Categories: ଜାତୀୟ

ଜ୍ଞାନବାପୀ ମସ୍‌ଜିଦ୍‌ ପରିସରରେ ଥିବା ବ୍ୟାସଙ୍କ ବେସ୍‌ମେଣ୍ଟ କ’ଣ? ହିନ୍ଦୁ ପକ୍ଷ ସପକ୍ଷରେ ଆସିଥିବା ରାୟର ଗୁରୁତ୍ୱ କେତେ…ଜାଣନ୍ତୁ

ବାରାଣସୀ,୩୧।୧: ଜ୍ଞାନବାପୀ ମାମଲାରେ ହିନ୍ଦୁ ପକ୍ଷ ସପକ୍ଷରେ ବାରାଣସୀ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏଥିରେ ମସ୍‌ଜିଦ୍‌ ପରିସରରେ ଥିବା ବ୍ୟାସ  ବେସମେଣ୍ଟରେ ପୂଜା ଆରମ୍ଭ କରିବାକୁ ଅନୁମତି ମିଳିଛି। ଜିଲା ପ୍ରଶାସନ ସପ୍ତାହେ ମଧ୍ୟରେ ବେସମେଣ୍ଟରେ ପୂଜା ଆରମ୍ଭ କରିବାକୁ ବ୍ୟବସ୍ଥା କରିବାକୁ କୋର୍ଟ ଆଦେଶ ଦେଇଛନ୍ତି। ଗୋଟିଏ ପଟେ ମୁସଲମାନ ପକ୍ଷଙ୍କ ଲାଗି ଏହା ବଡ଼ ଝଟ୍‌କା ବୋଲି କୁହାଯାଉଥିବା ବେଳେ ହିନ୍ଦୁ ପକ୍ଷ ଏହାକୁ ବଡ଼ ବିଜୟ ବୋଲି କହିଛନ୍ତି।
ବ୍ୟାସ ବେସ୍‌ମେଣ୍ଟ କ’ଣ?
ମସ୍‌ଜିଦ୍‌ ପରିସରରେ ୪ଟି ବେସମେଣ୍ଟ(ତଳମହଲା) ଅଛି। ଏଥିରୁ ଗୋଟିଏ ବେସମେଣ୍ଟ ଉପରେ ବ୍ୟାସ ପରିବାରର ନିୟନ୍ତ୍ରଣ ରହିଛି। ପୂର୍ବରୁ ସୋମନାଥ ବ୍ୟାସଙ୍କ ପରିବାର ଏଠାରେ ରହୁଥିଲେ। ପୂଜାରୀ ସୋମନାଥ ବ୍ୟାସ ୧୯୯୩ ଯାଏ ବେସମେଣ୍ଟରେ ପୂଜାପାଠ କରୁଥିଲେ। ହେଲେ ଅଧିକାରୀଙ୍କ ଆଦେଶ ପରେ ତାଙ୍କ ପୂଜାପାଠ ଉପରେ ରୋକୋ ଲଗାଯାଇଥିଲା। ସୋମନାଥଙ୍କ ବଂଶଜ ହେବା ଯୋଗୁ ଶୈଳେନ୍ଦ୍ର କୁମାର ପାଠକ ବ୍ୟାସ ବେସମେଣ୍ଟକୁ ଯାଇ ପୂଜା କରିବାକୁ ଅନୁମତି ମାଗିଥିଲେ। ମସ୍‌ଜିଦ କମିଟି ଲୋକ ବେସମେଣ୍ଟକୁ ଆସୁଛନ୍ତି। ସେମାନେ ତାକୁ କବ୍ଜା କରିପାରନ୍ତି ବୋଲି ସେ କହିଥିଲେ।
ବ୍ୟାସ ପରିବାରର ସଦସ୍ୟ କହିଛନ୍ତି, ବେସମେଣ୍ଟରେ ଭଗ୍ନ ମୂର୍ତ୍ତୀ ରହିଛି। ସେଠାରେ ପଦ୍ମ ଏବଂ ତ୍ରିଶୁଳର ଆକୃତି ରହିଛି। ସେଠାରେ ଥିବା ଖମ୍ବର ଆକାର ପ୍ରାଚୀନ ମନ୍ଦିରରେ ଥିବା ଭଳି ରହିଛି। ଏହାଛଡ଼ା ସେଠାରେ ପୂଜାପାଠରେ ବ୍ୟବହୃତ ସାମଗ୍ରୀ ରହିଛି। ଯଦି ସେଠାରେ ଖନନ କରାଯାଏ ତେବେ ବହୁତ ମନ୍ଦିରର ଅବଶେଷ ମିଳିବ। ବେସମେଣ୍ଟ ଆଗରେ ଶୃଙ୍ଗାର ଗୌରୀଙ୍କ ମନ୍ଦିର ଥିବା ସେ କହିଛନ୍ତି।
ଏହି ବିଷୟକୁ ନେଇ ହିନ୍ଦୁ ପକ୍ଷର ଓକିଲ କହିଛନ୍ତି, କୋର୍ଟର ନିଷ୍ପତ୍ତି ସତ୍ୟ ଏବଂ ନ୍ୟାୟର ବିଜୟ। ୧୯୯୩ ପୂର୍ବରୁ ଏଠାରେ ପୂଜାପାଠ ହେଉଥିଲା। ହେଲେ ସେତେବେଳର ମୁଲାୟମ ସିଂହ ସରକାରଙ୍କ ଆଦେଶରେ ପୂଜାପାଠ ଉପରେ ରୋକ ଲଗାଯାଇଥିଲା। ଏହାକୁ ଅବୈଧ ବୋଲି କହି ପୂଜାରୀଙ୍କୁ ବାହାର କରାଯାଇଥିଲା। ଏହି ଆଦେଶର ଲିଖିତ ପ୍ରମାଣ ମୁସଲମାନ ପକ୍ଷଙ୍କ ପାଖରେ ନାହିଁ। ଯଦି ଥାନ୍ତା ତେବେ ସେମାନେ କୋର୍ଟଙ୍କୁ ଦେଖାଇଥାନ୍ତେ। ଏବେ କୋର୍ଟ ୭ ଦିନ ମଧ୍ୟରେ ପୂଜା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Share