କ’ଣ ଥିଲା ମିହିର ଦାସଙ୍କ ଶେଷ ଇଚ୍ଛା….

ମିହିର ଦାସ, ଭୂମିକା ଯେଉଁଭଳି ହୋଇଥାଉନା କାହିଁକି ତାକୁ ସଫଳ କରାଇବାର କାଇଦା ତାଙ୍କୁ ବେଶ୍‌ ଭଲ ଭାବରେ ଜଣା ଥିଲା। ନାୟକ, ଖଳନାୟକ, ହାସ୍ୟ ଆଉ ଚରିତ୍ର ଭୂମିକାରେ ନିଖୁଣ ଅଭିନୟ ତାଙ୍କୁ ଓଡ଼ିଆ ସିନେ ଜଗତର ଜଣେ ଅଲ୍‌ରାଉଣ୍ଡର ଭାବେ ପରିଚିତି ଦେଇଥିଲା। ଆଉ ଛୋଟ ପରଦାରେ ବି ସେ ଥିଲେ ବେଶ୍‌ ଲୋକପ୍ରିୟ। ଓଡ଼ିଆ ସିନେମାରେ ୩୫ ବର୍ଷରୁ ଊର୍ଦ୍ଧ୍ୱ କାଳ ନିଚ୍ଛକ ଅଭିନୟ କରି ସୃଷ୍ଟି କରିଥିଲେ ସ୍ବତନ୍ତ୍ର ପରିଚୟ। ବିଶିଷ୍ଟ ଗାୟକ ଚିତ୍ତ ଜେନାଙ୍କ କନ୍ୟା ସଙ୍ଗୀତାଙ୍କୁ ସେ ଧର୍ମପତ୍ନୀ ଭାବେ ଗ୍ରହଣ କରିଥିଲେ। ତାଙ୍କ ବଡ଼ ପୁଅ ଅମ୍ଳାନ ଏବେ ଓଡ଼ିଆ ସିନେମାରେ ନିଜ ଅଭିନୟ କ୍ୟାରିୟର ଜାରି ରଖିଛନ୍ତି। ଏବେ ସେ ଅଫେରା ରାଇଜର ଯାତ୍ରୀ ସାଜିଛନ୍ତି ସତ କିନ୍ତୁ ତାଙ୍କ ଜୀବନ୍ତ ଅଭିନୟ ତାଙ୍କୁ ସ୍ମରଣୀୟ କରି ରଖିବ କାଳ କାଳକୁ।

 

