ନୂଆଦିଲ୍ଲୀ,୭।୧୦: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ନିରନ୍ତର ୨୫ ବର୍ଷର ଜନସେବା ପୂରଣ କରିଛନ୍ତି। ଏହି ଅବସରରେ ବୁଧବାର ନୂଆଦିଲ୍ଲୀରେ ଆୟୋଜିତ ଭାରତ ସଂକଳ୍ପ ସଭା’ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କୃତଜ୍ଞତା ଜଣାଇବା ସହ ନିଜ ୨୫ ବର୍ଷର ରାଜନୈତିକ ଯାତ୍ରାକୁ ସ୍ମରଣ କରିଛନ୍ତି।
ପିଏମ ମୋଦି କହିଛନ୍ତି, ଦେଶ ମୋତେ ବହୁତ କିଛି ଦେଇଛି। ତେଣୁ ଦେଶ ପାଇଁ ମୋର ଦାୟିତ୍ୱ ମଧ୍ୟ ସବୁଠାରୁ ଅଧିକ। ଦେଶର ପ୍ରତ୍ୟେକ ନାଗରିକଙ୍କର ତାଙ୍କ ଉପରେ ସବୁଠାରୁ ବଡ଼ ଅଧିକାର ରହିଛି। ୨୫ ବର୍ଷର ଜନବିଶ୍ୱାସ ଓ ଅଭିଜ୍ଞତା ଏକ ବଡ଼ ପୁଞ୍ଜି। ଏହି ପୁଞ୍ଜି କେବଳ ତାଙ୍କର ନୁହେଁ, ବରଂ ସମଗ୍ର ଦେଶର।
ନିଜ ରାଜନୈତିକ ଯାତ୍ରାକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ୭ ଅକ୍ଟୋବର ୨୦୦୧ରେ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲି, ସେତେବେଳେ କେବେ ଭାବି ନ ଥିଲି ଯେ ଦିନେ ଏଭଳି ଏକ ପର୍ଯ୍ୟାୟ ଆସିବ। ଆଜି ସରକାର ମୁଖ୍ୟ ଭାବେ ନିରନ୍ତର ସେବା କରିବାର ୨୫ ବର୍ଷ ପୂରଣ ହୋଇଥିବାରୁ ସେ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଦୀର୍ଘ ଯାତ୍ରା ଜନତା-ଜନାର୍ଦ୍ଦନଙ୍କ ନିରନ୍ତର ଆଶୀର୍ବାଦର ପରିଣାମ। ସେ ଭାଜପା, ଏନ୍ଡିଏ ଏବଂ ଗଣତନ୍ତ୍ର ପ୍ରତି ଅପାର ଆସ୍ଥା ରଖୁଥିବା ସମସ୍ତ ରାଜନୈତିକ ସାଥୀଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି।
୨୫ ବର୍ଷର ଯାତ୍ରାରେ ହୋଇଥିବା ବିଭିନ୍ନ ବିଧାନସଭା ଓ ଲୋକସଭା ନିର୍ବାଚନକୁ ମନେ ପକାଇ ମୋଦି କହିଛନ୍ତି, ଜନତା ତାଙ୍କୁ ବାରମ୍ବାର ନିଜ ସେବା କରିବାର ସୁଯୋଗ ଦେଇଛନ୍ତି। ଏଥିପାଇଁ ସେ ଭାରତୀୟ ଗଣତନ୍ତ୍ର ଓ ଭାରତୀୟ ସମ୍ବିଧାନକୁ ପ୍ରଣାମ କରିଛନ୍ତି। ଏହାସହ ‘ସେବା ଜ୍ୟୋତି ଯାତ୍ରା’ରେ ଭାଗ ନେଇଥିବା ସମସ୍ତ ନାଗରିକଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ମୁଁ ଯାହା କିଛି, ଯେଉଁଠି ଅଛି ଏବଂ ଯେଉଁ ଦାୟିତ୍ୱରେ ଅଛି, ସେଥିରେ ସବୁଠାରୁ ବଡ଼ ଅବଦାନ ଜନତା-ଜନାର୍ଦ୍ଦନଙ୍କର। ମୋ ପାଇଁ ଜନତା-ଜନାର୍ଦ୍ଦନ ହେଉଛନ୍ତି ଈଶ୍ୱରଙ୍କ ସ୍ବରୂପ। କୋଟି କୋଟି ଦେଶବାସୀଙ୍କ ବିଶ୍ୱାସ ଏବଂ ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ତାଙ୍କର ସବୁଠାରୁ ବଡ଼ ଶକ୍ତି ।
ନିଜ ୨୫ ବର୍ଷର ଯାତ୍ରାକୁ ପଛକୁ ଫେରି ଦେଖି ମୋଦି କହିଛନ୍ତି, ତାଙ୍କ ମନରେ କେବଳ କୃତଜ୍ଞତାର ଭାବନା ରହିଛି। ଯେଉଁମାନେ ତାଙ୍କୁ କିଛି ଶିଖାଇଛନ୍ତି, ସେମାନଙ୍କ ପ୍ରତି ସେ କୃତଜ୍ଞ ବୋଲି କହିଛନ୍ତି। ଯେଉଁମାନେ ତାଙ୍କୁ ତଳେ ପକାଇଛନ୍ତି, ସେମାନେ ପୁଣି ଉଠିବା ଶିଖାଇଛନ୍ତି। ସମର୍ଥକମାନେ ତାଙ୍କ ମନୋବଳ ବଢ଼ାଇଥିବା ବେଳେ ସମାଲୋଚକମାନେ ତାଙ୍କୁ ନିଜ ଭିତରକୁ ଝାଙ୍କିବାର ସୁଯୋଗ ଦେଇଛନ୍ତି।