚନାଯୋଗ୍ୟ, ଜୁନ ୨୧ରେ ଏକନାଥ ଶିନ୍ଦେ ଶିବସେନା ବିରୋଧରେ ବିଦ୍ରୋହ କରିଥିଲେ। ବହୁ ବିଧାୟକଙ୍କ ସହ ସୁରତ ପଳାଇଥିଲେ। ଏହା ପରେ ସେ ଗୁଆହାଟୀ ଅଭିମୁଖେ ଯାଇ ସେଠାରେ ଥିବା ରେଡିସନ ବ୍ଲୁ ହୋଟେଲରେ ବିଧାୟକଙ୍କ ସହ ରହିଥିଲେ। ଗୁଆହାଟୀରେ ରହିବା ସମୟରେ ବନ୍ୟା ସଙ୍କଟର ମୁକାବିଲା ପାଇଁ ଶିନ୍ଦେ ୫୧ ଲକ୍ଷ ଟଙ୍କା ମଧ୍ୟ ଦାନ କରିଥିଲେ। ଏହା ପରେ ବିଧାୟକମାନେ ଗୋଆ ଦେଇ ମହାରାଷ୍ଟ୍ରକୁ ଆସିଥିଲେ ଏବଂ ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ବିଧାନସଭାରେ ଫ୍ଲୋର୍‌ ଟେଷ୍ଟରେ ଭାଗ ନେଇଥିଲେ।

Share