ହତ୍ୟା ଉଦ୍ୟମ ଘଟଣାରେ ଫେରାର ଥିଲେ ଅଭିଯୁକ୍ତ, ୧ ବର୍ଷ ପରେ ଘରକୁ ଫେରିଥିବାବେଳେ ହଠାତ୍‌ ପହଞ୍ଚିଲା ପୋଲିସ, ତା’ପରେ…

ଦିଗପହଣ୍ଡି,୧୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ପିଣ୍ଟୁ ଜେନା(୨୯)ଙ୍କୁ ସୋମବାର କେ.ନୂଆଗାଁ ପୋଲିସ ହତ୍ୟା ଉଦ୍ୟମ ମାମଲାରେ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୧୭୬/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ପ୍ରାୟ ୧ ବର୍ଷ ହେଲା ପିଣ୍ଟୁ ଫେରାର୍‌ ଥିଲେ।ସେ ଗାଁକୁ ଫେରିଥିବା ଖବରପାଇ ତଦନ୍ତକାରୀ ଅଧିକାରୀ ନୂଆପଡ଼ା ଫାଣ୍ଡି ଏସ.ଆଇ ଅତିଥି ଚରଣ ନାୟକ ସୋମବାର ଅପରାହ୍ନ ପ୍ରାୟ ୧ ଟାରେ ତାଙ୍କୁ ଗିରଫ କରିଥିଲେ। ଗତ ୨୦୨୫ ମେ ୨୧ ତାରିଖ ରାତିରେ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମ ଦଳିତ ସାହିରେ ରହୁଥିବା ପୀତବାସ ଜେନାଙ୍କ ଘରେ ଏକଦଶାହ ଭୋଜି ଚାଲିଥିଲା।ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ରହୁଥିବା ପୀତବାସଙ୍କ ସମ୍ପର୍କୀୟ ଲଡୁ ନାୟକ ତାଙ୍କ ପୁଅ ରୋହିତ ଓରଫ ଗୌରାଙ୍ଗ,ବୋହୂ ଶିବାନୀ ଓ ନାତି ଆକାଶ ଭୋଜିକୁ ଆସିଥିଲେ।ରାତି ପ୍ରାୟ ସାଢେ ୮ଟାରେ ଲଡୁ ଏବଂ ତାଙ୍କ ନାତି ଆକାଶ ଶୌଚ ପାଇଁ ଗାଁ ପୋଖରୀକୁ ଯାଇଥିଲେ। ପୂର୍ବରୁ ପୋଖରୀ ହୁଡାରେ ବସିଥିବା ଗ୍ରାମର ସବର୍ଣ୍ଣ ସାହି ବାସିନ୍ଦା ସୁଶୀଳ ସାହୁ,ମୁରଲୀ ସାହୁ, ଅଗାଡ଼ି ସାହୁ ଏବଂ ବିପିନ ଦାସଙ୍କ ଉପରେ ଲଡୁ ଧରିଥିବା ଟର୍ଚ୍ଚ ଲାଇଟ ଆଲୁଅ ପଡ଼ିବାରୁ ସୁଶୀଳ ଉତ୍ତେଜିତ ହୋଇ ଲଡୁ ଏବଂ ଆକାଶଙ୍କୁ ଆପତ୍ତିଜନକ ଭାଷାରେ ଗାଳି କରିଥିଲେ।ସେମାନେ ଦଳିତ ସାହିରେ ଚାଲିଥିବା ଭୋଜିକୁ ଆସିଥିବା କହିବାରୁ ଉଭୟଙ୍କୁ ଜାତିଆଣ ଆକ୍ଷେପ କରି ଗାଳି କରିବା ସହ କଣ ପାଇଁ ଏହି ପୋଖରୀକୁ ଆସିଛ ବୋଲି ପଚାରି ମାଡ଼ ମାରିବାକୁ ଆସିଥିଲେ। ଲଡୁ ପୋଖରୀରୁ ଫେରି ଭୋଜିରେ ଥିବା ସମ୍ପର୍କୀୟ ାନଙ୍କୁ ଘଟଣା ସବୁ କହିଥିଲେ।ଏଥିରେ ଉତ୍ତ୍ୟକ୍ତ ହୋଇ ଦଳିତ ସାହିର ପିଣ୍ଟୁ ଜେନା,ସୋମେଶ ଜେନା,ସୁଦର୍ଶନ ଜେନା,ଆକାଶ ନାୟକ,ଗୌରାଙ୍ଗ ନାୟକ ଏବଂ ଅନ୍ୟ କେତେକ ବ୍ୟକ୍ତି ବିଭିନ୍ନ ମାରଣାସ୍ତ୍ର ଧରି ପୋଖରୀକୁ ଯାଇ ସେମାନଙ୍କୁ ଆକ୍ରମଣ କରିଥିଲେ।ଏଥିରେ ସବର୍ଣ୍ଣ ଗୋଷ୍ଠୀର ଗୋପୀକୃଷ୍ଣ ସାହୁ ଓ ଅନ୍ୟମାନେ ଆହାତ ହୋଇଥିଲେ ଖବର ପ୍ରଚାରିତ ହେବାପରେ ଦଳିତ ସାହିର ଆକ୍ରମଣକାରୀମାନେ ଫେରୁଥିବାବେଳେ ଗ୍ରାମର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସବର୍ଣ୍ଣ ଗୋଷ୍ଠୀର ସୁଶୀଳ ସାହୁ ଓ ଅନ୍ୟମାନେ ବିଭିନ୍ନ ମାରଣାସ୍ତ୍ର ଧରି ଦଳିତ ଗୋଷ୍ଠୀର ଲୋକଙ୍କୁ ଆକ୍ରମଣ କରିଥିଲେ।ଏଥିରେ ଦଳିତ ସାହିର ପିଣ୍ଟୁ ଜେନା ଗୁରୁତର ଆହତ ହୋଇଥିଲେ।ଘଟଣାର ପରଦିନ ଏନେଇ ଏତଲା ହେବାପରେ ପୋଲିସ ମାମଲା ନଂ.୧୭୭/୨୫ ଅନୁଯାୟୀ ସବର୍ଣ୍ଣ ଗୋଷ୍ଠୀର ଲୋକଙ୍କ ବିରୋଧରେ ପୃଥକ ମକଦ୍ଦମା ରୁଜୁ କରିଥିଲେ।ପୂର୍ବରୁ ଉଭୟ ମାମଲା ରେ ଉଭୟ ଗୋଷ୍ଠୀର ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

Dharitri – Odisha’s No.1 Odia Daily