ଛାତ୍ରନେତାରୁ ଅଭିନେତା
ପ୍ରାଥମିକ ବିଦ୍ୟାଳୟରେ ପଢ଼ିବା ବେଳଠୁ ସତେଯେମିତି ଅଭିନୟକୁ କ୍ୟାରିୟର କରିବା ଲାଗି ସେ ପଣ କରିନେଇଥିଲେ। ପରବର୍ତ୍ତୀ ସମୟରେ ରେଭେନ୍‌ସା କଲେଜରେ ପଢ଼ିବାବେଳେ ସେ କେତୋଟି ଡ୍ରାମାରେ ଅଭିନୟ କରି ସାଉଁଟିଥିଲେ ଅନେକ ପ୍ରଶଂସା। ପୁଣି ସେ ରେଭେନ୍‌ସା କଲେଜର ଡ୍ରାମାଟିକ୍‌ ସେକ୍ରେଟାରି ଭାବେ ବି ନିର୍ବାଚିତ ହୋଇଥିଲେ।
‘ସ୍କୁଲ ମାଷ୍ଟର’ରୁ ଆରମ୍ଭ
ଥରେ ମିହିର ଅଭିନୟ କରୁଥିବା ଏକ ନାଟକକୁ ଦେଖୁଥାଆନ୍ତି ବିଶିଷ୍ଟ ନିର୍ଦ୍ଦେଶକ ଗୋବିନ୍ଦ ତେଜ। ସତେଯେମିତି ଏକ ବଡ଼ ସୁଯୋଗ ମିହିରଙ୍କ ପାଇଁ ଅପେକ୍ଷା କରିଥିଲା। ଗୋବିନ୍ଦଙ୍କ ପ୍ରଯୋଜିତ ଏବଂ ନିର୍ଦ୍ଦେଶିତ ‘ସ୍କୁଲ ମାଷ୍ଟର’ରେ ବ୍ରେକ୍‌ ମିଳିଥିଲା ମିହିରଙ୍କୁ। ବାସ୍‌ ଏଇଠୁ ଆରମ୍ଭ ହୋଇଥିଲା ତାଙ୍କର ବଡ଼ ପରଦା ଜୀବନ। ଏହି ଫିଲ୍ମରେ ମିହିରଙ୍କ ବ୍ୟତୀତ ଉତ୍ତମ ମହାନ୍ତି ବି ଅଭିନୟ କରିଥିଲେ। ମିହିରଙ୍କ ଅଭିନୀତ ପ୍ରଥମ ସିନେମା ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଥିଲା।
‘ଚାନ୍ଦର ଚାନ୍ଦିନୀ ପରି…’
ମିହିରଙ୍କୁ ନେଇ ଦୃଶ୍ୟାୟିତ ଗୀତଗୁଡ଼ିକ ମଧ୍ୟରୁ ଅନେକ ଦର୍ଶକାଦୃତ ହୋଇପାରିଥିଲା। ସେଗୁଡ଼ିକ ମଧ୍ୟରେ ରହିଛି ମିହିର ଏବଂ ଅର୍ଚ୍ଚନା ଯୋଗଲେକରଙ୍କୁ ନେଇ ନିର୍ମିତ ‘ସ୍ତ୍ରୀ’ ଚଳଚ୍ଚିତ୍ରରେ ସଂଯୋଜିତ ‘ଚାନ୍ଦର ଚାନ୍ଦିନୀ ପରି’, ‘ପାଇଛି ପାଇଛି ତୁମକୁ’, ଏ ଦୁନିଆ ଜାଣିଗଲା’, ‘ପୁଅ ମୋର ଭୋଳାଶଙ୍କର’ ଚଳଚ୍ଚିତ୍ରର ‘ସୁଖ ଦୁଃଖ ଭରା ଦୁନିଆ’, ‘ଗରିବ ହାତରେ ମଣିଷ ଜୀବନ’, ‘ବସ୍ତ୍ର ହରଣ’ ଫିଲ୍ମର ‘ଷୋହଳରୁ ସତର ସତରରୁ ଅଠର’, ‘ରାଖୀ ବାନ୍ଧିଲି ମୋ ରଖିବ ମାନ’ ସିନେମାର ‘ଭାଇ ତତେ ମୋର ରହିଲା ରାଣ’, ‘ଫେରିଆ ମୋ ସୁନା ଭଉଣୀ’ ଏବଂ ‘ତୁ ଥା ମୁଁ ଯାଉଛି ରୁଷି’ର ଟାଇଟଲ ଗୀତ।
ମନେ ରହିବ ‘ପୁଅ ମୋର ଭୋଳାଶଙ୍କର’
ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ପୁଅ ମୋର ଭୋଳାଶଙ୍କର’ ଚଳଚ୍ଚିତ୍ରରେ ମିହିରଙ୍କୁ ଏକ ଭିନ୍ନ ଧରଣର ଭୂମିକାରେ ଦେଖିବାକୁ ମିଳିଥିଲା। ଚାକର ଭୂମିକାକୁ ସେ ଏମିତି ଭାବରେ ନିଭାଇଥିଲେ, ଯାହା ତାଙ୍କ କ୍ୟାରିୟର ପାଇଁ ମାଇଲଷ୍ଟୋନ୍‌ ହୋଇଯାଇଥିଲା। ଏହି ଫିଲ୍ମରେ ତାଙ୍କର ନାୟିକା ସାଜିଥିଲେ ପ୍ରିୟଙ୍କା ମହାପାତ୍ର।

