କ’ଣ କରିବେ ବୋରିସ୍‌ ଜନ୍‌ସନ

ଲଣ୍ଡନ,୬।୯: ତିନିବର୍ଷ ତଳେ କଞ୍ଜରଭେଟିଭ୍‌ ପାର୍ଟି ପାଇଁ ୩ ଦଶନ୍ଧିର ସବୁଠୁ ବଡ଼ ବିଜୟ ଆଣିଦେଇଥିବା ବୋରିସ୍‌ ଜନ୍‌ସନ ମଙ୍ଗଳବାର ଡାଉନିଂ ଷ୍ଟ୍ରିଟ୍‌ରୁ ବିଦାୟ ନେବାକୁ ଯାଉଛନ୍ତି। ପିଲାବେଳେ ‘ଓ୍ବାଲର୍‌ଡ କିଙ୍ଗ୍‌’ ହେବାକୁ ସ୍ବପ୍ନ ଦେଖିଥିବା ଏହି ୫୮ ବର୍ଷୀୟ ନେତା ଏବେ ନିଜ ପରବର୍ତ୍ତୀ କ୍ୟାରିୟର ପ୍ଲାନିଂ କରୁଛନ୍ତି। ତାଙ୍କ ଜୀବନୀ ପୁସ୍ତକ ଲେଖିଥିବା ଆଣ୍ଡ୍ରିଉ ଗ୍ରିମ୍‌ ସନ କହିଛନ୍ତି, ବୋରିସ୍‌ ବିଭିନ୍ନ ସ୍ଥାନରେ ଚର୍ଚ୍ଚ ପାଇଁ ଭଲ କାମ କରିବେ। ଏଥିସହ ଏକ ନିର୍ବିବାଦୀୟ ଜୀବନ ବିତାଇବାକୁ ପସନ୍ଦ କରିବେ। ବୋରିସ୍‌ ଜନ୍‌ସନ ରାଜନୀତିକୁ ଆସିବା ପୂର୍ବରୁ ସାମ୍ବାଦିକତାରେ ସୁନାମ ଅର୍ଜନ କରିଥିଲେ। ସେ ଅନେକ ଖବରକାଗଜ ପାଇଁ ଲେଖାଲେଖି କରୁଥିଲେ। ଡେଲି ଟ୍ରେଲିଗ୍ରାଫ୍‌ରେ ଏକ ସାପ୍ତାହିକ ସ୍ତମ୍ଭ ରଚନା ପାଇଁ ତାଙ୍କୁ ବାର୍ଷିକ ୨୭୫,୦୦୦ ପାଉଣ୍ଡ ଦିଆଯାଉଥିଲା। ବୋରିସ୍‌ ନିଜ ପ୍ରଧାନମନ୍ତ୍ରିତ୍ୱ ସମୟର ଘଟଣାବଳୀକୁ ନେଇ ଏକ ପୁସ୍ତକ ଲେଖିଲେ ତାଙ୍କୁ ୧ ନିୟୁତ ପାଉଣ୍ଡ ପ୍ରଦାନ କରାଯାଇପାରେ ବୋଲି ଲେଖକମାନେ ଅନୁମାନ କରିଛନ୍ତି। ପ୍ରକାଶ ଯେ, ବୋରିସ୍‌ ଏହା ପୂର୍ବରୁ ୮ଟି ପୁସ୍ତକ ଲେଖିଥିଲେ।

Share