ଘରେ ଲଗେଇବେ କେଉଁ ଫଟୋ

ଘରର କାନ୍ଥ ସଜାଇବା ପାଇଁ ସମସ୍ତେ ସୁନ୍ଦର ସୁନ୍ଦର ଫଟୋ ଲଗାନ୍ତି। ତେବେ ଜାଣନ୍ତିକି ଏହାର ପ୍ରଭାବ ପୂରା ପରିବାର ଉପରେ ପଡିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଫଟୋ କେବଳ ଘରର ଶୋଭା ବଢାଏ ନାହିଁ, ବରଂ ଭାଗ୍ୟ ବି ଚମକାଇପାରେ। ଜାଣନ୍ତୁ ସେମିତି କିଛି ଫଟୋ ସମ୍ପର୍କରେ…
ପହଁରୁଥିବା ମାଛ- ବିଶ୍ୱାସ କରାଯାଏ ଘରେ ପହଁରୁଥିବା ମାଛର ଫଟୋ ଲଗାଇଲେ ପରିବାର ସଦସ୍ୟଙ୍କ ଆୟୁଷ ବଢିଥାଏ। ତା’ସହ ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି।
ହସୁଥିବା ଚେହେରାର ଫଟୋ- ଘର କାନ୍ଥରେ ସବୁବେଳେ ଖିଲି ଖିଲି ହୋଇ ହସୁଥିବା ଚେହେରାର ଫଟୋ ଲଗାଇବା ଭଲ। ଚାହିଁଲେ ହସଖୁସିରେ ଭରା ପୂରା ପରିବାରର ଫଟୋ ବି ଲଗାଇପାରିବେ। ଆଉ ଏହାକୁ ଏଭଳି ସ୍ଥାନରେ ଲଗାଇବା ଉଚିତ ଯେମିତି କି ଯିବା ଆସିବାବେଳେ ନଜର ପଡିବ। ଏହାଦ୍ୱାରା ଘରେ ସକାରାତ୍ମକ ଉର୍ଜା ଆସିଥାଏ। ସଦସ୍ୟଙ୍କ ମଧ୍ୟରେ ପ୍ରେମ ବଢେ। ଘରେ ସୁଖ ଶାନ୍ତିର ପରିବେଶ ସୃଷ୍ଟି ହୁଏ।
ସୂର୍ଯ୍ୟୋଦୟର ଫଟୋ- ସୂର୍ଯ୍ୟ ଉଦୟର ମନୋରମ ଦୃଶ୍ୟ, ଉଡି ଉଡି ଯାଉଥିବା ଚଢେଇର ଫଟୋ କାନ୍ଥରେ ଲଗାଇଲେ ମନରେ ନୂଆ ଆଶାର ସଞ୍ଚାର ହୁଏ। ସକାରାତ୍ମକ ଉର୍ଜା ଅନୁଭବ ହୁଏ, ଯଦ୍ଦ୍ବାରା ଆତ୍ମବିଶ୍ୱାସ ବଢିଥାଏ।
ଝରଣା ଫଟୋ- ଶାନ୍ତଭାବେ ବହୁଥିବା ଝରଣାର ଫଟୋ ଅଥବା ପୋଖରୀ, ସମୁଦ୍ର ଫଟୋ ଲଗାଇବା ଶୁଭ ମଣାଯାଏ। ଏହାଦ୍ୱାରା ପରିବାର ସଦସ୍ୟଙ୍କ ଭାଗ୍ୟ ବଦଳିଥାଏ। କୌଣସି କାର୍ଯ୍ୟରେ ସୃଷ୍ଟି ହେଉଥିବା ବାଧା ଦୂରେଇଥାଏ। ବିଗିଡିଥିବା କାର୍ଯ୍ୟ ବି ସୁଧୁରିଥାଏ।