 

ଅଲ୍‌ରାଉଣ୍ଡର
ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ୱ ଧରି ଓଡ଼ିଆ ସିନେମାରେ ରାଜ୍‌ କରିଥିଲେ ମିହିର। ଶତାଧିକ ଚଳଚ୍ଚିତ୍ରରେ ସେ ଛାଡିଯାଇଛନ୍ତି ନିଜ ଅଭିନୟର ସ୍ବାକ୍ଷର। କେତେବେଳେ ନାୟକ ତ କେତେବେଳେ ଚରିତ୍ର ଅଭିନେତା। ପୁଣି ଖଳନାୟକ ଭାବରେ ସେ ମଧ୍ୟ ନିଜକୁ ପରିଚିତ କରାଇପାରିଥିଲେ। କେବଳ ସେତିକି ନୁହେଁ, ‘ରାଖୀ ବାନ୍ଧିଲି ମୋ ରଖିବ ମାନ’ ଚଳଚ୍ଚିତ୍ରରେ ଭାଇ ଭୂମିକା ଆଜି ମଧ୍ୟ ସିନେପ୍ରେମୀଙ୍କ ମନରେ ସତେଜ ହୋଇ ରହିଛି। ତେବେ ଗତ କିଛିବର୍ଷ ଧରି ସେ ବାପା ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିବାରେ ସକ୍ଷମ ହୋଇଥିଲେ। ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଲଭ୍‌ ଷ୍ଟେଶନ’ରେ ଉପରକୁ କଠୋର ଦେଖାଯାଉଥିବା ଜଣେ ବାପା ନିଜ ସନ୍ତାନଙ୍କ ପ୍ରତି କେତେ ଉଦାର ହୋଇପାରେ ତାହାର ନିଚ୍ଛକ ଅଭିନୟ ଦେଖିବାକୁ ମିଳିଥିଲା ମିହିରଙ୍କ ଭୂମିକାରେ।

 

ଏଠି ଇଲେକ୍‌ଶନ ବି କାକା କରେ ଆଉ ସିଲେକ୍‌ଶନ ବି…
ସୀତାରାମ ଅଗ୍ରଓ୍ବାଲଙ୍କ ପ୍ରଯୋଜିତ ଏବଂ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ହିଟ୍‌ ସିନେମା ‘ଅଭିମନ୍ୟୁ’କୁ ମନେପକାନ୍ତୁ। ଏହି ସିନେମା ବିଷୟରେ ଆଲୋଚନା କଲେ ମନକୁ ସ୍ବତଃ ଚାଲିଆସିଥାଏ ଗ୍ୟାଙ୍ଗଷ୍ଟର ‘କାକା’ ଭୂମିକା। ଏପରି ରୋଲ୍‌ରେ ମିହିରଙ୍କ ଅଭିନୟକୁ ଭୁଲିବା ସହଜ ନୁହେଁ। କାରଣ ପୂର୍ବରୁ ରୋମାଣ୍ଟିକ୍‌ ନାୟକ ବ୍ୟତୀତ ଚରିତ୍ର ଅଭିନେତା ଭାବେ ଦର୍ଶକଙ୍କୁ ମତୁଆଲା କରିଥିବା ମିହିର ଏପରି ଭୂମିକାକୁ ସଫଳ କରି ନିଜକୁ ଜଣେ ଅଭିଜ୍ଞ ଖଳନାୟକ ରୂପେ ପରିଚିତ କରାଇପାରିଥିଲେ। ଏହି ଫିଲ୍ମରେ ତାଙ୍କର ଗେଟ୍‌ଅପ୍‌ ବ୍ୟତୀତ ଏକ ଡାଏଲଗ୍‌ ‘ଏଠି ଇଲେକ୍‌ଶନ ବି କାକା କରେ ସିଲେକ୍‌ଶନ ବି କାକା କରେ’ ବେଶ୍‌ ଚର୍ଚ୍ଚିତ କରିଥିଲା।

