Categories: Uncategorized

ଖାଲି ରଖିବେ ନାହିଁ କେଉଁ ଜିନିଷ

ବାସ୍ତୁଶାସ୍ତ୍ର ଅନୁସାରେ, ଘରେ ଏମିତି କେତେକ ଜିନିଷ ରହିଛି, ଯାହାକୁ କେବେ ବି ଖାଲି ରଖିବା ଆଦୌ ଠିକ୍‌ ନୁହେଁ। ନଚେତ୍‌ ଏହାର ଅନେକ କୁପ୍ରଭାବ ଆମ ଜୀବନଶୈଳୀ ଉପରେ ପଡ଼ିଥାଏ ବୋଲି ବିଶ୍ୱାସ ରହିଛି। ଯେମିତିକି:

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ କେବେ ବି ଚାଉଳ ଡବାକୁ ଖାଲି ରଖିବେ ନାହିଁ। ଏଥିରୁ ଚାଉଳ ସରିବା ପୂର୍ବରୁ ଏହାକୁ ପୁଣି ଭର୍ତ୍ତିକରି ଦେଉଥିବେ। କୁହାଯାଏ, ଭରି ରହିଥିବା ଅନ୍ନଡବା ଘରେ ସମୃଦ୍ଧି ଆଣିଥାଏ।
ପାଣି ବାଲ୍ଟିକୁ ମଧ୍ୟ ଖାଲି ରଖିବା ଠିକ୍‌ ନୁହେଁ। ବ୍ୟବହାର ହେଉ କିମ୍ବା ନ ହେଉ ବାଲ୍ଟିରେ ସବୁବେଳେ ପାଣି ଭର୍ତ୍ତି କରି ରଖୁଥିବେ। କଳା ରଙ୍ଗର କିମ୍ବା ଭାଙ୍ଗିଯାଇଥିବା ବାଲ୍ଟିକୁ ମଧ୍ୟ ବ୍ୟବହାର କଲେ ଏହାର କୁପ୍ରଭାବ ପଡ଼ିଥାଏ ବୋଲି ବିଶ୍ୱାସ କରାଯାଏ।
ପୂଜାଘରେ ରଖାଯାଉଥିବା ଜଳପାତ୍ରକୁ ମଧ୍ୟ କେବେ ବି ଖାଲି ରଖିବେ ନାହିଁ। ଏହାର ନକାରାତ୍ମକ ପ୍ରଭାବ ପରିବାର ଉପରେ ପଡିଥାଏ।
ଘରର ଟ୍ରେଜେରି ହେଉ ଅବା ମନିପର୍ସକୁ ବି ଖାଲି ରଖିବା ଠିକ୍‌ ନୁହେଁ। ଅଳ୍ପ ହେଉ ପଛେ ସେଥିରେ କିଛି ଟଙ୍କା ନିଶ୍ଚୟ ରଖିଦେବେ। ଏହାଛଡ଼ା କଉଡ଼ି, ଗୋମତୀ ଚକ୍ର ଓ ଶଙ୍ଖ ଟ୍ରେଜେରିରେ ରଖିଲେ ବି ସମୃଦ୍ଧି ଆସେ ବୋଲି ବିଶ୍ୱାସ ରହିଛି।
ସବୁଠୁ ବଡ଼ କଥା ହେଉଛି, ଦୁଆର ମୁହଁରୁ କୌଣସି ଅସହାୟ ଲୋକଙ୍କୁ ଖାଲି ହାତରେ ଫେରାଇବା ବି ଉଚିତ ନୁହେଁ। ନିଜ ସାଧ୍ୟମତେ ତାଙ୍କୁ ସାହାଯ୍ୟ କରିବା ଦରକାର। ଏହାଦ୍ୱାରା ପ୍ରଭୁକୃପା ମିଳେ ବୋଲି ମାନ୍ୟତା ରହିଛି।