ଖଜୁରି ଗଛର କି ଗୁଣ ଗାଇବି

ଦେଶର ସମ୍ୱିଧାନ କହେ ଆଇନ ଦୃଷ୍ଟିରେ ସମସ୍ତେ ସମାନ। ହେଲେ ବାସ୍ତବ କ୍ଷେତ୍ରରେ ତାହାର କାର୍ଯ୍ୟାନ୍ୱୟନ ବା ଅନୁପାଳନ ବେଳେ ହୁଏ କିନ୍ତୁ ଠିକ୍‌ ତା’ର ଓଲଟା। ଜଣେ ଖଟିଖିଆ ମଜୁରିଆ ପାଇଁ ଆଇନ କଚ୍ଛପ ଗତିରେ ଚାଲୁଥିବା ବେଳେ ମହାଜନ ତଥା କ୍ଷମତାଧାରୀଙ୍କ ପାଇଁ ଏହା ଧାଉଁଥାଏ। ମୁଷ୍ଟିମେୟ କେତେଜଣ ଲୋକ ଦେଶର ସବୁତକ ସୁବିଧା ସୁଯୋଗ ସହଜରେ ହାତେଇ ଚାଲିଥିବା ବେଳେ ସାଧାରଣ ଲୋକମାନେ ହେଉଥାନ୍ତି ଚାହିଁ ଜଳକା। ଏମିତି ହୁଏ କାହିଁକି? ଏହାର ଗୂଢ଼ ରହସ୍ୟ ଭେଦିବା ସାଧାରଣ ମଣିଷ ପକ୍ଷରେ ଅସମ୍ଭବ।
ଦେଶ ଏବେ ଏକ ବିଚିତ୍ର ପରିବେଶ ଆଉ ପରିସ୍ଥିତି ଦେଇ ଗତି କରୁଥିବା କହନ୍ତି ବୁଦ୍ଧିଜୀବୀମାନେ। ଲୋକଙ୍କ ମନରେ ଲାଗି ରହିଛି ଅବିଶ୍ୱାସ ଆଉ ଅନାସ୍ଥା ଭାବ। କେହି କାହାକୁ ସହଜରେ ବିଶ୍ୱାସ କରିପାରୁନାହାନ୍ତି। କାହିଁିକି ନା ଏବେ ଦେଶର ପ୍ରତିଟି କ୍ଷେତ୍ରରେ ମଣିଷଙ୍କୁ ଚିତାକାଟିବାର ପ୍ରତିଯୋଗିତା ଲାଗିଯାଇଛି। ଯିଏ ଅନ୍ୟଙ୍କୁ ଠକି ଦେଇପାରିଲା କି ଲୁଟି କାଙ୍ଗାଳକରି ଦେଇପାରିଲା ସେ ହେଲା ବଡ଼ଲୋକ ଆଉ କ୍ଷମତାର ମାଲିକ। ଏମିତି ଏକ ଅବେଳରେ ଆଇନ ଉପରେ ଲୋକଙ୍କ ଆସ୍ଥା ବଢ଼ିବା ସ୍ୱାଭାବିକ। ହେଲେ ଏଇ ସମୟରେ ଆଇନର ରକ୍ଷକ ଯଦି ଭକ୍ଷକ ହୁଅନ୍ତି, ତେବେ ସାଧାରଣ ଲୋକମାନେ ଗୁହାରି କରିବେ କାହା ଆଗରେ? ନ୍ୟାୟ ପାଇବେ ତ ପାଇବେ କାହା ପାଖରୁ?
ବେଳେବେଳେ ଲୋକେ ଅଭିଯୋଗ କରୁଥିବା ଶୁଣାଯାଏ ‘ଆମ ଦେଶରେ ଏମିତି ଆଇନ କାହିଁକି ତିଆରି କରାଯାଏ, ଯାହା ଉଭୟ ଆଇନ ନିର୍ମାତା ଏବଂ ପାଳନକର୍ତ୍ତାଙ୍କୁ ପାଳନ କରିବା କଷ୍ଟକର ହୋଇପଡ଼େ। ସେ ସରକାରଙ୍କ ତଳସ୍ତରର କର୍ମଚାରୀ ହୁଅନ୍ତୁ କି ସାଧାରଣ ଜନତା, ସେମାନଙ୍କ ପାଇଁ ଆଇନ ଅନୁପାଳନ ବେଳେ ଯେତିକି ଘାତ ପ୍ରତିଘାତ ଦେଖାଯାଏ, କାହିଁକି ଯେ ସେତିକି ଅସୁବିଧା ଦେଖାଯାଏ ନାହିଁ ଉପରିସ୍ଥ ହାକିମ କିମ୍ୱା ବଡ଼ବଡ଼ିଆଙ୍କ ବେଳକୁ। ସେମାନଙ୍କ ପାଇଁ ଛୁଟି ସମୟ ବାହାରେ ଏପରିକି ମଧ୍ୟରାତ୍ର ପର୍ଯ୍ୟନ୍ତ ଖୋଲା ରହେ ଅଫିସ୍‌। ଏପରିକି କୋର୍ଟ କଚେରି ଖୋଲାଯାଏ ଅବେଳରେ। ପିଅନଠୁ ଅଫିସର ପର୍ଯ୍ୟନ୍ତ ସମସ୍ତେ ମାତି ଯାଆନ୍ତି କାମରେ। ସାଧାରଣ ଲୋକଙ୍କ ବେଳକୁ ଥତମତ ହେଉଥିବା ବାବୁମାନଙ୍କ କଲମ ଚାଲେ ଚରଚର୍‌ ଅର୍ଥାତ୍‌ କାମ ହୋଇଯାଏ ବୁଲେଟ୍‌ ବେଗରେ। କେବଳ ଅଫିସର ଚାହିଁଲେ ହେଲା। ଆଉ ସେମାନେ ଏତେ ଓଭର୍‌ ଟାଇମ୍‌ କରିବାକୁ କାହିଁକି ଚାହାନ୍ତି, ସେଇ କଥା ତାଙ୍କୁ ହିଁ ଜଣା। ଅବଶ୍ୟ ଏକଥା ସତ ଯେ, ଦିନସାରା ଖଟଣିରୁ ଯେତେ କଷ୍ଟ ଅନୁଭବ କରୁଥିଲେ ହେଁ ଅଫିସ୍‌ ଟାଇମ୍‌ ବାହାରେ କାମ କରିବାକୁ ମନା କରିପାରନ୍ତି ନାହିଁ ତଳିଆ କର୍ମଚାରୀ। କେମିତି ହେଲେ ମନାକରି ପାରିବେ? ଯାହା ହେଲେ ବଡ଼ବଡ଼ିଆଙ୍କ କଥା ନା!
ସରକାରୀ ବ୍ୟବସ୍ଥା ଏମିତି ଯେ ଏଇଠି ପଦସ୍ଥ ବାବୁମାନେ ଦରମା ପାଇଲା ବେଳେ ପାଇବେ ସର୍ୱାଧିକ, ହେଲେ ଦାୟିତ୍ୱ ମୁଣ୍ଡେଇଲା ବେଳକୁ ଚତୁରତାର ସହ ନିଜ ଉପରୁ ବୋଝତକ ଖସେଇ ଚାଲିଥିବେ ତଳକୁ ତଳକୁ , ଠିକ୍‌ ପୋଷ୍ଟାଲ ସିଷ୍ଟମ ଭଳି। ଆହା, ବିଚରା ତଳିଆ କର୍ମଚାରୀମାନେ? ସେମାନେ କହିବେ ତ କହିବେ କାହାକୁ? ଯିବେ ତ ଯିବେ କୁଆଡ଼େ? ନିଜର ସାଧ୍ୟମତେ ଆଦେଶ ଅନୁପାଳନ କରିବାକୁ ସେମାନେ ବାଧ୍ୟ। ଏଥିରେ ପୁଣି କରୁକରୁ କୌଣସି କାମ ଯଦି ତଳିଆ କର୍ମଚାରୀଙ୍କ ଉଦ୍‌ଯୋଗ ଫଳରେ ସଫଳ ହୋଇଯାଏ, ତେବେ ତାହାର ଶ୍ରେୟ ନେବାକୁ ଆଗେଇ ଆସନ୍ତି ମାଳମାଳ ବାବୁ, ନେତା, ମନ୍ତ୍ରୀ। ଆଉ ଛୋଟ କର୍ମଚାରୀଟିର ଭାଗ୍ୟ ଅବଳକୁ ଯଦି ବାଇଚାନ୍ସ ଫେଲ୍‌ ମାରିଯାଏ କୌଣସି କାର୍ଯ୍ୟକ୍ରମ, ତେବେ ସବୁ ଦୋଷ ତଳିଆ କର୍ମଚାରୀଙ୍କ ମୁଣ୍ଡକୁ ଗଡ଼େଇଦେଇ ଝାଡ଼ିଝୁଡ଼ି ସଫା ହୋଇଯିବେ ସେମାନେ। ଏଇଟା ଯୁଗେ ଯୁଗେ ଚାଲି ଆସିଛି ଏଇ ଦେଶରେ।