 

ଶେଷ ଇଚ୍ଛା ଥିଲା ମୃତ୍ୟୁଦିନ ଶୁଟିଂ ବନ୍ଦ ହେବନି
ମୋର ପ୍ରଥମ ସିନେମା ସାବିତ୍ରୀରେ ତାଙ୍କ ସହିତ ଅଭିନୟ କରିଥିଲି। ପ୍ରଥମ ରିଲିଜ୍‌ ଚଳଚ୍ଚିତ୍ର ‘ଜୀବନସାଥୀ’ ଏବଂ ପ୍ରଥମ ନିର୍ଦ୍ଦେଶିତ ସିନେମା ମଧ୍ୟ ତାଙ୍କ ସହିତ କରିଥିଲି। ତାଙ୍କର ଶେଷ ଇଚ୍ଛା ଥିଲା ଯେ, ସେ ମରିବା ଦିନ କୌଣସି ସ୍ଥାନରେ ଶୁଟିଂ ବନ୍ଦ ହେବନି।
-ଶ୍ରୀତମ ଦାସ, ଆର୍ଟିଷ୍ଟ ଆସୋସିଏସନ୍‌ର ସେକ୍ରେଟାରୀ

 

ଅଭିନେତା ନୁହେଁ ଜଣେ ଅନୁଷ୍ଠାନ ଥିଲେ
ମିହିର ଦାସ କେବଳ ଅଭିନେତା ନ ଥିଲେ। ଜଣେ ଅନୁଷ୍ଠାନ ଥିଲେ। ମୋ ଜୀବନର ପ୍ରଥମ ଚଳଚ୍ଚିତ୍ର ‘ତୁ ଏକା ଆମ ସାହାଭରସା’ରେ ସେ ନାୟକ ଭାବେ ଅଭିନୟ କରିଥିଲେ। ତାଙ୍କ କ୍ୟାରିୟରର ଅନେକ ମାଇଲଷ୍ଟୋନ ଚଳଚ୍ଚିତ୍ରରେ ମୁଁ ତାଙ୍କ ସହ କାମ କରିଛି।
-ପ୍ରେମ୍‌ ଆନନ୍ଦ ସାମଲ, ସଙ୍ଗୀତ ନିର୍ଦ୍ଦେଶକ

 

ଅତ୍ୟନ୍ତ ମର୍ମାହତ
କହିବାକୁ କିଛି ଭାଷା ନାହିଁ। ସେ ଜଣେ ଲୋକପ୍ରିୟ କଳାକାର ଥିଲେ, ସେ ମୋର ଭାଇ ଭଳି ଥିଲେ। ତାଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ।
-ଜୟୀରାମ ସାମଲ, ହାସ୍ୟାଭିନେତା

 

ଆମ ସମସ୍ତଙ୍କର ଆଇଡଲ୍‌
ମିହିର ସାର୍‌ ଆମ ସମସ୍ତଙ୍କର ଆଇଡଲ୍‌। ଏକା ସଙ୍ଗେ ୫ରୁ ୬ଟି ଚଳଚ୍ଚିତ୍ରରେ ସେ କାମ କରି ପାରନ୍ତି। ମତେ ସେ ଅପ୍‌ଡେଟେଡ୍‌ ମିହିର ଦାସ ବୋଲି କହୁଥିଲେ। ତାଙ୍କ ସହ ବିତାଇଥିବା ପ୍ରତ୍ୟେକଟି ମୁହୂର୍ତ୍ତ ମୋ ପାଇଁ ସ୍ମରଣୀୟ। – ସବ୍ୟସାଚ୍ଚୀ ମିଶ୍ର, ଅଭିନେତା

 

