ଯାହା ଚାହୁଁଥିଲେ ସମ୍ବିତ୍‌

ମଣିଷର ଆଶା ତ ଅସୁମାରି! ହେଲେ ବେଳେବେଳେ ଜଣେ ଯାହା ଚାହୁଁଥାଏ, ତାହା ହାତପାହାନ୍ତାରେ ମିଳିଯାଇଥାଏ। ଦେଖୁନାହାନ୍ତି, ନିଜ ମନ ପସନ୍ଦର ଭୂମିକାରେ ଅଭିନୟ କରିବା ପରେ ତାହା ଦର୍ଶକଙ୍କୁ ନିଶ୍ଚୟ ପ୍ରଭାବିତ କରିବ ବୋଲି କେମିତି ଆଶା ରଖିଛନ୍ତି ସମ୍ବିତ୍‌ ଆଚାର୍ଯ୍ୟ। ହଁ, ସିନେମାଟି ହେଲା ‘ଇନ୍ଦ୍ରଜାଲ’। ମଣିଷ ଜୀବନରେ ଅନେକ ଘଟଣା ଘଟିଥାଏ। ବେଳେବେଳେ ସେହି ଘଟଣା ମଧ୍ୟରୁ କେତେକ ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟିକରେ। ଆଉ ତାହାର ଆଶାତୀତ ଦଣ୍ଡ ଭୋଗିବାକୁ ମଧ୍ୟ ପଡ଼ିଥାଏ। ସେପରି ଏକ ରହସ୍ୟମୟ କାହାଣୀକୁ ଆଧାର କରି ନିର୍ମିତ ହୋଇଛି ଏହି ନୂଆ ଓଡ଼ିଆ ସିନେମା। ଆର.ଆର. ଇଭେଣ୍ଟ୍‌ସ ବ୍ୟାନରରେ ଚିତ୍ରଟିର ପ୍ରଯୋଜନା କରିଛନ୍ତି ଓଲିଉଡ୍‌ର ଅନ୍ୟତମ ଆଗଧାଡ଼ିର ପ୍ରଯୋଜକ ରମେଶ ବାରିକ। ‘ଜୋର୍‌ କା ଝଟକା’ ପରେ ପିନୁ ନାୟକ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ଅପରପକ୍ଷରେ ସଂଳାପ ରଚନା କରିଛନ୍ତି ଡ. ରଜନୀ ରଞ୍ଜନ। ଡ. ନିର୍ମଳ ନାୟକଙ୍କ ରଚିତ ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ଅଭିଜିତ୍‌ ମଜୁମଦାର। ‘ଇନ୍ଦ୍ରଜାଲ’ର ମୁଖ୍ୟ ଭୂମିକାରେ ସମ୍ବିତ୍‌ ଆଚାର୍ଯ୍ୟ ଅଭିନୟ କରୁଥିବା ବେଳେ ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି ଦେବଯାନୀ।

Share