ସେ ତଳିଆ କର୍ମଚାରୀ ହୁଅନ୍ତୁ କି ସାଧାରଣ ଜନତା, ସେମାନଙ୍କୁ କଥା କଥାରେ ହଇରାଣ ହରକତ କରିପାରୁଥିବା ଉଚ୍ଚପଦସ୍ଥ ବାବୁମାନେ ନିଜକୁ ସ୍ୱୟଂ ଭଗବାନଙ୍କ ଅବତାର ବୋଲି ଭାବୁଥାନ୍ତିି। ତାଙ୍କ ଦୃଷ୍ଟିରେ ସେଇ ମଣିଷଙ୍କର ଭାଗ୍ୟ ନିୟନ୍ତା ହେଉଛନ୍ତି ଏଇ ବାବୁମାନେ। କାରଣ ଏମାନଙ୍କ କଲମ ମୁନରେ ନିହିତ ଥାଏ ସେତେ ବଡ଼ କ୍ଷମତା, ଯାହାର ଦୁରୁପଯୋଗ ଏମାନେ କରି ଚାଲିଛନ୍ତି ଅକ୍ଳେଶରେ। ଜଣକୁ ମାରିବା କି ତାରିବା ସବୁକିଛି ଥାଏ ଏମାନଙ୍କ ହାତରେ। ଭାଙ୍ଗିବା ଗଢ଼ିବା, ଗଢ଼ିବା ଭାଙ୍ଗିବା ଏମାନଙ୍କ ପାଇଁ ଏକ ସାଧାରଣ ଖେଳ। ଏମାନେ ଚାହିଁଲେ ଜଣେ ଚାଟୁକାର ଅଥଚ ଅଯୋଗ୍ୟ କର୍ମଚାରୀକୁ ଚାହୁଁଚାହୁଁ ବସେଇ ଦେଇପାରନ୍ତି ଉଚ୍ଚାସନରେ, ଛାଡ଼କରିଦେଇ ପାରନ୍ତି ତା’ର ସବୁତକ ଅନ୍ୟାୟ ଅନୀତି ଦୁର୍ନୀତି। ଅପରପକ୍ଷରେ ସାହେବଙ୍କର ମିଥ୍ୟା ଜୟଗାନରେ ପଶ୍ଚାଦ୍‌ପଦ ହେଉଥିବା ଅଥବା ଦର୍ଶନୀ/ଭେଟି ଦେବାରେ ଅକ୍ଷମତା ପ୍ରକାଶ କରୁଥିବା ଜଣେ ସାଧୁ, ସଚ୍ଚୋଟ, କର୍ମଯୋଗୀ କର୍ମଚାରୀକୁ ତଳି ତଳାନ୍ତ କରିଦେଇ ପାରନ୍ତି ସେ କ୍ଷଣିକ ଭିତରେ।
ସରକାରୀ କାର୍ଯ୍ୟାଳୟରେ ଚାଲିଥିବା ଏମିତି ଅନେକ ଅନାଲୋଚିତ ଅଲିଖିତ କଠୋର ନିୟମକାନୁନ ଯୋଗୁ ଭାଙ୍ଗିଯାଏ ସଚ୍ଚୋଟ କର୍ମଚାରୀଙ୍କ ମନୋବଳ। ଏପରିକି ଅନେକ ସମୟରେ କର୍ମବିମୁଖ ହୋଇ ଉଠନ୍ତି ସେମାନେ। ମନ ତାଙ୍କର ବିଦ୍ରୋହ କରିଉଠେ। ହେଲେ ତାଙ୍କ ଦୁଃଖ ଯନ୍ତ୍ରଣା ଦେଖିବାକୁ କି ସେମାନଙ୍କ ମନୋବେଦନା ବୁଝିବାକୁ କେହି ଜଣେ ହେଲେ ମହାନୁଭାବ ନ ଥାନ୍ତି ସରକାରୀ ବ୍ୟବସ୍ଥା ମଧ୍ୟରେ। ଏହା କହିବା ଅନାବଶ୍ୟକ ଯେ ଆଜିକାଲି