କଳା ଜଗତର ଏକ ଉଜ୍ଜ୍ୱଳ ନକ୍ଷତ୍ରର ଅବସାନ ହେଲା
ମିହିରଙ୍କ ବିୟୋଗରେ ଦର୍ଶକ ଜଣେ ପ୍ରତିଷ୍ଠିତ ଅଭିନେତାଙ୍କ ଅଭିନୟ ଦେଖିବାର ସୁଯୋଗରୁ ବଞ୍ଚିତ ହେଲେ। ଓଡ଼ିଶାର କଳା ଜଗତର ଏକ ଉଜ୍ଜ୍ୱଳ ନକ୍ଷତ୍ରର ଅବସାନ ହେଲା।
-ରଞ୍ଜନ କୁମାର ଦାସ, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ନିର୍ଦେଶକ

 

 

ଝୁରୁଛି ମୟୂରଭଞ୍ଜ ମାଟି
ମୟୂରଭଞ୍ଜ ମାଟିର ଅନନ୍ୟ କଳାକାର ଥିଲେ ମିହିର ଦାସ। ବାରିପଦାରେ ବିତିଥିଲା ତାଙ୍କର ବାଲ୍ୟକାଳ। ବାରିପଦା ସହରର ଭଞ୍ଜପୁରଠାରେ ଜନ୍ମିତ ମିହିର ସାଙ୍ଗସାଥିଙ୍କ ସହ ବଜାରରୁ ଚଟ୍‌ପଟି ଖାଇବାକୁ ଅଧିକ ପସନ୍ଦ କରୁଥିଲେ। ଭଞ୍ଜପୁର ପୋଲିସ ଲାଇନ୍‌ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଥିବାବେଳେ ତାଙ୍କ ଭିତରେ ଥିବା ଅଭିନୟ କଳାର ଆଭାସ ମିଳିଥିଲା। ତତ୍କାଳୀନ ପ୍ରଧାନ ଶିକ୍ଷକ ସୁବାସ ହୋତା ତାଙ୍କୁ ଅଭିନୟ କରିବାକୁ ପ୍ରୋତ୍ସାହିତ କରିଥିଲେ। ‘ମଣି କାଞ୍ଚନ’ ନାଟକରେ ଜମିଦାର ପ୍ରତାପ କେଶରୀ ଭୂମିକାରେ ଅଭିନୟ ଆରମ୍ଭ କରିଥିଲେ ମିହିର। ଆଉ ସେବେଠାରୁ ଅଭିନୟ ପ୍ରତି ତାଙ୍କର ବଢ଼ି ଯାଇଥିଲା ମମତା। ଭଞ୍ଜପୁର ହାଇସ୍କୁଲରେ ପଢୁଥିବା ବେଳେ ସାଙ୍ଗସାଥିଙ୍କ ସହ ମିଶି ରକ୍ସି ସିନେମା ହଲ୍‌କୁ ଯାଉଥିଲେ। ଛାତ୍ର ଜୀବନରେ ଗଧ ନାଚ ଦେଖିବାକୁ ଯାଇ ଗଧଠାରୁ ଲାତ ଖାଇବା ବହୁ ସମୟରେ ଚର୍ଚ୍ଚା ହୋଇଥାଏ। ଓଡ଼ିଆ ଚଳଚ୍ଚିତ୍ରର ବିଶିଷ୍ଟ କଳାକାର ମିହିରଙ୍କ ପାଇଁ ସାରା ଜିଲାବାସୀଙ୍କର ଥିଲା ଅସୀମ ଶ୍ରଦ୍ଧା। ଆଜି ମିହିରଙ୍କ ବିୟୋଗରେ ମର୍ମାହତ ଜିଲାବାସୀ ତାଙ୍କୁ ଝୁରି ହେଉଛନ୍ତି। -ନୀଳାଦ୍ରି ବିହାରୀ ଦଣ୍ଡପାଟ


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri