Categories: ଖେଳ

ବ୍ୟକ୍ତିଗତ ଭାବେ ଏହା ମୋ ପାଇଁ ଦୁଃଖଦ ଦିନ: ଶାସ୍ତ୍ରୀ

ନୂଆଦିଲ୍ଲୀ,୧୬।୧: ୨୦୧୫ରୁ ଭାରତୀୟ ଟେଷ୍ଟ ଦଳର ନେତୃତ୍ୱ ନେଇଆସୁଥିବା ବିରାଟ କୋହଲି ଶନିବାର ହଠାତ୍‌ ଅଧିନାୟକ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଥିଲେ। ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କ୍ରିକେଟ ପ୍ରଶଂସକ। ଏନେଇ ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ବିରାଟ, ତୁମେ ନିଜ ମୁଣ୍ଡ ଟେକି ଯାଇପାର। ଜଣେ ଅଧିନାୟକ ଭାବେ ଯାହା ହାସଲ କରିଛ କେବଳ ଅଳ୍ପ ଲୋକ ତାହା କରିବାକୁ ସକ୍ଷମ ହୋଇଛନ୍ତି। ତୁମେ ନିଶ୍ଚିତ ଭାବେ ଭାରତର ସବୁଠାରୁ ଆକ୍ରମଣାତ୍ମକ ତଥା ସଫଳ ଅଧିନାୟକ। ବ୍ୟକ୍ତିଗତ ଭାବେ ଏହା ମୋ ପାଇଁ ଏକ ଦୁଃଖଦ ଦିନ। କାରଣ ଏହା ହେଉଛି ସେହି ଦଳ ଯାହାକୁ ଆମେ ଏକାଠି ତିଆରି କରିଥିଲେ।

ଚାରିମାସ ପୂର୍ବେ ସ୍ଥିତି ଭିନ୍ନ ଥିଲା। କୋହଲି କ୍ରିକେଟର ସମସ୍ତ ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ଥିଲେ। ହେଲେ ଟି-୨୦ ବିଶ୍ୱକପ୍‌ ପରେ ଏହି ଫର୍ମାଟର ଅଧିନାୟକତ୍ୱ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ସେ। ନିକଟରେ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଚୟନକର୍ତ୍ତାମାନେ ତାଙ୍କୁ ଦିନିକିଆ ଦଳର ଅଧିନାୟକତ୍ୱରୁ ହଟାଇଥିଲେ। ଏଭଳି ପରିସ୍ଥିତିରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ୧-୨ ବ୍ୟବଧାନରେ ଦଳ ପରାଜିତ ହୋଇଥିଲା। ଏହାର ଗୋଟିଏ ଦିନ ପରେ ସେ ହଠାତ ଟେଷ୍ଟ ଦଳର ଅଧିନାୟକତ୍ୱ ଛାଡ଼ିବାକୁ ଘୋଷଣା କର ଚମକାଇଛନ୍ତି।

କହିରଖୁଛୁ, କୋହଲିଙ୍କ ନେତୃତ୍ୱରେ ଭାରତ ଅନେକ ସଫଳତା ପାଇଛି। ଆଇସିସି ଟେଷ୍ଟ ର଼୍ୟାଙ୍କିଂରେ ଭାରତ ଶୀର୍ଷରେ ପହଞ୍ଚିଥିବା ବେଳେ ବିଦେଶରେ ଅନେକ ସ୍ମରଣୀୟ ବିଜୟ ହାସଲ କରିଥିଲା। ତାଙ୍କ ନେତୃତ୍ୱରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ଖେଳିଥିଲା। ସେ ୬୮ ମ୍ୟାଚ୍‌ରେ ଭାରତର ନେତୃତ୍ୱ ନେଇଥିଲେ। ଏଥିରୁ ୪୦ରେ ଦଳ ବିଜୟ ହାସଲ କରିଥିଲା।

Share