ଆମ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବଢ଼ି ଚାଲିଥିବା ଅନ୍ୟାୟ, ଅନୀତି, ଦୁର୍ନୀତିର ମୂଳକାରଣ ହେଉଛନ୍ତି ଏଇ ଅର୍ଥଲୋଭୀ ଅଧିକାରୀମାନେ। ତଥାପି ଏମାନଙ୍କୁ ସାବାଡ଼ କରିବାର ଠିକ୍‌ ଉପାୟ କିଛି ଆଜି ପର୍ଯ୍ୟନ୍ତ ବାହାରି ନାହିଁ ବୋଧହୁଏ। ସେମିତି ଉପାୟ କିଛି ନଥିପତ୍ରରେ ଅବଶ୍ୟ ରହି ଥାଇପାରେ, ହେଲେ ତାହା କାର୍ଯ୍ୟାକାରୀ ହେଲେ ତ! ଆଇନକୁ କାର୍ଯ୍ୟକାରୀ କରୁଥିବା ଲୋକ ଯଦି ନିଜେ ଭ୍ରଷ୍ଟାଚାରୀ ହୁଏ? ତେବେ…।
ଅନ୍ୟକୁ ପଦଦଳିତକରି ରଖିବା ଭଳି ଔପନିବେଶବାଦୀ ମନୋଭାବ ପ୍ରତିପୋଷଣ କରୁଥିବା ମିଥ୍ୟାସ୍ତୁତି ପ୍ରିୟ ପ୍ରଶାସନିକ ଅଧିକାରୀ ଏବଂ ତାଙ୍କୁ ନିୟନ୍ତ୍ରିତ ବା ଉତ୍ସାହିତ କରୁଥିବା ମହାମାନ୍ୟମାନେ ହେଉଛନ୍ତି ଦେଶର ପ୍ରଥମ ଶତ୍ରୁ, ଗୃହଶତ୍ରୁ। ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏପରି ହୀନ ମାନସିକତା ସୃଷ୍ଟିହେବା କେବେହେଲେ ଶୁଭଙ୍କର ନୁହେଁ। ବୋଧହୁଏ ଆଜିକାଲି ଏଇଥିପାଇଁ ଦେଶ ପରିଚାଳନାର ଗୁରୁଦାୟିତ୍ୱ ମୁଣ୍ଡେଇଥିବା ବ୍ୟକ୍ତିବିଶେଷମାନେ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରୁନାହାନ୍ତି। ଦେଶ ହିତରେ ଏପରି ନିମ୍ନ ମାନସିକତାର ପରିବର୍ତ୍ତନ ଜରୁରୀ। ଏକଥା ସମସ୍ତେ ମର୍ମେ ମର୍ମେ ଅନୁଭବ କରୁଛନ୍ତି, କରି ଚାଲିଛନ୍ତି। ତଥାପି ସମସ୍ତେ ଆଜି ନୀରବ। ଲୋକହିତ ଏବଂ ସୁଶାସନ ପାଇଁ ସରକାରୀ ଚାକିରି କ୍ଷେତ୍ରରେ ଦୁର୍ନୀତିଗ୍ରସ୍ତ ଅଧିକାରୀ ତଥା କର୍ମଚାରୀଙ୍କୁ ଦୃଢ଼ହସ୍ତରେ ଦମନ କରାଯିବା ସହ ସଚ୍ଚୋଟ ତଥା କର୍ମଠ ବ୍ୟକ୍ତିବିଶେଷଙ୍କୁ ସୁରକ୍ଷା ଯୋଗାଇଦେବା ଆବଶ୍ୟକ। ହେଲେ ସେତକ କରିବ କିଏ? ସାଧାରଣ ମଣିଷ ନା ଆଇନ ରକ୍ଷକ ତଥା ନିର୍ମାତା ମହାମାନ୍ୟମାନେ?
ଡୁଙ୍ଗୁରିପାଲି, ସୁବର୍ଣ୍ଣପୁର
ମୋ: ୮୨୪୯୮୦୭୨୬୭


Enter your email to get our daily news in your inbox.

All Right Reserved By Dharitri.Com

ମଲ୍ଲୀ ଜେନା ହତ୍ୟାକାଣ୍ଡ ମାମଲା: ୮ ଦୋଷୀଙ୍କୁ ୧୦ ବର୍ଷ ଲେଖାଏ କାରାଦଣ୍ଡାଦେଶ

ବଞ୍ଚୋ,୨୯ା୧(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ଶାଳଦେଇ ଗ୍ରାମର ବହୁଚର୍ଚ୍ଚିତ ମଲ୍ଲୀ ଜେନା ହତ୍ୟାକାଣ୍ଡ ଘଟଣାରେ…

ଦୁର୍ଗମ ବନାଞ୍ଚଳରେ ଅଫିମ ଚାଷ, ମୂଳୋତ୍ପାଟନ କଲା କେନ୍ଦୁଝର ପୋଲିସ

ଯୋଡ଼ା,୨୯ା୧(ମାନସ ମହାନ୍ତି): ଅଫିମ ଚାଷ ନଷ୍ଟ କଲା ପୋଲିସ । କେନ୍ଦୁଝର ଜିଲାର ବଡବିଲ ଥାନା ତଥା ଯୋଡା ବ୍ଲକ ଅନ୍ତର୍ଗତ ରୋଇଡା ଗ୍ରାମ ପଞ୍ଚାୟତର ମାଙ୍କଡ…

ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ, ଜାଣନ୍ତୁ କେବେଠୁ..

ବାରିପଦା,୨୯ା୧: ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଆସିବାକୁ ଥିବାରୁ ଏହା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ତେବେ ଆସନ୍ତା…

ପାରିବାରିକ କଳହ ନେଲା ଜୀବନ, ଭିଣୋଇଙ୍କ ଠେଙ୍ଗା ମାଡ଼ରେ ଶଳା ମୃତ

ଗୁଣୁପୁର,୨୯ା୧(ସଂକେତ ପାତ୍ର/ସୁଜାତା ପାଢ଼ୀ ): ଭିଣୋଇଙ୍କ ଠେଙ୍ଗା ମାଡ଼ରେ ଶଳାଙ୍କ ମୃତ୍ୟୁ। ଏହି ଅଭାବନୀୟ ଘଟଣାଟି ଘଟିଛି ରାୟଗଡା ଜିଲା ଗୁଣପୁର ମେଡିକାଲ କଲୋନୀରେ। ଭିଣୋଇ ଏବଂ…

ନାବାଳକଙ୍କୁ ବାଲିରେ ପୋତିଦେଲେ ୬ ସାଙ୍ଗ, ଭିଡିଓ ଉତ୍ତୋଳନ କରି ଦେଲେ ଏମିତି ଧମକ

ଗୁଣପୁର,୨୯ା୧(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ପିଲାଖେଳ ଯେ, ଜଣେ ନାବାଳକଙ୍କ ଜୀବନ ନେଇଯାଇଥାନ୍ତା ତାହା ଏକ ଭିଡିଓରୁ ଜଣାପଡ଼େ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲା…

ବାଲସି ଧାନ ମଣ୍ଡିରେ ଦୁଇମାସରୁ ଉର୍ଦ୍ଧ୍ବ ହେଲା ପଡ଼ିରହିଛି ଧାନ, ଶୀତ କାକରରେ ଜଗୁଛନ୍ତି ଚାଷୀ

କେସିଙ୍ଗା,୨୯ା୧(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବାଲସି ଧାନ ମଣ୍ଡିରେ ଦୀର୍ଘ ଦୁଇ ମାସ ହେଲା ଧାନ ପଡି ରହିଛି । ପ୍ରବଳ ଶୀତ…

୨୧୧ ଯାତ୍ରୀକୁ ନେଇ ଯାଉଥିବା ଇଣ୍ଡିଗୋ ବିମାନରେ ଧକ୍କା ହେଲା ପକ୍ଷୀ, ଆଉ ତା’ପରେ…

ନୂଆଦିଲ୍ଲୀ,୨୯।୧: ଗୋଆରୁ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଶମଶାବାଦ) ଯାଉଥିବା ଏକ ଇଣ୍ଡିଗୋ ବିମାନରେ ବୁଧବାର ପକ୍ଷୀ ଧକ୍କା ହୋଇଥିଲା। ବିମାନ ଭିତରେ ୨୧୧ ଜଣ ଯାତ୍ରୀ…

ନବଜାତ ଶିଶୁକନ୍ୟାକୁ ଅଳିଆଗଦାରେ ଫିଙ୍ଗିଦେଲେ, ଗାଁରେ ଜୋର୍‌ ଧରିଛି ଚର୍ଚ୍ଚା

ବଲାଙ୍ଗୀର/ସଇଁତଳା,୨୯ା୧(ସୁନିଲ କୁମାର ମହାନ୍ତି/ରାଖାଲ ଶତପଥୀ): ଅଳିଆଗଦାରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଏପରି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲା ସଇଁତଳା ଥାନା ଅନ୍ତର୍ଗତ ଧରପଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri